ଅଗଷ୍ଟ ୨୭ ରୁ ଅଗଷ୍ଟ ୨୯ ପଦଯାତ୍ରା ନିମନ୍ତେ ଭଞ୍ଜସେନାର ପ୍ରସ୍ତୁତି ବୈଠକ
ବାରିପଦା(ଦିଲ୍ଲୀପ ମହାନ୍ତି)- ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବାଙ୍ଗିରିପୋଷି-ଗୋରୁମହିଷାଣି ୪୨ କି.ମି. ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ କ୍ରମାଗତ ଅହେତୁକ ବିଳମ୍ବ ତଥା ମୟୂରଭଞ୍ଜ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପ୍ରତିବାଦରେ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଂଜସେନା ପକ୍ଷରୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଯଥାଶୀଘ୍ର ଉକ୍ତ ନୂତନ ରେଳପଥ ନିର୍ମାଣ ପାଇଁ ଚଳିତ ଅଗଷ୍ଟ ୨୭ଠାରୁ ବାଙ୍ଗିରିପୋଷି ରେଲୱେ ଷ୍ଟେସନରୁ ପଦଯାତ୍ରା ଆରମ୍ଭ କରିବ ଏବଂ ସଡକ ପଥରେ ୬୨ କି.ମି. ଅତିକ୍ରମକରି ଗୋରୁମହିଷାଣିଠାରେ ଅଗଷ୍ଟ ୨୯ ରେ ଶେଷ ହେବ ବୋଲି ପୂର୍ବରୁ ସେନା ପକ୍ଷରୁ ଘୋଷଣା କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧ରେ ଭଂଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନରେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ବସି ପଦଯାତ୍ରାର କାର୍ଯ୍ୟସୂଚୀ ବାବଦରେ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଲା କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂଙ୍କୁ ପ୍ରତ୍ୟକ୍ଷ ଭାବେ ଏହି ପଦଯାତ୍ରାର ତତ୍ୱାବଧାନ କାର୍ଯ୍ୟର ଦାୟିତ୍ବ ପ୍ରଦାନ କରାଗଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଇତି, ଆଦିବାସୀ ସେଲ ସଭାପତି ବାଜୁନ ହାଁସଦା, ଯୁବଛାତ୍ର ସଂଯୋଜକ ରାକେଶ ବେହେରା,ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଯୁବ ସଭାପତି ମାନସ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି , ସମ୍ପାଦକ ଏସ.କେ. ରାଜାଖାନ, ସହର ସଭାପତି ପ୍ରୀତମ ପଣ୍ଡା, ସାଂଗଠନିକ ସମ୍ପାଦକ ଧନଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।








