ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗୁରୁବାର ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସମଗ୍ର ବିଶ୍ୱରେ ଶ୍ରୀବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିବା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଭକ୍ତମାନଙ୍କ ମଧ୍ୟରେ ଖ୍ୟାତିଲାଭ କରିଥିବା ବାରିପଦା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ମହାପ୍ରଭୂମାନଙ୍କର ରୀତିନୀତି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିଲା । ଜୁନ ୨୭ ବୁଧବାର ଚକାଛଡ଼ା ଓ ଅଁଳା ଭେଟି ପରେ ଚତୁର୍ଦ୍ଧାମୂର୍ତ୍ତି(ମହାପ୍ରଭୂ ଜଗନ୍ନାଥ ଓ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭ୍ୟ ସୁଦର୍ଶନ) ଭୋଗ ମଣ୍ଡପରେ ରାତ୍ରି ଯାପନ କରିଥିଲେ । ଗୁରୁବାର ପ୍ରତ୍ୟୁଷ ୪ଟା ସମୟରେ ମନ୍ଦିରର ଦ୍ୱାର ଖୋଲାଯାଇ ମହାପ୍ରଭୂମାନଙ୍କୁ ନିଦ୍ରାରୁ ଉଠାଯାଇଥିଲା । ଏହାପରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ମହାପ୍ରଭୂଙ୍କ ଆଜ୍ଞାମାଳ ପାଇ ମଙ୍ଗଳ ଆଳତୀ, ମାଦିଳା କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାପ୍ରଭୂମାନେ ସ୍ନାନ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ ହେବା ପରେ ଗଙ୍ଗାମାତାଙ୍କୁ ଆବହନ, ପଞ୍ଚାମୃତ ସଦନ ହୋଇ ସ୍ନାନ ଆରମ୍ଭ କରିଥିଲେ । ୧୦୮ କଳସ ସୁବାସିତ ଜଳରେ ମହାପ୍ରଭୂମାନଙ୍କୁ ସକାଳ ସାଢେ଼ ୫ଟା ମଧ୍ୟରେ ସ୍ନାନ କାର୍ଯ୍ୟ ଶେଷ ହେବା ପରେ ଚନ୍ଦନ, ପୁଷ୍ପ, ତୁଳସୀ ଆଦି ବେଶରେ ସୁସଜ୍ଜିତ କରାଯିବା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, , ଅବକାଶ ନୀତିଗୁଡ଼ିକ ସମାପନ କରାଯାଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହଣମେଲା ଆରମ୍ଭ ହୋଇଥିଲା । ଏହାପରେ ରାତି ୧୦ଟାରେ ଠା ନୀତି, ଗଜାନନବେଶ ଓ ମଙ୍ଗଳା ଆଳତୀ ହୋଇ ରାତ୍ରର ସମସ୍ତ ନୀତି ସମାପନ କରାଯାଇଥିଲା । ଏହାପରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ଅଁଳା ଭେଟି ମହାପ୍ରଭୂଙ୍କ ନିକଟରେ ଲାଗି କରାଇବା ପରେ ବେଶ ଖୋଲାଯାଇଥିଲା ଓ ମହାପ୍ରଭୂ ଗୋଟି ପହଣ୍ଡିରେ ଅଣସରଗୃହକୁ ବିଜେ ହୋଇଥିଲେ । ଶେଷରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଅଭିମାନ ଭରା ଗୀତ ଗୋବିନ୍ଦ ପାଠ କରାଯାଇଥିଲା ଓ କର୍ପୁର ଆଳତୀ ହୋଇ ଅନ୍ତ ବାସୁଦେବ ମନ୍ଦିରରେ ଦହି ଭେଟି ସମାପନ ପରେ ଅଣସର ନୀତି ଆରମ୍ଭ ସହ ସିଂହଦ୍ୱାର କବାଟ ବନ୍ଦ ହୋଇଯାଇଥିଲା । ୧୫ ଦିନ ଧରି ଠାକୁର ଅଣସରଗୃହରେ ଅବସ୍ଥାନ କରୁଥିବା ହେତୁ ଏହି ସମୟ ମଧ୍ୟରେ ମନ୍ଦିରରେ ପଟି ଦେବତା ପୂଜା ପାଇବେ । ମହାପ୍ରଭୂମାନଙ୍କ ଗଜାନନ ବେଶକୁ ନେଇ ବିଭିନ୍ନ ଗ୍ରନ୍ଥରେ ଉଲ୍ଲେଧ ରହିଛି, ଗଣପତି ଭଟ୍ଟ ନାମରେ ଜଣେ ଗଣେଶ ଭକ୍ତ କଳିଙ୍ଗରେ ଶ୍ରଜଗନ୍ନାଥଙ୍କ ନାମରେ ଶ୍ରୀଗଣେଶ ପୂଜାଚର୍ଚ୍ଚନା ପାଉଥିବାର ଜାଣିବାକୁ ପାଇ ମହାପ୍ରଭୂଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଦର୍ଶନ କରିବା ନିମନ୍ତେ ଆସି ଜଗନ୍ନାଥଙ୍କ ନିକଟରେ ଗଣେଶଙ୍କର କୌଣସି ସଙ୍କେତ ଦେଖି ନ ପାରି ଫରିଯାଉଥିବା ସମୟରେ ଶ୍ରୀଗଣେଶଙ୍କ ଶୂନ୍ୟବାଣୀ ପାଇ ଫେରି ଆସି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗଣେଶ ରୂପରେ ଅବସ୍ଥାନ କରୁଥିବାର ଦେଖିବାକୁ ପାଇ ତାଙ୍କୁ ଈଷ୍ଟ ବୋଲି ଜାଣି ଆରାଧନା କରିଥିଲେ । ତେଣୁ ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ମହାଗଣପତି, ବଳଭଦ୍ର ଖଦିର ଗଣପତି ଓ ସୁଭଦ୍ରା ମାତଙ୍ଗୀ ବେଶ ଧାରଣ କରିନ୍ତି । ଏହିପରି ବାରିପଦା ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୂଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ ।
ମହାପ୍ରଭୂଙ୍କ ଏହି ଦିବ୍ୟସ୍ନାନ ଦର୍ଶନ ନିମନ୍ତେ ବାରିପଦା ବଡ଼ଦାଣ୍ଡ ହୋଇଉଠିଥିଲା ଚଳଚଞ୍ଚଳ । ଶହଶହ ଭକ୍ତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସି ମହାପ୍ରଭୂଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଥିଲା ।












