ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର କେନ୍ଦ୍ରସ୍ଥଳି ଗାନ୍ଧୀପାର୍କ ଓ ପାର୍କକୁ ଲାଗିଥିବା ବଡ଼ ପୋଖରୀ ଆଡ଼ି ସହ ଅଷ୍ଟଲିଙ୍ଗେଶ୍ୱର ପକ୍ଷୀ ବିହାର ଭିତରେ ରହିଥିବା ଗଛଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ବାଦୁଡ଼ି ରହିଥାନ୍ତି । ଗ୍ରୀଷ୍ମ ଋତୁରେ ତାପମାତ୍ରାରେ ବୃଦ୍ଧି ଘଟିଲେ ଏହି ବାଦୁଡ଼ିମାନେ ଗରମକୁ ସହି ନ ପାରି ଗଛରୁ ପାଚିଲା ଫଳ ଭଳି ତଳକୁ ଖସି ପଡ଼ନ୍ତି । ଉକ୍ତ ବାଦୁଡ଼ିଗୁଡ଼ିକୁ କେତେକ ହିଂସ୍ର ମଣିଷ ଏମାନଙ୍କୁ ନେଇ ତାର ମାଂସକୁ କାଟି ଖାଉଥିବା ବେଳେ ଅନ୍ୟ କେତେକ ପ୍ରତି କିଲୋଗ୍ରାମ ପିଛା ଏକ ହଜାରୁ ଟଙ୍କାରୁ ଆରମ୍ଭ କରି ୨/୩ ହଜାର ଟଙ୍କାରେ ମାଂସକୁ ବିକ୍ରି କରିଥାନ୍ତି । ଏବିଷୟରେ ଖବର ପ୍ରକାଶ ପାଇବା ପରେ ବାରିପଦା ପୌରପରିଷଦର ପୂର୍ବତନ ଉପନଗରପାଳ ତଥା ସବୁଜ ସୁନ୍ଦର ବାରିପଦାର କନଭେନର ଜିତେନ୍ଦ୍ର ମହାନ୍ତି ଅଗ୍ନିଶମ ବିଭାଗ ସହଯୋଗରେ ବାଦୁଡ଼ିମାନେ ବସବାସ କରୁଥିବା ଗଛଗୁଡ଼ିକରେ ପାଣି ସ୍ପ୍ରେ କରାଇଥିଲେ । ଏହି ସମୟରେ ବନ ବିଭାଗର କର୍ମଚାରୀ ମଧ୍ୟ ପହଁଞ୍ଚି ସହଯୋଗ ପ୍ରଦାନ କରିଥିଲେ । ଗଛଗୁଡ଼ିକରେ ପାଣି ସ୍ପ୍ରେ କରାଯିବା ପରେ ବାଦୁଡ଼ିଗୁଡ଼ିକ ଥଣ୍ଡା ପାଇ ଆରାମରେ ରହିଥିବାର ଦେଖିବାକୁ ମିଳିଥିଲା ଏବିଷୟରେ ପୂର୍ବତନ ଉପନଗରପାଳ ଶ୍ରୀମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ପରିବେଶର ସନ୍ତୁଳନ କ୍ଷେତ୍ରରେ ବାଦୁଡ଼ିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ଅବାଧ ଶିକାର କାରଣରୁ ଏମାନଙ୍କ ସଂଖ୍ୟା ବିନକୁ ଦିନ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । ଏଣୁ ଏହି ନିରୀହ ପ୍ରାଣୀମାନଙ୍କର ସୁରକ୍ଷା ଜରୁରୀ ହୋଇ ପଡ଼ିଛି । ବାଦୁଡ଼ିମାନେ ପ୍ରବଳ ଖରାକୁ ସହି ପାରନ୍ତି ନାହିଁ । ଏଣୁ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପାଣିସ୍ପ୍ରେ କରାଇବା ଏମାନଙ୍କର ଜୀବନକୁ ସୁରକ୍ଷିତ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମହାନ୍ତି ପ୍ରକାଶ କରିଛନ୍ତି ।