ହେଡଲାଇନସ୍:

ଉଠା ଜଳସେଚନ ଚାଷୀ କୂଳର ଭରସା- ଜଳସମ୍ପଦ ମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓ.ଏଲ୍.ଆ.ଇ,ସି.କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା,୩ ଦିନରେ ୧୪ ହଜାର ହେକ୍ଟର ଜମିକୁ ଜଳସେଚନ ।

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଅପରାହ୍ଣରେ ରାଜ୍ୟ ଜଳସମ୍ପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଓଡିଶା ଉଠା ଜଳସେଚନ ନିଗମ ସମ୍ମିଳନୀ କକ୍ଷରେ ରାଜ୍ୟରେ ଉଠା ଜଳ ସେଚନ ବ୍ୟବସ୍ଥାରେ ଜଳସେଚନ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଓ.ଏଲ୍.ଆ.ଇ.ସି ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଓ ନିଗମର ପରିଚାଳନା ନିଦେ୍ର୍ଧଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ରାଜ୍ୟରେ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ପରିପ୍ରେକ୍ଷୀରେ ସବୁ ଚାଷ ଜମିକୁ ଯୁଦ୍ଧକାଳୀନ ଭିତିରେ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଓ.ଏଲ୍.ଆଇ.ସି ଚାଷୀ କୂଳର ଭରସା ସାଜି କୃଷି କ୍ଷେତ୍ରକୁ ଜଳସେଚନ ପାଇଁ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନା ଓ ପରାମର୍ଶରେ ଏବଂ ଓଏଲ୍ଆସି କର୍ମଚାରାଙ୍କ ଆନ୍ତରିକତା ଓ କାର୍ଯ୍ୟ କୁଶଳତାକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ କହିଲେ ଯେ, ସମ୍ଭାବ୍ୟ ମରୁଡି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଠା ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଜଳସମ୍ପଦ ମନ୍ତ୍ରୀ ମଧ୍ୟ ଓ.ଏଲ୍.ଆଇ.ସି କାର୍ଯ୍ୟ ଉପରେ ଭରସା କରିଛନ୍ତି । ଏହି ଭରସାକୁ ପାଥେୟ କରି ନିଗମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଓ ପ୍ରକଳ୍ପ ସଚଳ କରି ଜଳସେଚନ ଯୋଗାଇଦେବାରେ ସମର୍ଥ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ସୂଚନା ଯୋଗ୍ୟ ଯେ,ଅଗଷ୍ଟ ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗ, ସମସ୍ତ ଜିଲ୍ଲାପାଳଙ୍କ ସହିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ସମସ୍ତ ପାଣି ପଂଚାୟତ ପରିଚାଳନାଧିନ ତଥା କୃଷକ ହିତାଧିକାରୀଙ୍କ ବକେୟା ଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ବୈଠକରେ ସବୁ ବିଦ୍ୟୁତ୍ ଯୋଗାଣ କମ୍ପାନୀଗୁଡିକୁ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଣୁ ନିର୍ଦ୍ଦେଶ ଅନୁସାରେ ତ୍ୱରିତ ପଦକ୍ଷେପ ନିଆଯିବା