କଳାହାଣ୍ଡି: ତୁଳମଣି ନାଗ: ଭବାନୀପାଟଣା ଦୁଇ ଦିନ ତଳେ ମାଓବାଦୀ ଗତିବିଧି ନେଇ ପୋଲିସ ଡିଜି କଳାହାଣ୍ଡି ଗସ୍ତ କରି ଏକ ସମୀକ୍ଷା ବୈଠକ ସାରିଥିବା ବେଳେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଟେଲେମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ ବିଭାଗକୁ ସୂଚନା ମିଳିଥିଲା । ଏନେଇ ଏସ.ଓ.ଜି. ର ଚାରି ୟୁନିଟ ଗତ ୨୨ ତାରିଖରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । କମ୍ବିଂ ସମୟରେ ପୋଲିସ ବିଭାଗ ଦ୍ବାରା ମାଓବାଦୀ ଙ୍କୁ ଠାବ କରାଯିବା ପରେ, ଆତ୍ମ ସମର୍ପଣ କରିବା ନିମନ୍ତେ ଅନୁରୋଧ କରାଯାଇଥିଲେ ସତ୍ତେ ମାଓବାଦୀଙ୍କ ପକ୍ଷରୁ ଏସ.ଓ.ଜି. ଉପରକୁ ପ୍ରଚୁର ମାତ୍ରାରେ ଗୁଳି ଚାଳନା କରାଯାଇଥିଲା, ଏହି ଗୁଳି ବିନିମୟରେ ଜନୈକା ମହିଳା କ୍ୟାଡର ମାଓବାଦୀ ନିହତ ହୋଇଥିଲେ । ଯାହାଙ୍କ କ୍ୟାଡ଼ର ମହିଳାଙ୍କ ପରିଚୟ ମାନା ମାଝୀ ଓରଫ ନମିତା ବୋଲି ଜଣା ପଡ଼ିଛି । ସେ କେ.କେ.ବି.ଏନ. ସଙ୍ଗଠନର ଏରିଆ କମିଟି ସଦସ୍ୟ ଭାବେ ସକ୍ରିୟ ଭୂମିକା ସମ୍ପାଦନା କରୁଥିଲେ ।
କମ୍ବିଂ ସମୟରେ ମାଓବାଦୀ ଛତ୍ରଭଙ୍ଗ ଦେଇ, ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାୟନ କରିଥିଲେ । ତେବେ ଏହି କମ୍ବିଂ ଅପରେସନ ରେ କିଛି ମାଓବାଦୀ ଗଭୀର ଆଘାତ ପାଇଥିବା ପୋଲିସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କମ୍ବିଂ ଅପରେସନ ରେ ଏସ.ଓ.ଜି. ବାହିନୀ ୧୪ ଗୋଟି ଜିବନ୍ତ ଗୁଳି, ୨ଟି ଗୁଳିର ଖୋକା, ୨ଟି ଟିଫିନ ବୋମା, ବ୍ୟାଟେରୀ, କିଛି ରୋଷେଇ ପାଇଁ ବ୍ୟବହୃତ ବାସନ କୁସନ, ୪ ଟି ପାଣି ଜାର, ଛତା, କିଛିଔଷଧ, ସୋଲାର ପ୍ଲେଟ, ମାଓବାଦୀ ପତ୍ରିକା, ମାଓବାଦୀ ପୋଷାକ ଓ ଚାରି ହଳ ଚପଲ ଜବତ କରିଛନ୍ତି ।
ଭବାନୀପାଟଣା ରିଜର୍ଭ ବାଟାଲିୟନ, ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡି.ଆଇ.ଜି. ଶ୍ରୀ ରାଜେଶ ପଣ୍ଡିତ ଓ କଳାହାଣ୍ଡି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଡାକ୍ତର ଶର୍ବଣା ବିବେକ ଏମ, କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ଏସ. ସୁଶ୍ରୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି ।