କୋଭିଡ୍ -୧୯ସହିତ ଲଢିବା ପାଇଁ ଟ୍ରିକଲ ଅପ୍ ଅତ୍ୟଧିକ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ , ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ କରିଛି |
ଟିଟିଲାଗଡ ( ଗୌରବ ଦର୍ଜୀ)-କୋଭିଡ୍ -୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମଗ୍ର ଭାରତରେ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ସହିତ ଏକ ମାରାତ୍ମକ ମୋଡ଼ ନେଇଛି । ଏହି ମହାମାରୀ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉଭୟ ଧନୀ ଏବଂ ଗରିବ ଲୋକଙ୍କୁ ସମାନ ଭାବରେ ପ୍ରଭାବିତ କରିଥଲେ ମଧ୍ୟ ଗ୍ରାମାଞ୍ଚଳର ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ, ସାମାଜିକ ଏବଂ ଆର୍ଥିକ ଧକ୍କା ସହ୍ୟ କରିବାର ଶକ୍ତି ଅତ୍ୟନ୍ତ କମ୍ ଥିବାରୁ ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି | ବହୁସଂଖ୍ୟାରେ ଏହି ବର୍ଗର ଲୋକମାନେ ନିଜର ଜୀବିକା ହରାଇଛନ୍ତି। ଖାଦ୍ୟ କିମ୍ବା ଔଷଧ କିଣିବା ପାଇଁ ପାଖରେ ଟଙ୍କା ନଥିବାରୁ ବର୍ତ୍ତମାନ ସେମାନେ କୋଭିଡ୍ -୧୯ ମାରାତ୍ମକ ରୋଗରେ ସଂକ୍ରମଣ ହେବାର ବହୁତ ଅଧିକ ସମ୍ଭାବନା ରହିଛି ।
ଏହି ସମସ୍ୟାଗୁଡିକର ସମାଧାନ ପାଇଁ ଟ୍ରିକଲ୍ ଅପ୍ ଏକ ରିଲିଫ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି ଯାହାଦ୍ୱାରା ଜୀବିକା ହରାଇଥିବା ଓ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତାଠାରୁ ବଞ୍ଚିତ ଥିବା ଅତ୍ୟଧିକ ଗରିବ ସମ୍ପ୍ରଦାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ , ବିହନ ଏବଂ ସ୍ୱଚ୍ଛତା କିଟ୍ ପ୍ରଦାନ କରାଯାଇଛି | ଅତ୍ୟଧିକ ଗରିବ ତଥା ଅସୁରକ୍ଷିତ ଲୋକଙ୍କୁ ସାହାଯ୍ୟ ପହଞ୍ଚାଇବାପାଇଁ ଟ୍ରିକଲ୍ ଅପ୍ ଏବଂ ତାହାର ସହଭାଗୀ ସଂଗଠନ ମିଳିତ ଭାବରେ ଏହି ରିଲିଫ କାର୍ଯ୍ୟ କରିଛନ୍ତି| ଏହି ରିଲିଫ କାର୍ଯ୍ୟ ଦ୍ଵାରା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୁରିଵହଲ ବ୍ଲକର ୬ ଗ୍ରାମ ପଞ୍ଚାୟତର ଅତି ଗରିବ ସମ୍ପ୍ରଦାୟର ୧୦୦ଟି ପରିବାର ଉପକୃତ ହେଇଛନ୍ତି|
