ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କୁ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)- ବିଭିନ୍ନ ସରକାରୀ ବିଭାଗର ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ସମସ୍ୟା ଘେର ରେ ଘଣ୍ଟି ହେଉଛନ୍ତି ସମ୍ବଲପୁରବାସୀ । ସାତ ବର୍ଷ ରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ ସମ୍ବଲପୁର ସହର ମଧ୍ୟର ଫ୍ଲଏ ଓଭର ବ୍ରିଜ । କାର୍ଯ୍ୟର ଗୁଣବତ୍ତା ଓ ଶୀଘ୍ର ତ୍ୱରାନ୍ୱିତ ପାଇଁ ବାରମ୍ବାର ଆପତ୍ତି ଅଭଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିଷ୍କ୍ରିୟ । ପରିମଳ ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ମହାନଗର ଅଞ୍ଚଳରେ ଯେଉଁଠି ଦେଖିଲେ କୁଢ଼ କୁଢ଼ ମଇଳା ଓ ସମସ୍ତ ନାଳୀ ଜାମ । ସ୍ୱିରେଜ ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ସମ୍ବଲପୁର ସହରର ସମସ୍ତ ରାସ୍ତା ର ଅବସ୍ଥା ତ କହିଲେ ନସରେ । ଅମୃତ ଯୋଜନା ର ପାଇପ ଲାଇନ ବିଛା କାର୍ଯ୍ୟ ରେ ଜନ ସ୍ଵାସ୍ଥ୍ୟ ବିଭାଗ ର ଠିକାଦାର ଙ୍କ ଖାମଖିଆଳି କାମ ପାଇଁ ଦୈନିକ ଘଟୁଛି ଛୋଟ ବଡ଼ ଦୁର୍ଘଟଣା । କଥା କେବଳ ଏତିକି ରେ ସରି ନାହିଁ, ସମ୍ବଲପୁରବାସୀ ଏବେ ଆରମ୍ଭ ହେଲାଣି ଆଉ ଏକ ଦୁଃଖ |

          ପୂର୍ତ୍ତ ବିଭାଗ ଦ୍ଵାରା ସହର ର ଦୁଇଟି ମୁଖ୍ୟ ରାସ୍ତା କୁ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ସହରର ମୁଦିପଡା ଛକ ରୁ କୁଞ୍ଜେଲପଡା ଛକ କୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତା ରେ ଧୋବିଜୋର ନାଲା ଉପରେ ରହିଥିବା ପୁରୁଣା ପୋଲ କୁ ଭାଙ୍ଗି ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଫଳରେ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେଇଗଲାଣି ସେଇ ମୁଖ୍ୟ ରାସ୍ତା କୁ ବନ୍ଦ କରାଯାଇଛି । ସେଇ ରାସ୍ତା ରେ ନିୟମିତ ଯାତାୟାତ କରୁଥୁବା ଲୋକେ ମୂଖ୍ୟତଃ ଫର୍ମ ରୋଡ଼ ଓ ଅନ୍ୟ ରାସ୍ତା ଦେଇ ଯାଆସ କରୁଥିଲେ ।

       ବର୍ତ୍ତମାନ ପୁଣି ଦୁଇ ଦିନ ହେଲା ମୁଦିପଡା ଛକ ରୁ କ୍ଷେତରାଜପୁର କୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତା ର ଧୋବିଜୋର ନାଲା ଉପରେ ରହିଥିବା ପୁରୁଣା ପୋଲ କୁ ଭାଙ୍ଗି ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଫଳରେ ସେଇ ରାସ୍ତା କୁ ମଧ୍ୟ ଦୁଇ ଦିନ ହେଲା ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।

        ବିନା ଡାଇଭର୍ଶନ ରାସ୍ତା / ବିକଳ୍ପ ରାସ୍ତା ଦେଇ ସହର ର ଦୁଇଟି ମୁଖ୍ୟ ରାସ୍ତା କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଫଳରେ ସମ୍ବଲପୁରବାସୀ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ପୁରୁଣା ବସ୍ତି, ଫାର୍ମ ରୋଡ଼, ବଡ଼ବଜାର, କମିଲିବଜାର, କ୍ଷେତରାଜପୁର, ଦୁର୍ଗାପାଲି ଭଳି ବିଭିନ୍ନ ଅଞ୍ଚଳ ଶତାଧିକ ପଡାର ଲକ୍ଷାଧିକ ଲୋକ ଏହି ଦୁଇ ରାସ୍ତା ଉପରେ ନିର୍ଭର କରନ୍ତି । ବିକାଶ ନାଁ ରେ ବିନା ଡାଇଭର୍ଶନ ଦେଇ ଦୁଇଟି ଯାକ ମୁଖ୍ୟ ରାସ୍ତା କୁ ବନ୍ଦ କରିଦେବା କେତେ ଦୂର ଯୁକ୍ତିସଙ୍ଗତ । 

        ପ୍ରସଙ୍ଗର ଗୁରୁତ୍ୱ କୁ ହୃଦୟଙ୍ଗମ କରି ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ ସ୍ୱଚ୍ଛସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ଆଜି ପୂର୍ତ୍ତ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କୁ ଭେଟିଥିଲା । ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲା ଓ ଜନସାଧାରଣ ଙ୍କର ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲା । ମଞ୍ଚ ପକ୍ଷରୁ ଦାବୀ କରାଯାଇଛି ଯେ...

ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ବିକାଶ କାର୍ଯ୍ୟ କୁ ସ୍ୱାଗତ କରୁଛି । କିନ୍ତୁ, ବିକାଶ କାର୍ଯ୍ୟ ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କର ସର୍ବନିମ୍ନ ମୌଳିକ ସୁବିଧା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ତେଣୁ, ଦୁଇଟି ଯାକ ନିର୍ମାଣାଧୀନ ପୋଲ ପାଖ ରେ ଡାଇଭର୍ଶନ ରାସ୍ତା ର ବ୍ୟବସ୍ଥା କରାଯାଉ । କମ୍ ସେ କମ୍ ଦୁଇ ଚକିଆ ଯାନ, ଅଟୋ ଓ ଛୋଟ କାର ଭଳି ହାଲୁକା ଯାନ ଯାତାୟାତ କରି ପାରୁଥୁବା ଭଳି ବିକଳ୍ପ ରାସ୍ତା ର ବ୍ୟବସ୍ଥା କରାଯାଉ । ଟ୍ରାଫିକ ବ୍ୟବସ୍ଥା କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଉଭୟ ପାର୍ଶ୍ଵରେ ବେସରକାରୀ ସୁରକ୍ଷା କର୍ମୀ ଙ୍କୁ ନିୟୋଜିତ କରାଯାଉ । ଅତି ଜରୁରୀକାଳୀନ ପରିସ୍ଥିତିରେ ଛୋଟିଆ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ର ବାହାନ କୁ କେବଳ ଅନୁମତି ଦିଆଯାଉ ।

        ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ଉପଦେଷ୍ଟା ତଥା ଜିଲ୍ଲା ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଡ଼.ପ୍ରମୋଦ କୁମାର ରଥ ଙ୍କ ନେତୃତ୍ୱରେ ମଞ୍ଚ ର ଆବାହକ ଭବାନୀଶ ଭୋଇ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଯୁବ ସଂଯୋଜକ ଦେବାଶିଷ ବେହେରା ସମ୍ବଲପୁର ଶାଖା ଯୁବ ସଂଯୋଜକ ରାହୁଲ ଗୁପ୍ତା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ ।

 

0
0
0
s2sdefault