ହେଡଲାଇନସ୍:

   ପବିତ୍ର ରଥଯାତ୍ରା ଉପଲକ୍ଷେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

06-07-18-baripada-w.jpg - 51.83 kBବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଦେବୋତ୍ତର ବିଭାଗ ପକ୍ଷରୁ ରଥଯାତ୍ରା ସମନ୍ୱୟ କମିଟିର ସମ୍ପୃକ୍ତ ଲାଇନ ବିଭାଗୀୟ ପଦାଧିକାରୀ, ସଦସ୍ୟା, ସଦସ୍ୟାମାନଙ୍କୁ ନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକରେ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବ୍ରଜବନ୍ଧୁ ଭୋଳ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କୀତ କାର୍ଯ୍ୟସୂଚୀ ଉପସ୍ଥାପନ କରିବା ପରେ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସେହିପରି ବଡ଼ ଜଗନ୍ନାଥ ଓ ସାନ ଜଗନ୍ନାଥ ମନ୍ଦିର ମରାମତି, ରଙ୍ଗ, ଆଲୋକିକରଣ ଆଦି ବିଭିନ୍ନ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରାଇବାକୁ ସମ୍ପୃକ୍ତ ଲାଇନ ବିଭାଗୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।  ରଥଯାତ୍ରା ସମୟରେ ବଡ଼ଦାଣ୍ଡ ସହିତ ପୌରପରିଷଦର ସମସ୍ତ ୱାଡର଼୍ଗୁଡ଼ିକରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା, ଅପରାଧ ଓ ଟ୍ରାଫିକ ନିୟନ୍ତ୍ରଣ, ପୁଲିସ ବିଭାଗ ପକ୍ଷରୁ ଅସ୍ଥାୟୀ ଶିବିର ନିର୍ମାଣ, ମହିଳାମାନଙ୍କ ଦ୍ୱାରା ଦେବୀ ସୁଭଦ୍ରା ରଥ ଟଣା ସମୟରେ ଅଧିକ ମହିଳା ପୁଲିସ ମୁତୟନ, ସ୍ୱାସ୍ଥ୍ୟ ସେବା, ପରିମଳ ଓ ପରିବେଶ ଆଦି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଆମିଷ ଭୋଜନ ଓ ମଦ ବିକ୍ରୀ ଉପରେ କଟକଣା ଲଗାଯାଇଥିବା ସମୟରେ ହୋଟେଲ, ରେଷ୍ଟୋରାଣ୍ଟ, ଉଠାଦୋକାନଗୁଡ଼ିକରେ ଖାଦ୍ୟ ସାମଗ୍ରୀର ମାନ ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଥିଲା । ମହାପ୍ରଭୂମାନଙ୍କ ଘୋଷଯାତ୍ରା ଓ ବାହୁଡ଼ା ଯାତ୍ରା ଅବସରରେ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ବିିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇ ଥିଲା । ଚଳିତ ବର୍ଷ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ପହଣ୍ଡି ବିଜେ  ଜୁଲାଇ ୧୪, ରଥ ଟଣା ଜୁଲାଇ ୧୪ ଓ ୧୫ରେ ସମ୍ପନ୍ନ ହେଉଥିବା ବେଳେ ବାହୁଡ଼ା ପହଣ୍ଡି ବିଜେ ଜୁଲାଇ ୨୨ ଓ ରଥ ଟଣା ଜୁଲାଇ ୨୩ ଓ ୨୪ରେ ସମାପନ ହେବ । ତେଣୁ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଭକ୍ତ, ଜନସାଧାରଣ, ମନ୍ଦିରର ସେବାୟତ, ପରିଚ୍ଛା, ରଥ ମହାପାତ୍ର ଓ ମହାରଣା, ଜିଲ୍ଲାପ୍ରଶାସନର ସମସ୍ତ ବିଭାଗୀୟ ପଦାଧିକାରୀ, ଅଧିକାରୀ, ପୌରପ୍ରଶାସନ ପ୍ରମୁଖଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍, ବାରିପଦା ନଗରପାଳ ବବିତା ଦାସ, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବଦ୍ଧୁଲ ଆଖତାର, ସହକାରୀ ଜିଲ୍ଲାପାଳ ତଥା ଆଇଏଏସ ପ୍ରବେଶନର ହେମକାନ୍ତ ସାଏ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭୂବନାନନ୍ଦ ଜେନା, ଡ଼ିଆଇବି ଡ଼ିଏସପି ଦିଲ୍ଲୀପ କୁମାର ପଟେଲ, ସଦର ଏସଡ଼ିପିଓ ଅଭିମନ୍ୟୁ  ନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ଲାଇନ ବିଭାଗୀୟ ପଦାଧିକାରୀ, ଅଧିକାରୀ, ମନ୍ଦିରର ସେବାୟତ, ରଥ ମହାପାତ୍ର, ପରିଚ୍ଛା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜ ନିଜର ମତପୋଷଣ କରିଥିଲେ ।

0
0
0
s2sdefault