ଏହି ରିଲିଫ୍ ସହାୟତା କାର୍ଯ୍ୟକ୍ରମ ବିଷୟରେ ଜଣାଇବାକୁ ଯାଇ ଟ୍ରିକଲ୍ ଅପ୍ ର ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ ବର୍ମା କହିଚନ୍ତି ଯେ କୋଭିଡ-୧୯ ମହାମାରୀର ଏହି ଦ୍ୱିତୀୟ ତରଙ୍ଗ ଆମ ସମସ୍ତଙ୍କ ଉପରେ ବହୁତ ପ୍ରତିକୂଳ ପ୍ରଭାବ ପକାଇଛି | ଟ୍ରିକଲ୍ ଅପ୍ ଏପରି ଏକ ସଂସ୍ଥା ଯିଏ ଅତ୍ୟଧିକ ଗରିବ ସମ୍ପ୍ରଦାୟର ପରିବାରଙ୍କ ସହିତ ସେମାନଙ୍କର ଭଲ ଓ ଖରାପ ସମୟରେ ସଦା ସର୍ବଦା ଛିଡାହୋଇ ଆସିଛି। ଏହି ମହାମାରୀ ସମୟରେ ମଧ୍ୟ ଆମେ ସେମାନଙ୍କୁ ଆବଶ୍ୟକ ଜରୁରୀ ସହାୟତା ପ୍ରଦାନ କରିବାକୁ ସ୍ଥିର କରିଛୁ । ଏତିକି ନୁହେଁ ଆମେ ସେମାନଙ୍କ ଭବିଷ୍ୟତ ବିଷୟରେ ମଧ୍ୟ ଚିନ୍ତା କରୁଛୁ | ଆମେ ବର୍ତ୍ତମାନ ସରକାରଙ୍କ ସହାୟତା ଯୋଜନାରେ ସେମାନଙ୍କୁ ପ୍ରାଥମିକତା ଦେବା ପାଇଁ ଉଦ୍ୟମ କରୁଛୁ ।
ଜୁଲାଇ୧୧ ଓ ୧୨ ତାରିଖରେ ମୁରିଵହଲ ବ୍ଲକର ଲେଵେଡା, ବିଟାବନ୍ଧ , ମାଲିଶିରା ଏବଂ ଡଙ୍ଗରପଡ଼ା ରେ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୦ ଜଣ ଗରିବ ମହିଳାଙ୍କୁ ଏହି କିଟ୍ ଗୁଡିକ ବଣ୍ଟନ କରାଯାଇଥିଲା । ଶୁଖିଲା ରାସନ କିଟ୍ ରେ ଚାଉଳ, ଡାଲି, ରନ୍ଧନ ତେଲ, ସୋୟାବିନ୍, ଗୁଡ, ଲୁଣ, ଏବଂ ମସଲା ଭଳି ଦରକାରୀ ରାସନ ଦିଆଯାଇଥିଲା । ଏବଂ ସ୍ୱଚ୍ଛତା କିଟ୍ ଗୁଡିକରେ ପୁନଃ ବ୍ୟବହାର ଯୋଗ୍ୟ କପଡା ମାସ୍କ, ସାନିଟାରୀ ପ୍ୟାଡ୍, ସାନିଟାଇଜର, ଡିଟରଜେଣ୍ଟ ଏବଂ ସାବୁନ୍ ପ୍ରଦାନ କରଯାଇଥିଲା ଯାହାଦ୍ଵାରା ସେମାନେ ନିଜକୁ କାରୋନା ଜୀବାଣୁଙ୍କଠାରୁ ରକ୍ଷା କରିପାରିବେ। ତାହା ସହିତ ସେମାନଙ୍କର ଜୀବିକାର ପୁନରାରମ୍ଭ କରିବାପାଇଁ ସେମାନଙ୍କୁ ବିହନ କିଟ୍ ମଧ୍ୟ ଯୋଗାଇ ଦିଆଯାଇଛି । ଯାଦ୍ଵାରା ସେମାନେ ନିଜ ନିଜର ମୋ ଉପକାରୀ ବଗିଚାରେ ଏହି ବିହନ ଦ୍ଵାରା ପନିପରିବା ଚାଷ କରି ନିଜ ପରିବାରପାଇଁ ପୃଷ୍ଟିକର ଖାଦ୍ୟର ଯୋଗାଣ ସହିତ ଜୀବକା ଉପାର୍ଜନ କରିପାରିବେ ।
ଏହା ବ୍ୟତୀତ ଟ୍ରିକ୍ ଅପ୍ ସାମାଜିକ ସଂଗଠନ ନିଧି ସହିତ ମିଳିତ ଭାବରେ ସଚେତନତା ସୃଷ୍ଟି କରିବା ପାଇଁ ବହୁତ ପଦକ୍ଷେପ ନେଇଛି । ହାତ ଧୋଇବା ଏବଂ ଉତ୍ତମ ସ୍ୱଚ୍ଛତା ଠାରୁ ଆରମ୍ଭ କରି ସାମାଜିକ ଦୂରତା ପର୍ଯ୍ୟନ୍ତ ତଥା ଅତ୍ୟଧିକ ଗରିବ ସମ୍ପ୍ରଦାୟ ଲୋକଙ୍କର ଟୀକାକରଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହିତ ସେମାନଙ୍କର ଟୀକାକରଣ ସୁନିଶ୍ଚିତ କରିବା ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଆଗାମୀ କିଛି ସପ୍ତାହ ମଧ୍ୟରେ ଟ୍ରିକ୍ ଅପ୍ ର ରିଲିଫ୍ ପ୍ରୟାସ ଜାରି ରହିବ ଏବଂ ଅତ୍ୟଧିକ ଗରିବ ସମ୍ପ୍ରଦାୟର ହଜାର ହଜାର ପରିବାର ଏହି ରିଲିଫ୍ ଅପରେସନ୍ ଦ୍ୱାରା ଉପକୃତ ହେବେ |
ଏହି ରିଲିଫ୍ କାର୍ଯକ୍ରମ କୁ ଓଡ଼ିଶା ଜୀବିକା ମିଶନ ର କର୍ମୀ, ପଞ୍ଚାୟତ ସରପଞ୍ଚ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧି ର କର୍ମକର୍ତ୍ତା ମାନେ ମିଳିତ ଭାବେ ସଞ୍ଚାଳନ କରୁଥିଲେ I