ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ସ୍ଥିତ କୃଷି ବିଭାଗର କୃଷି ଓ କୃଷକ ସଶକ୍ତିକରଣ କାର୍ଯ୍ୟାଳୟ ପରିସରରେ ଜୈବିକ ପଦ୍ଧତିରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରି ଅଧିକ ଫସଲ ଉତ୍ପାଦନ କରିବା ଦିଗରେ ସମ୍ପୃକ୍ତ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।
କୃଷି ବିଭାଗ ଓ "ଆତ୍ମା" ସହାୟତାରେ ଏବଂ ଓଡିଶା ମିଲେଟ ମିଶନ ମାଧ୍ୟମରେ , ମିଶନର ସହଯୋଗକାରୀ ସଂସ୍ଥା ସିସିଡି ସହଯୋଗରେ ବାହାରିଥିବା ଏହି ସଚେତନତା ରଥକୁ ଗୁମ୍ମାବ୍ଲକ କୃଷି ଅଧିକାରୀ ଶ୍ରୀ ପବିତ୍ର କୁମାର ସେଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ମିଶନର ସହଯୋଗକାରୀ ସଂସ୍ଥା ତଥା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସିସିଡି" ଆନୁକୂଲ୍ୟରେ ଏହି ସଚେତନତା ରଥ , ଗୁମ୍ମା ବ୍ଲକର ମୋଟ ୧୭ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଆସନ୍ତା ୧୨ ଦିନ ପର୍ଯ୍ୟନ୍ତ ଜୈବିକ ପଦ୍ଧତି ସମେତ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ଚାଷୀ କିଭଳି ଅଧିକ ଫସଲ ଅମଳ କରି ଲାଭାନ୍ବିତ ହୋଇପାରିବ , ତାର ବିଭିନ୍ନ ଦିଗ ଉପରେ ମାଇକ ଯୋଗେ ଓ ବିଭିନ୍ନ ସଚେତନତା ମୂଳକ ପୋଷ୍ଟର ଓ ପ୍ରଚାର ପତ୍ର ବାଣ୍ଟି ଚାଷୀ ମାନଙ୍କ ସଚେତନ କରାଇବ । ଯଥା:- ଉନ୍ନତ ମାନର ମାଣ୍ଡିଆ ଚାଷ ସହ ଧାଡ଼ିରୁଆ ଓ ଧାଡ଼ିବୁଣା , ସଘନ ପ୍ରଣାଳୀରେ ଚାଷକାର୍ଯ୍ୟ , ଜୈବିକ ଖତସାର ଯଥା:-ହାଣ୍ଡିଖତ , ଜୀବମୁତରୁ ପ୍ରସ୍ତୁତି ପ୍ରଭୃତିର ବ୍ୟବହାର ଓ ଉପକାରୀତା ସମ୍ପର୍କରେ ଚାଷୀମାନଙ୍କର ସେମାନଙ୍କ ଆଞ୍ଚଳିକ ଭାଷାରେ ଲିଖିତ ପ୍ରଚାର ପତ୍ର , ପୋଷ୍ଟର ଓ ଗୀତ ମାଧ୍ୟମରେ ସଚେତନ କରାଇବାର ଯୋଜନା କରାଯାଇଛି । ଫଳରେ ଏହାଦ୍ୱାରା ଚାଷୀମାନେ କମ୍ ଖର୍ଚ୍ଚରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରି ଲାଭବାନ ହୋଇପାରିବେ ।
ଏହି କାର୍ଯ୍ୟକ୍ରମରେ ୱାସନର ଜିଲ୍ଲା ସଂଯୋଜକ ଶ୍ରୀ ସ୍ୱରୂପା ନନ୍ଦଙ୍କ ସମେତ କୃଷି ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ "ସିସିଡି" ଅନୁଷ୍ଠାନର ଗୁମ୍ମାବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।








