ହେଡଲାଇନସ୍:

ପ୍ରତିଭା ଉନ୍ମେଷରେ ଅର୍ଥବାଧକ ନୁହେଁ : ଜିଲ୍ଲାପାଳ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-07-18-jajjpur-NIT.jpg - 60.93 kB

ଯାଜପୁର, ଜୟଶଙ୍କର ଦାଶ:   ପ୍ରତିଭା ଉନ୍ମେଷରେ ଅର୍ଥ କେବେ ବାଧକ ହେବ ନାହିଁ । ତେଣୁ ପ୍ରତିଭାଧାରୀମାନେ ନିଜ ପ୍ରତିଭାକୁ ବିକଶିତ କରିବାରେ  ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଛନ୍ତି । ଦଶରଥପୁର ବ୍ଲକ ପଞ୍ଜରାସାହି ଗ୍ରାମର ସ୍ୱର୍ଗତ ରମାକାନ୍ତ ମହାନ୍ତିଙ୍କ ପୁତ୍ର ଗୋବିନ୍ଦ ମହାନ୍ତି । ପିତାଙ୍କ ଦେହାନ୍ତ ପରେ ମାତା ଲଳିତା ଦୁଇ ପୁଅ ଓ ଝିଅଙ୍କ ଦାୟିତ୍ୱ ସୁଚାରୁରୂପେ ନେଇ ନ ପାରିବାରୁ ଗୋବିନ୍ଦଙ୍କୁ ୨୦୦୫ ଅଗଷ୍ଟ ୨୦ ତାରିଖରେ ଯାଜପୁର ସହରସ୍ଥିତ ଉତ୍କଳ  ବାଳାଶ୍ରମଠାରେ ରଖିଥିଲେ । ବାଳାଶ୍ରମରେ ରହି ଗୋବିନ୍ଦ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ମେଟ୍ରିକରେ ଶତକଡା ୮୫ ଭାଗ, +୨ ବିଜ୍ଞାନରେ ୮୦ ଭାଗ ଓ ୨୦୧୫ରେ ଏନ୍ ସି କଲେଜରୁ +୩ ବିଜ୍ଞାନରେ ଶତକଡା ୯୦ଭାଗ ନମ୍ବର ପାଇ ଶ୍ରେଷ୍ଠ  ଗ୍ରାଜୁଏଟ ଭାବେ ସମ୍ମାନିତ ହୋଇଥିଲେ । ଅଭାବ ଅନାଟନ ମଧ୍ୟରେ ଥାଇ ମଧ୍ୟ ଗୋବିନ୍ଦ ନିଜର ଅଧ୍ୟବସାୟ ବଳରେ ଚଳିତ ବର୍ଷ ନାଗପୁର ସ୍ଥିତ ଏନ୍. ଆଇ.ଟି ରେ ପଦାର୍ଥ ବିଜ୍ଞାନରେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ସମସ୍ୟା ହୋଇଥିଲା ଯେତେବେଳେ ନାମଲେଖା ପାଇଁ ଅର୍ଥର ଅଭାବ ଦେଖାଦେଇଥିଲା । ଶିଶୁ କଲ୍ୟାଣ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଏହି ଘଟଣା ଆଣିବା ପରେ ଜିଲ୍ଲାପାଳ ଶ୍ରୀ ଦାସ ତୁରନ୍ତ ଗୋବିନ୍ଦଙ୍କ ପାଇଁ ରେଡକ୍ରସରୁ ୨୦ ହଜାର ଟଙ୍କା ମଞ୍ଜୁର କରିଥିଲେ । ଜିଲ୍ଲାପାଳ ଲିଡ଼ ବ୍ୟାଙ୍କ  ମ୍ୟାନେଜରଙ୍କୁ ତତ୍କ୍ଷଣାତ ଡକାଇ ଆବଶ୍ୟକୀୟ ୨ଲକ୍ଷ ୫୦ହଜାର ଟଙ୍କା ଷ୍ଟଡି ଲୋନ ହିସାବରେ ପ୍ରଦାନ କରିଥିଲେ । ଗୋବିନ୍ଦ ନାଗପୁର ଏନ୍.ଆଇ.ଟି ରେ ପଢିବା ପାଇଁ ପ୍ରସ୍ତୁତ ହେବାବେଳେ ଜିଲ୍ଲାପାଳ ଓ ପ୍ରଶାସନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଗୋବିନ୍ଦଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରୀତା ବେହେରା ସଦସ୍ୟ ଡା. ରୁଦ୍ର ନାରାୟଣ ପୃଷ୍ଟି, ହୃଷିକେଶ ପଣ୍ଡା, ଶୁଭ୍ରାଶୁଂ ରାୟ, ସୁବାଷ ଦେବତା, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ପ୍ରମୁଖ ସହଯୋଗ କରିଥିଲେ । 

 

 

0
0
0
s2sdefault