ବିଜେପୁର :-ଆଜି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବରଗଡ଼-ରାୟଗଡ଼ ରାସ୍ତାରେ ଆମ୍ବାଭୋନା ଠାରେ ଚାଷୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଧାନ ବିକ୍ରୟ ପାଇଁ ପଞ୍ଜୀକରଣ ବ୍ୟବସ୍ଥାକୁ ସହଜ ଓ ସରଳ କରିବା ।
ଚାଷୀମାନେ ଦାବି କରୁଛନ୍ତି ଯେ, ଯିଏ ଚାଷ କରିଛି ସେ ସ୍ୱଘୋଷଣା ନାମରେ ଧାନ କାର୍ଡ୍ ପ୍ରସ୍ତୁତ କରିପାରିବା ଉଚିତ। ଅନ୍ୟଥା ଅନେକ ଡକ୍ୟୁମେଣ୍ଟ ଦାବି କରିବା ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି।
ଗତକାଲି ମଧ୍ୟ ରାଜବୋଡସାମ୍ବାର କୃଷକ ସଂଗଠନର ପ୍ରତିନିଧି ମଣ୍ଡଳୀ ଓ ପଦ୍ମପୁର ଉପଜିଲ୍ଲାପାଳ ମଧ୍ୟରେ ଏହି ସମ୍ପର୍କରେ ଆଲୋଚନା ହୋଇଥିଲା। ସଂଗଠନ କହିଥିଲା ଯେ ପଞ୍ଜୀକରଣ ବ୍ୟବସ୍ଥାରେ ଅନେକ ତ୍ରୁଟି ଅଛି ଓ ଅତିରିକ୍ତ ଡକ୍ୟୁମେଣ୍ଟ ଦାବି କରାଯାଉଛି, ଯାହା ଚାଷ ଋତୁ ସମୟରେ ଏକ ଚାଷୀ ପାଇଁ ଦେବା ସମ୍ଭବ ନୁହେଁ।
ତେଣୁ ଆଜି ସକାଳ ୯ଟାରେ ନୂତନ ପଞ୍ଜୀକରଣ ନିୟମ ବିରୁଦ୍ଧରେ ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖିବାକୁ ମିଳିଲା। ସେମାନେ ଆମ୍ବାଭୋନା ଠାରେ ବରଗଡ-ରାୟଗଡ ରାସ୍ତାକୁ ଅବରୋଧ କରିଥିଲେ।
ପରେ ପ୍ରଶାସନ ପକ୍ଷରୁ ଆଶ୍ୱାସନ ମିଳିଲା ଯେ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ଓ କୌଣସି ଚାଷୀ ବଞ୍ଚିତ ହେବେ ନାହିଁ। ଏହା ପରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।