ହେଡଲାଇନସ୍:

ଲୋକଙ୍କ କଥାକୁ ନଜର ଅନ୍ଦାଜ କରୁଥିଲେ, ବିଭାଗୀୟ ନିର୍ଦ୍ଦେଶ ପରେ ଏବେ ମାନିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଶାସକ ପ୍ରଶାସକ"ର ଛୋଟିଆ ପ୍ରୟାସ : ତ୍ରୁଟିପୂର୍ଣ୍ଣ କାମ ସୁଧାରିବାକୁ ଠିକାଦାରଙ୍କୁ ଆଦେଶ 

ପଦ୍ମପୁର- ଲୋକଙ୍କ କଥାକୁ ନଜର ଅନ୍ଦାଜ କରି ଦେଇଥିଲେ | ହେଲେ "ଶାସକ ପ୍ରଶାସକ"ରେ ଖବର ବାହାରିବା ପରେ ତାକୁ ସେ ସମ୍ପର୍କିତ ଏକ ଟୁଇଟକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ | ଖବର ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ ତାଗିଦ କରାଯିବା ପରେ ପ୍ରକାଶିତ ଖବରର ସତ୍ୟତାକୁ ସ୍ୱୀକାର କରିବା ସହ ତ୍ରୁଟି ସୁଧାରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ନିର୍ବାହୀ ଯନ୍ତ୍ରୀ  ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗଙ୍କୁ ତାଙ୍କ ଟିପରଟାରେ ପ୍ରତିଶ୍ରୁତି ଦେଇଛନ୍ତି |

 ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଉଲି ଠାରେ ଥିବା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ପୋଲ ନିର୍ମାଣ କରାଯାଉଛି । ଏହି ପୋଲ ନିର୍ମାଣ ହେବା ଦ୍ବାରା ଚାରପାଲି ଏବଂ କନସିଂହା ପଞ୍ଚାୟତର ଜନସାଧାରଣ ସହଜରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ଯାହାର ନିର୍ମାଣ ଭାର ଏଲଏନଆଇସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ଦିଆ ଯାଇଛି। ୨୪୫.୦୪ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ପୋଲର ମୂଲ୍ୟ ରହିଛି ୧୦୪୪.୮୫ ଲକ୍ଷ ଟଙ୍କା । ନିର୍ମାଣର ଅଳ୍ପ କିଛି ଦିନ ମଧ୍ୟରେ ଅଛରାଏ ବର୍ଷା ହେବା ଫଳରେ ସାଇଟ କାନ୍ଥ ପ୍ୟାକିଙ୍ଗରେ ନିମ୍ନ ମାନର କାମ ଯୋଗୁଁ ମାଟିଦବି ଯିବା ସହ ରାସ୍ତାରେ ଫାଟ ହୋଇଯାଇଥିବା ଦେଖିବାକୁ ମିଲିଥିଲା । ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଏପରି ଅବ୍ୟବସ୍ଥା ତ ଯଦି ନଇରେ ବନ୍ୟା ଜଳ ପ୍ରବାହିତ ହୁଏ ତେବେ ପୋଲ ରହିବ ନା ଧୋଇ ହୋଇ ଯିବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଠିକାଦାର, ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ମାନେ ଅତି ନିମ୍ନ ମାନର କାମ କରୁଛନ୍ତି ଏବଂ ହାତ ଗୁଞ୍ଜା ପାଇଗଲେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ ରହୁଛନ୍ତି ବୋଲି ଲୋକମାନେ ଅଭିଯୋଗ କରି ଆସୁଥିଲେ । ଲୋକଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କିଛି ଅସାଧୁ ଠିକାଦାର ଓ କର୍ମଚାରୀ ମାନଙ୍କ ଯୋଗୁଁ ତାହା ଲୋକଙ୍କ ପଖରେ ପହଞ୍ଚି ପାରୁନାହିଁ । ଅନ୍ୟପଟେ ନିମ୍ନ ମାନର କାମ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜନସାଧାରଣ ଅଭିଯୋଗ କଲେ ଲୋକ ମାନଙ୍କୁ ଭୁଆଁ ବୁଲେଇ ଚୁପ କରେଇ ଦେଉଥିବା ଅଭିଯୋଗ ହେବାପରେ "ଶାସକ ପ୍ରଶାସକ"ରେ ଖବର ପରିବେଷଣ ହୋଇଥିଲା । ଖବର ପରିବେଶଣ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ତଦନ୍ତ ରିପୋର୍ଟ ଆସିବା ପରେ ଏହି ପୋଲ ନିର୍ମାଣ କରିଥିବା ଠିକା ସଂସ୍ଥାକୁ ଆଉଥରେ ଏହି କାମ କରିବାକୁ  ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମୟଚିତ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସର୍ବୋପରି ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଧିବାସୀ ଧନ୍ୟବାଦ ଜଣାଇଛନ୍ତି |

0
0
0
s2sdefault