ମୋହନା ବ୍ଳକର ଦୁର୍ଗମ ଗାଁଗୁଡିକରେ ନେଟୱାର୍କ ସୁବିଧା ନ ଥିବାରୁ ବାଧ୍ୟ ହୋଇ କେଉଁଠି ପାହାଡ଼ ଉପରେ ତ ଆଉ କେଉଁଠି ମଞ୍ଚା ତିଆରି କରି ୟୁଟ୍ଯବ ଲାଇଭରେ ପାଠ ପଢୁଛନ୍ତି ଛାତ୍ର/ଛାତ୍ରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ଗାଁଗୁଡିକରେ ନେଟୱାର୍କ ସୁବିଧା ନ ଥିବାରୁ ବାଧ୍ୟ ହୋଇ କେଉଁଠି ପାହାଡ଼ ଉପରେ ତ ଆଉ କେଉଁଠି ମଞ୍ଚା ତିଆରି କରି ୟୁଟ୍ଯବ ଲାଇଭରେ ପାଠ ପଢୁଛନ୍ତି ଛାତ୍ର /ଛାତ୍ରୀ।
ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହୁରୁଗୁଡା , ଜାମଲିଙ୍ଗ ଓ ଜାନାଖାଲ ଗାଁ ସମେତ ପ୍ରାୟ ୧୮ ରୁ ଉର୍ଦ୍ଧ୍ବ ଗାଁ ଗୁଡିକରେ ନେଟୱାର୍କ ସୁବିଧା ନଥିବାରୁ ଛାତ୍ର /ଛାତ୍ରୀମାନେ ବାଧ୍ୟ ହୋଇ ଗାଁଠାରୁ ପ୍ରାୟ ୫ ରୁ ୮ କିଲୋମିଟର ଦୂର ବାପିଗଣ୍ଡା ପାହାଡ଼ ଉପରକୁ ଆସି ପାଠ ପଢୁଥିବା ବେଳେ ଜିଲ୍ଲାର ରା.ଉଦୟଗିରି ବ୍ଲକ ରାମଗିରି , ମଙ୍ଗରାଜପୁର ଓ ସୁଭଲଡ଼ା ପଞ୍ଚାୟତର ଅଧିକାଂଶ ଗାଁରେ ନେଟୱାର୍କ ନଥିବାରୁ ଛାତ୍ର/ ଛାତ୍ରୀମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମଙ୍ଗରାଜପୁର ପଞ୍ଚାୟତ ତରଳସିଂ ଗାଁରେ ନେଟୱାର୍କ ନ ଥିବାରୁ ବିଭିନ୍ନ ଅଞ୍ଚଳର ପିଲାମାନେ ମିଶି ଜଙ୍ଗଲରୁ କାଠ , ବାଉଁଶ ଆଣି ନେଟୱାର୍କ ଆସୁଥିବା ସ୍ଥାନରେ ଏକ ମଞ୍ଚା ତିଆରି କରି ପାଠ ପଢୁଛନ୍ତି। ବର୍ଷା , ପବନ , କାଳବୈଶାଖୀ ହେଲେ ନେଟୱାର୍କ ବନ୍ଦ ହେବା ସହ ପାଠପଢ଼ା ମଧ୍ୟ ବନ୍ଦ। ଅଧିକାଂଶ ଛାତ୍ର/ଛାତ୍ରୀଙ୍କ ପିତା ମାତା ଗରୀବ ଶ୍ରେଣୀର ହୋଇଥିବାରୁ ନିଜ ପିଲାମାନଙ୍କୁ ମୋବାଇଲ ଯୋଗାଇ ପାରୁନାହାନ୍ତି । ତେଣୁ ଗୋଟିଏ ମୋବାଇଲରେ ୪ ରୁ ୫ ଜଣ ଲେଖାଏଁ ଛାତ୍ର /ଛାତ୍ରୀ ମିଶି କରି ପାଠ ପଢୁଛନ୍ତି । ବର୍ଷା ପବନ ହେଲେ ପାଠ ପଢା ବନ୍ଦ ହୋଇଯାଉଛି ।