ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିହିନତାରୁ ରକ୍ଷା ପାଇଁ ସ୍ଲୋଗାନ ପ୍ରହସନ
ପଦ୍ମପୁର(ଶାସକ ପ୍ରଶାସକ)- ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିହିନତାରୁ ରକ୍ଷା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଛି । ଛତୁଆକୁ ମଣିଷ ଖାଇବା ବଦଳରେ ପଶୁ ଖାଦ୍ୟ ଭାବରେ ବ୍ୟବହାର କରାଯାଉଥିବା ଖବର ଆସୁଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ଠାରେ ବେଆଇନଭାବେ ଛତୁଆ ଗଛ୍ଛିତ ରଖିଥିବା ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା ଏବଂ ୪୫୦ ଗୋଟି ଛତୁଆ ପକେଟ ଜବତ କରାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ଜବତ ଛତୁଆ ଗୁଡ଼ିକ ବରଗଡ଼ ଜିଲ୍ଲା ପଦ୍ମପୁର ଓ ପାଇକମାଲ ଅଞ୍ଚଳର ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ନୀଲ ରଙ୍ଗର ୭୦ ଗୋଟି ପ୍ୟାକେଟ ପଦ୍ମପୁର ବ୍ଳକ ଅଧିନସ୍ଥ ଜମଲାର ଶକ୍ତିରୁପା ସ୍ବୟଂ ସହାୟିକା ଗୋଷ୍ଠୀ ତିଆରି କରିଥିବା ଲେଖା ହୋଇଛି | ଏହି ଛତୁଆ ଗୁଡ଼ିକ ଅଗଷ୍ଟ ମାସ ୨୭ ତାରିଖ ଦିନ ପ୍ରସ୍ତୁତ ହୋଇଥିବା ହାତରେ ଲେଖାଲେଖା ହୋଇଛି । ସେହିପରି ମାଁ ମାନଙ୍କ ପାଇଁ ଉଦ୍ଦିଷ୍ଟ ହଳଦିଆ ରଙ୍ଗର ୩୮୦ ଗୋଟି ପ୍ୟାକେଟ ପାଇକମାଲ ବ୍ଳକ ସମଲେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିଥିବା ଲେଖା ହୋଇଛି | ଏହି ଛତୁଆ ଗୁଡ଼ିକ ଜୁଲାଇ ୨୨ ତାରିଖ ଦିନ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି । ବରଗଡ଼ ଜିଲ୍ଲାର ଛତୁଆ ପଡୋଶୀ ବଲାଙ୍ଗୀର ଜିଲ୍ଲାର ପଡୋଶୀ ବ୍ଳକରେ ଉପଲବ୍ଧ ହେବା ନିହାତି ଭାବରେ ଏକ ସଙ୍କା ସୄଷ୍ଟି କରୁଛି । ଏତେ ପରିମାଣରେ ଛତୁଆ ଛତୁଆ ପ୍ରସ୍ତୁତ କାରୀ ସଂସ୍ଥା ବିକ୍ରି କରୁଛନ୍ତି ନାଁ ଛତୁଆ ଉନ୍ନତ ମାନର ହୋଇନଥିବା କାରଣରୁ ହିତାଧିକାରୀ ବିକିଛନ୍ତି ତାହା ପ୍ରଶ୍ନବାଚୀ । ଯଦି ଛତୁଆ ପ୍ରସ୍ତୁତ କାରୀ ସଂସ୍ଥା ବିକ୍ରି କରୁଛନ୍ତି ତେବେ ସମସ୍ତ ଶିଶୁ ଓ ମହିଳା ମାନଙ୍କୁ ବଣ୍ଟନ କରାଯାଉଛି ବୋଲି ସରକାରୀ ସ୍ତରରେ ଯେଉଁ ଦର୍ଶା ଯାଉଛି ତାହା କେବଳ କାଗଜ କଳମରେ ସିମିତ ରହିଯାଉନାହି ତ ! ଯଦି ଛତୁଆ ପାଇଲା ପରେ ହିତାଧିକାରୀ ଅନୁନ୍ନତ ମାନର ଭାବି ବିକ୍ରି କରି ଦେଉଛନ୍ତି ତେବେ ଛତୁଆ ପ୍ରସ୍ତୁତ ଦିନ ତିଆରିର ମାନ ଯାଞ୍ଚ କରାଯାଉଛି କି ଏହା ମଧ୍ୟ କାଗଜ କଳମରେ ସିମିତ ରହୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଦେଖିବାକୁ ଗଲେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି, ବିଭାଗୀୟ ଅଧିକାରୀଙ୍କ ଜାଣତରେ ଏହି ସବୁ କାରବାର ଚାଲୁଛି କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଆଉ ଗୋଟିଏ ଦିଗକୁ ଦେଖିଲେ ସ୍ବୟଂ ସହାୟକ ଗୋଷ୍ଠୀ ନିଜେ ରୋଜଗାର କ୍ଷମ ହେବେ ବୋଲି ଛତୁଆ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ବେଲେ କିଛି ଅସାଧୁ ବ୍ୟକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟଙ୍କାର ଲୋଭ ଦେଖାଇ ସେ ନିଜେ ପ୍ରସ୍ତୁତ କରି ଅଧିକ ଲାଭ ପାଇଁ ଅନୁନ୍ନତ ମାନର ଛତୁଆ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି । ଏହିଭଲି ମହାଦୁର୍ନିତିର ତଦନ୍ତ କରି ମହିଳା ଓ ଶିଶୁ ମାନଙ୍କୁ ତାଙ୍କ ଅଧିକାର ଯୋଗାଇ ଦେବା ସାଧାରଣରେ ଦାବୀ ହୁଏ ।