ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହା ତୋଫାନୀ ଗ୍ରସ୍ତରେ ମୋହନା ବ୍ଳକର ଲୁହାଗୁଡ଼ି ପଞ୍ଚାୟତ ଅନ୍ତର୍ଗତ କମଳାପୁର ଛକ ନିକଟରେ ରହିଥିବା ନାକା ଗେଟରେ ପହଞ୍ଚି ବାହାର ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ କରୋନା ସମ୍ବନ୍ଧୀୟ ଲକ୍ଷଣ (ସାଟିଫିକେଟ୍) କଡ଼ାକଡ଼ି ଭାବେ ଯାଞ୍ଚ କରିବା , କରୋନା ପଜିଟିଭ ଥିଲେ ହୋମ ଆଇସୋଲେସନ୍ ରହିବା ପାଇଁ ପରାମର୍ଶ ଦେବା , ପ୍ରବାସୀମାନଙ୍କ ପଞ୍ଜିକରଣ କରିବା ଓ ନିକଟରେ ରହିଥିବା ଆଇସୋଲେସନ ଗୃହକୁ ବୁଲି ଦେଖିଥିଲେ।
ତାପରେ କାଳିଆପଟ୍ଟା ଗ୍ରାମ ନିକଟରେ ରହିଥିବା ଚନ୍ଦ୍ରଗିରି ଆଇଟିଆଇ (ITI) କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରିଥିଲେ। କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା କୋଠରୀ , ପାନୀୟ ଜଳର ସୁବିଧା , ଅକ୍ସିଜେନ୍ ଗୃହ ଓ କୋଠରୀ ଗୁଡ଼ିକର ପରିସ୍କାର ପରିଛନତା ବୁଲି ଦେଖିଥିଲେ। ମୋହନା ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ କଲ୍ୟାଣୀ ସଙ୍ଘ ମିତ୍ରା ଦେବୀ , ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡ. ଅମୃତରାଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।