ହେଡଲାଇନସ୍:

ମୋହନା ଏମକେସିଜି ବିଦ୍ୟାଳୟ ସଂପାଦକଙ୍କ ମନମାନୀ ଓ ଦୁର୍ନିତୀ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ରହିଥିବା ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ବହିସ୍କୃତ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ଏବଂ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନାରେ ବିଦ୍ୟାଳୟର ସମ୍ପାଦକଙ୍କ ମନମାନି ଓ ଦୁର୍ନୀତି ସମ୍ପର୍କରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ବହିଷ୍କୃତ ଶିକ୍ଷକ ଓ କର୍ମଚାରି ମାନେ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବହିଷ୍କୃତ ଶିକ୍ଷକ ଓ କର୍ମଚାରୀ ମାନେ ସେମାନଙ୍କ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ , ସମ୍ପୃକ୍ତ ବିଦ୍ୟାଳୟର ସମ୍ପାଦକ ମନମାନି କାର୍ଯ୍ୟ ଓ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ସହ ଲିପ୍ତ ରହିଥିବା ଯୋଗୁଁ ବିଦ୍ୟାଳୟ ଦୀର୍ଘ ବର୍ଷ ଧରି ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏମିତିକି , ବିଦ୍ୟାଳୟର ବହିଷ୍କୃତ ଶିକ୍ଷକ ଓ କର୍ମଚାରି ମାନେ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ତଦନ୍ତ କରିବା ପାଇଁ ପାରଳାଖେମୁଣ୍ଡି ଠାରେ ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହି ଦାବିପତ୍ର ଉପରେ ପୂର୍ବତନ ଜିଲ୍ଲାପାଳ ଶ୍ରୀ ସାହା ଗୁରୁତ୍ୱ ଦେଇ ତାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦେବୀ ଗତ ତା:୨୯/୦୧/୨୦୨୧ରେ ମୋହନା ଠାରେ ଥିବା ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ଯୁଗ୍ମ ତଦନ୍ତ କରିଥିଲେ। ଏହାପରେ ଗତ ୨୨/୦୨/୨୦୨୧ରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ତଦନ୍ତ ରିପୋର୍ଟ ଡିଏସଏସଓ:ଙ୍କୁ ପ୍ରଦାନ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯୁଗ୍ମ-ତଦନ୍ତ ହୋଇ ଇତି ମଧ୍ୟରେ ପ୍ରାୟ ୬ ମାସ ବିତି ଯାଇଥିଲେ ମଧ୍ୟ ବହିସ୍କୃତ ଶିକ୍ଷକ ଓ କର୍ମଚାରୀ ମାନଙ୍କର ଏ ଯାବତ କୌଣସି ସମସ୍ୟାର ସମାଧାନ ହୋଇ ପାରି ନ ଥିଲା। ଯାହା ଫଳରେ ବହିସ୍କୃତ ଶିକ୍ଷକ ଓ କର୍ମଚାରୀ ମାନେ ବାଧ୍ଯ ହୋଇ ପାରଳାଖେମୁଣ୍ଡି ଯାଇ ସେଠାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଗତ ବର୍ଷ କରୋନା ମହାମାରୀ ସମୟରେ ଶିକ୍ଷା କମିଟିର କୌଣସି ପରାମର୍ଶ ନ ନେଇ ଅନ୍ୟାୟ ଭାବେ ବିଦ୍ୟାଳୟର ୧୦ ଜଣ କର୍ମଚାରୀଙ୍କୁ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ବହିଷ୍କାର କରିଛନ୍ତି। ଏହା ବ୍ୟତୀତ କର୍ମଚାରୀଙ୍କ ଦୁଇ ବର୍ଷର ବକେୟା ପାଉଣା ମଧ୍ୟ ଦେଇ ନାହାନ୍ତି। ବିଦ୍ୟାଳୟକୁ ୨୦୧୮-୧୯ର ପ୍ରାୟ ୩୮ ଲକ୍ଷ ୩୪ ହଜାର ୫୩ ଟଙ୍କା କେନ୍ଦ୍ରୀୟ ଅନୁଦାନ ଆସିଥିଲା। ତଥାପି ସମ୍ପାଦକ କର୍ମଚାରୀଙ୍କୁ ୨୦୧୭-୧୮ର ଏରିଏର ଟଙ୍କା ଓ ପ୍ରାୟ ୨ ବର୍ଷର ହନୋରାରିୟମ ଟଙ୍କା ନ ଦେଇ ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ଭେଟି ବହିଷ୍କୃତ ଶିକ୍ଷକ ଓ କର୍ମଚାରୀ ମାନେ ବିଦ୍ୟାଳୟର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଜିଲ୍ଲାପାଳ ଶ୍ରୀ ପଣ୍ଡା , ଖୁବଶୀଘ୍ର ବିଦ୍ୟାଳୟର ଲାଗି ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।
ଏହି ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ସୁଜିତ କୁମାର ସାହୁ , ଶ୍ରୀ ଭୀମ ମଲ୍ଲିକ , ଶ୍ରୀ ସୁନୀଲ ନାୟକ , ଶ୍ରୀ ସୁନୀଲ କୁମାର ସ୍ୱାଇଁ , ଶ୍ରୀ ବାସୁ ଗୌଡ଼ , ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଳକୃଷ୍ଣ ମଲ୍ଲିକ , ଶ୍ରୀ କନକ ନାୟକ ଓ ସରଜୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault