ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଗତକାଲି (ସୋମବାର ଦିନ) ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ଶ୍ରୀ ସାହା ୧୭ ଜାନୁଆରୀ ୨୦୧୮ ଠାରୁ ୨୮ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳ ଭାବରେ ଅନେକ କାର୍ଯ୍ୟ କରିଆସୁଥିଲେ । ଆସନ୍ତା କାଲି ଯଥା୩୦-୬-୨୦୨୧ ତାରିଖରେ ରାଜ୍ୟ ନିର୍ଦ୍ଦେଶକ , OSEPA ଭାବେ ଯୋଗ ଦେବାର ସୂଚନା ଅଛି ।
ଗଜପତି ଜିଲ୍ଲା ପ୍ରତିଷ୍ଠା ହେବା ଠାରୁ ସର୍ବାଧିକ ଯଥା ୩ ବର୍ଷ ୫ ମାସରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ସମୟରେ ଜିଲ୍ଲାରେ ହୋଇଥିବା "ତିତିଲି" ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟୟକୁ ମୁକାବିଲା କରିବାସହ କରୋନା ଭଳି ମହାମାରୀକୁ ଗତ ଦେଢ଼ବର୍ଷ ହେଲା ସାମ୍ନା କରି ଜିଲ୍ଲାବାସୀଙ୍କର ଅମୂଲ୍ୟ ଜୀବନକୁ ବହୁମାତ୍ରାରେ ସୁରକ୍ଷିତ ରଖି ପାରିଥିଲେ ।
ଏହି ସମୟ ମଧ୍ୟରେ "ଟିଚ୍ ଗଜପତି" କାର୍ଯ୍ୟକ୍ରମ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ନୀତି ଆୟୋଗ ଦ୍ୱାରା ପୁରସ୍କୃତ ହୋଇଥିଲେ ।
ଅନ୍ୟପକ୍ଷରେ ଜିଲ୍ଲାରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସ୍ଥାପନ କରି ୩୦ରୁ ଅଧିକା ଅନାଥ ଏବଂ ପରିତ୍ୟକ୍ତ ଶିଶୁଙ୍କୁ ପରିବାର ଦେବାରେ ସକ୍ଷମ ହୋଇଥିଲେ । ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଚନ୍ଦ୍ରଗିରିରେ ପାର୍କ, ସେରଙ୍ଗରେ ଟ୍ରାଇବଲ୍ ମ୍ୟୁଜିଅମ୍ ପ୍ରତିଷ୍ଠା କରିବା ସହ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଅଧିକ ଧ୍ୟାନ ଦେଇଥିଲେ ।
୨୦୨୦ ମସିହାରେ ଜିଲ୍ଲା ଓଡ଼ିଶା ଜୀବିକା ମିଶନ , ଜଳ ବିଭାଜିକା , ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଗଜପତି ଜିଲ୍ଲା ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଥିଲା ।
ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ମୁଖ୍ୟ ରାସ୍ତା ସଂପ୍ରସାରଣ , କବି ଗୋପାଳକୃଷ୍ଣ ପାଠାଗାର , ଶିଶୁ ଉଦ୍ୟାନ , ଅମ୍ଳଜାନ ପ୍ଲାଣ୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଇଣ୍ଡୋର ଷ୍ଟାଡିଅମ୍ ପ୍ରତିଷ୍ଠା ପାଇଁ ସ୍ଥାନ ନିରୁପଣ ଭଳି ବିଭିନ୍ନ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଜିଲ୍ଲାବାସୀଙ୍କର ବ୍ୟକ୍ତିଗତ ଅଭିଯୋଗ ଏବଂ ଆବଶ୍ୟକତା ଶୁଣି ତାକୁ ସମାଧାନ କରିବାରେ ମାହିର ଥିବା ଯୋଗୁଁ ଗଜପତି ଜିଲ୍ଲା ତାଙ୍କୁ ସବୁବେଳେ ମନେରଖିବ ।
ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ତପନ କୁମାର ପଟ୍ଟନାୟକ , ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରଞ୍ଜିତ , ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ଅନାମ ଚରଣ ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର , ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀଯୁକ୍ତ ସରୋଜ କୁମାର ବେହେରା ସହ ଜିଲ୍ଲାର ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ଗତ ୩ ବର୍ଷ ୫ ମାସର କାର୍ଯ୍ୟକାଳକୁ ସ୍ମୃତି ଚାରଣ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତ ଜୀବନର ଶୁଭକାମନା କରିଥିଲେ ।