ଫଳରେ ଗତ ୩ ଦିନ ମଧ୍ୟରେ ୧୪ ହଜାର ହେକ୍ଟର ଜମିକୁ ଜଳ ଯୋଗାଣ କରାଯାଇଥିବା ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଥିଲେ । ନିଗମ ତରଫରୁ ନିର୍ମାଣାଧିନ ପ୍ରକଳ୍ପ ଶେଷ ହୋଇଥିଲେ ଏବଂ ମରାମତି ହୋଇଥିଲେ ମଧ୍ୟ କେତେକ ପ୍ରକଳ୍ପଗୁଡିକୁ ବିଦ୍ୟୁତ୍ ସଂଯୋଗୀକରଣ ହୋଇନଥିବା ବା ବକେୟା ବିଦ୍ୟୁତ୍ ଦେୟ ଯୋଗୁଁ ପ୍ରକଳ୍ପଗୁଡିକୁ ଚାଲିପାରୁନଥିଲା ।
ପ୍ରକାଶ ଥାଉକି ୨୦୨୧ ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ଡିପ୍ ବୋର ୱେଲ୍, ଅଗଭୀର ନଳକୂପ ଆଦି ମିଶି ୧ଲକ୍ଷ୨୧ ହଜାର ୧୦୬ଟି ପ୍ରକଳ୍ପ ରହିଥିବା ବେଳେ ୧୨.୪୬ ଲକ୍ଷ ହେକ୍ଟର ଜମିକୁ ସେଚାଂଚଳ ସୁବିଧା କରାଯାଇଥିଲା । ତନ୍ମଧ୍ୟରୁ ୧ଲକ୍ଷ ୧୦ ହଜାର ୩୮୮ଟି ପ୍ରକଳ୍ପ ସଚଳ ରହିଛି ଓ ଏସବୁ ଦ୍ୱାରା ୧୦.୮୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଯାଉଛି । ମରାମତି ଯୋଗ୍ୟ ଅସ୍ଥାୟୀ ଭାବେ ଅଚଳ ଥିବା ୯,୫୫୫ ଟି ପ୍ରକଳ୍ପକୁ ଆବଶ୍ୟକତା ଅନୁସାରେ ସଚଳ କରାଯାଉଛି ଯାହା ଦ୍ୱାରା ୧ଲକ୍ଷ ୩୪ ହଜାର ୯୮୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିବ । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉଠାଜଳସେଚନ ପ୍ରକଳ୍ପଗୁୁଡିକର ସଂଖ୍ୟା, ଏହାର ସ୍ଥିତି କାର୍ଯ୍ୟକାରିତା ସଂପର୍କରେ ମନ୍ତ୍ରୀ ଅବଗତ ହୋଇଥିଲେ । ଓ.ଏଲ୍.ଆଇ.ସି ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ କହିଲେ ଯେ, ବିଦ୍ୟୁତ୍ ସଂଯୋଗ ଆବଶ୍ୟକ କରୁଥିବା ସମସ୍ତ ପ୍ରକଳ୍ପଗୁଡିକୁ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସଂଯୋଗ କରାଯାଉଛି ଓ ଏ ଦିଗରେ ଶକ୍ତି ବିଭାଗର ସହଯୋଗ ପ୍ରଶଂସନୀୟ ରହିଛି ।
ଏଥି ସହିତ ସେ ପାୱାର ପଏଣ୍ଟ ଜରିଆରେ ଆଜିସୁଦ୍ଧା ଓ.ଏଲ୍ .ଆଇ,ସି ର ଜଳସେଚନ କ୍ଷେତ୍ରରେ ସଫଳତା, ଉଠାଜଳସେଚନ ପ୍ରକଳ୍ପର ସ୍ଥିତି, ଜଳସେଚନ ସାମର୍ଥ, ସ୍ୱଳ୍ପ ବୃଷ୍ଟି ଜିଲ୍ଲାପାଇଁ ଖରିଫ ଜଳସେଚନ ଯୋଜନା, ୟାସ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରକଳ୍ପର ମରାମତି, ଆଇ.ଟି.ଆଇ ଉତୀର୍ଣ୍ଣ ହୋଇଥିବା କୁଶଳୀ ୱେରମେନମାନଙ୍କ ସହଯୋଗ ନିଆଯିବା ଆଦି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓ.ଏଲ୍,ଆଇ.ସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ. ବାଲେଶ୍ୱରନାଥ ସାହୁଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଅଧିକ୍ଷଣ ଯନ୍ତ୍ରୀ(ପି.ପି.ଏଫ୍ ଆଣ୍ଡ ଏଚ୍ ଆର) ଇଂ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault