ହେଡଲାଇନସ୍:

ଶ୍ରୀଶ୍ରୀ ହରିବଳଦେବ ଜୀଉ ମନ୍ଦିରର ନିମ୍ନମାନର ନବୀକରଣ କାର୍ଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲେ ସେବାୟତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଜନବିଦିତ ବାରିପଦାରେ ଶ୍ରୀଶ୍ରୀ ହରି ବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଉକ୍ତ ଟଙ୍କାରେ ଭୂବନେଶ୍ୱର ଓବିସିସି କାର୍ଯ୍ୟଳୟ ପକ୍ଷରୁ ବାହାର ଜିଲ୍ଲାର ଠିକାଦାରଙ୍କୁ ଲଗାଯାଇ ଆରମ୍ଭ ହୋଇଛି ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନବୀକରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ । ମନ୍ଦିର ଭିତରେ ଥିବା ମହାପ୍ରଭୂଙ୍କ ପୁରୁଣା ରୋଷେଇଶାଳ କେବଳ ଉପର ଛାତକୁ ହଟାଇ କାନ୍ଥକୁ ଟିକିଏ ଉଚ୍ଚ କରାଯାଇ ଛାତ କାଯାଇଛି । ଏହି ରୋଷେଇ ଶାଳ ଛାତ ଭଙ୍ଗାଯିବା ଓ କବାଟ ଝରକାକୁ ହଟାଯିବା  ଫଳରେ ଏହି ୪୪୬ ବର୍ଷର ପୁରୁଣା ଓ ମଜବୁତ ଘରଟି ଦୁର୍ବଳ ହୋଇଗଲା । ପୁଣି ବୈଷୟିକ ଦିଗଗୁଡ଼ିକୁ ଅଣଦେଖା ପ୍ରଦର୍ଶନ କରାଯାଇ ମନ୍ଦିର ପାହାଚ, ନାଟମଣ୍ଡପର ଚଟାଣ ଓ ମନ୍ଦିର ପରିସର ବେଢ଼ା ଆଦିକୁ ଭଙ୍ଗାଯାଇ ଗ୍ରାନାଇଟ ମାର୍ବଲ ବିଛାଯାଉଛି ।  ଯାହା ମହାପ୍ରଭୂଙ୍କ ସେବା କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କ ସହ ଭକ୍ତମାନଙ୍କ ପ୍ରତି ବିପଦର କାରଣ ପାଲଟିଛି । ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି  ସ୍ନାନ ଯାତ୍ରା, ଶ୍ରୀଗୁଣ୍ଡିଚାଯାତ୍ରା ଆଦି ବିଭିନ୍ନ ସମୟରେ ରତ୍ନ ସିଂହାସନରୁ ତଳକୁ ଉହ୍ଲାଇ ଆସିଥାନ୍ତି । ମହାପ୍ରଭୂଙ୍କ ଏହି ସମସ୍ତ ରୀତିକାନ୍ତୀ ଓ ପାର୍ବଣୀ ଆଦି ପାଳନ ସମୟରେ ଗ୍ରାନାଇଟ ମାର୍ବଲ ପଥରର ମସୃଣ  ଚଟାଣରେ ସେବାୟତମାନଙ୍କ ସହିତ ମନ୍ଦିର ଭିତରକୁ ଆସୁଥିବା ଭକ୍ତମାନଙ୍କ ପ୍ରତି ବିପଦକୁ ଆମନ୍ତ୍ରଣ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ମନ୍ଦିର ପରିସରର ବେଢ଼ାରେ ମହାରାଜାଙ୍କ ସମୟରେ ବିଛାଯାଇଥିବା ମାଙ୍କଡ଼ା ପଥରକୁ ସ୍ଥାନାନ୍ତରିତ କରାନଯାଇ ତା ଉପରେ ଗ୍ରାନାଇଟ ମାର୍ବଲର ମସୃଣ ଚଟାଣ ବର୍ଷା, କାକର ଆଦି କାରଣରୁ ମଧ୍ୟ ବିପଦ ସୃଷ୍ଟି କରାଇବାର ସମ୍ଭାବନା ରହିଛି । ପୁଣି ମନ୍ଦିର ବେଢ଼ା ମଧ୍ୟରୁ ବର୍ଷା ପାଣି ନିଷ୍କାସନର କୌଣସି ବ୍ୟବସ୍ଥା କରାଯାଉନଥିବାରୁ ବେଢ଼ା ଠାକୁରଙ୍କ ମନ୍ଦିର ଭିତରକୁ ପାଣି ପ୍ରବେଶ କରୁଥିବାର ପରିଲକ୍ଷିତ ହୋଇଛି । ଏହି ସମୟରେ ମନ୍ଦିରରେ ବିଛାଯାଇଥିବା ଗ୍ରାନାଇଟ ମାର୍ବଲରେ  ୫/୬ ଜଣ ସେବାୟତମାନଙ୍କର ପାଦ ଖସିଯିବାରୁ ସେମାନେ ଅଳ୍ପ ବହୁତରେ ଆହତ ହୋଇସାରିଛନ୍ତି । ଏଣୁ ବିଭିନ୍ନ ବୈଷୟିକ ଦିଗ ଗୁଡ଼ିକ ପ୍ରତି ଧ୍ୟାନ ଦିଆନଯାଇ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବା ବେଳେ ଏବଂ ଏହା ଫଳରେ ମହାପ୍ରଭୂଙ୍କ ସେବାକାର୍ଯ୍ୟରେ ନିୟୋଜିତ ସେବାୟତ ଓ ଭକ୍ତମାନଙ୍କ ପ୍ରତି ସମ୍ଭାବ୍ୟ ବିପଦ ସହ ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ସେବାୟତମାନେ ବିଭିନ୍ନ ସମୟରେ ଦେବୋତ୍ତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଇ ଆସୁଥିବା ବେଳେ ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନ ଏଦିଗରେ ନୀରବଦ୍ରଷ୍ଟା ସାଜିଥିବାରୁ ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି ତଥା ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସେବାୟତ କାମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ  ଓ ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ମହେଶ୍ୱର ଦ୍ୱିବେଦୀ, ରବିନାରାୟଣ ଦ୍ୱିବେଦୀ, ଚଣ୍ଡୀପ୍ରଦାସଦ ଦାଶ, ବିଷ୍ଣୁପଦ ଘୋଷ, ତଥାଗତ ତ୍ରିପାଠୀ, ମୃତ୍ୟୁଞ୍ଜୟ ମହାପାତ୍ର, ଯତୀଶ ଚନ୍ଦ୍ର ତ୍ରିପାଠୀ, ଅନନ୍ତ ନାରାୟଣ ବାରିକ, ପ୍ରଦୀପ ପାଣିଗ୍ରାହୀ, ଚିନ୍ମୟ ଦେଓଘରିଆ, ଜୟନ୍ତ କୁମାର ତ୍ରିପାଠୀ, ରାଧାଶ୍ୟାମ ମହାପାତ୍ର ଏବଂ ମନ୍ଦିରର ପରିଚ୍ଛା ଦୁର୍ଗା ଚରଣ ଜିତବାବୁ ପ୍ରମୁଖ ସେବାୟତମାନେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଆସନ୍ତା ୮ ଦିନ ମଧ୍ୟରେ ସମସ୍ତ ସୁବ୍ୟବସ୍ଥା କରାଇବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେବାୟତମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ୮ ଦିନ ମଧ୍ୟରେ କୌଣସି ବ୍ୟବସ୍ଥା କରାନଗଲେ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ ନାମରେ ହେଉଥିବା ନିମ୍ନମାନର କାର୍ଯ୍ୟ ଆଦିର ପ୍ରତିବାଦରେ ସେବାୟତମାନେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ରୁ ୧୨ ପର୍ଯ୍ୟନ୍ତ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି ତଥା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ମହାପ୍ରଭୂଙ୍କ ସେବାୟତ କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି । 

 

0
0
0
s2sdefault