୧୪୪ ଧାରା ଜାରି କରି ଫେରିଗଲେ ପୋଲିସ ବାହିନୀ।
ଟିଟିଲାଗଡ ( ଗୌରବ ଦର୍ଜୀ): ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରୀବାହାଲ ପଞ୍ଚାୟତ ର ସିରୁଲ୍ ଗ୍ରାମ ରେ ଦେଖିବାକୁ ମିଳିଛି ଜାତି ଭେଦଭାବ ଦେଖି ଦୁଇ ସାହି ମଧ୍ୟରେ ନାଳ ପାଣି ନିଷ୍କାସନ ପାଇଁ ବିବାଦ। ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁ ରେ ୧୪୪ ଧାରା ଜାରି କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଏଥିରେ ଶତାଧିକ ପଡ଼ାବାସୀ ବିରୋଧ କରିବାରୁ ପୋଲିସ ପଛଘୁଞ୍ଚା ଦେଇ ଫେରି ଆସୁଛି।
ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୬ ତାରିଖ ରେ ସିରୁଲ୍ ଗ୍ରାମ ର ହରିଜନ ପଡ଼ା ବାସୀ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଳୟ କୁ ଆସି ଅଭିଯୋଗ କରିଥିଲେ ଯେ , ହରିଜନ ପଡ଼ା ର ନଳକୂପ ପାଣି ନିଷ୍କାସନ ହୋଇ ସାହୁ ପଡ଼ା ଦେଇ ବୋହି ଯାଉଥିବାରୁ ଗ୍ରାମ ରେ ଦୁଇ ଗୋଷ୍ଠୀ ର ସଂଘର୍ଷ ହୋଇଥିଲା। ସାହୁ ପଡ଼ା ର ବାସିନ୍ଦା ମାନେ ନାଳ ରେ ମାଟି ପକାଇ ଦେବାରୁ ନାଳ ରେ ପାଣି ଜମା ହୋଇ ରହିଛି। ଯାହାକୁ ନେଇ ହରିଜନ ପଡ଼ା ଓ ସାହୁ ପଡ଼ା ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ମାର୍ଚ୍ଚ ୩୦ ରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମୁରିବାହାଲ ତହସିଲଦାର ଓ ମୁରିବାହାଲ ବ୍ଲକ ବିଡିଓଙ୍କ ସହ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ତଥା ଉଭୟ ପଡ଼ାବାସୀଙ୍କ ସହ ଆଲୋଚନା କରି ଉକ୍ତ ସ୍ଥାନରେ ନାଳ ସମୂର୍ଣ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ଦିନ ପରେ ଯେତେ ବେଳେ ତହସିଲଦାର ଆସି ନାଳ ତିଆରି କରିବାପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ସେତେବେଳେ ସାହୁ ପଡ଼ା ବାସୀ ଅଭିଯୋଗ କରିଥିଲେ। କାମ ବନ୍ଦ କରି ତହସିଲଦାର ଫେରି ଯାଇଥିଲେ।
ଗତ ଏପ୍ରିଲ ୧୨ ତାରିଖ ରେ ହରିଜନ ପଡ଼ା ବାସୀ ଟିଟିଲାଗଡ ପୌରପରିଷଦ ଘେରାଉ କରି ଟିଟିଲାଗଡ ଉପଜିଲ୍ଲାପାଳ ତଥା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ଉପଜିଲ୍ଲାପାଳ ଉପଖଣ୍ଡିୟ ଆରକ୍ଷୀ ଅଧିକ୍ଷକ ବା ଡି ଏସ ପି ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଗାଁ ରେ ୧୪୪ ଧାରା ଜାରି କରି ତୁରନ୍ତ ନାଳ ତିଆରି କାର୍ଯ୍ୟ ଆରମ୍ଭ କରାଯାଉ। ଆଜି ଟିଟିଲାଗଡ ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ପୋଲିସ ବାହିନୀ ଧରି ସୀରୁଲ ଗ୍ରାମ ରେ ପହଞ୍ଚିଥିଲେ। ସେଠାରେ ୧୪୪ ଧାରା ଜାରି କରି ସ୍ଥାନୀୟ ବିଦ୍ୟୁତ୍ ଖୁଣ୍ଟ ରେ ନୋଟିସ ଛାପି ମୁରିବାହାଲ ତହସିଲଦାର ଓ ଜେସିବି ମେସିନ ନେଇ କାମ ଆରମ୍ଭ କରିଥିଲେ। କିନ୍ତୁ ନାଳ ତିଆରି କରିବା ପରିବର୍ତ୍ତେ ଗାତ ଖୋଳିବା ଆରମ୍ଭ ହୋଇଥିଲା। ଏହା ଦେଖି ହରିଜନ ପଡ଼ା ବାସୀ ଉତ୍ୟକ୍ତ ହୋଇଥିଲେ। ପୋଲିସ ଓ ପଡ଼ା ବାସୀ ମୁହାଁ ମୁହିଁ ହୋଇଥିଲେ। ଅନେକ ମହିଳା , ପୁରୁଷ ତଥା ବୁଢ଼ା ବୁଢ଼ୀ ମଧ୍ୟ ପୋଲିସ ବାହିନୀ ସମ୍ମୁଖ କୁ ଆସି ଗାତ କାହିଁକି ଖୋଲାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଗାତ ଖୋଲିବା ପରିବର୍ତ୍ତେ ନାଳ ତିଆରି କରିବା ପାଇଁ ଦାବି କରିଥିଲେ। ପୋଲିସ ବାହିନୀ ତଥା ଡିଏସପି ଶ୍ରୀ ଶତପଥୀ ପଡ଼ା ବାସୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଲୋକେ ବୁଝି ନଥିଲେ। ଅପରପକ୍ଷେ ସାହୁ ପଡ଼ାବାସୀ ପ୍ରଶାସନ ଯାହା ଠିକ୍ ଭାବିବ ତାହା ହେବ ବୋଲି ପ୍ରଶାସନ କୁ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ହରିଜନ ପଡ଼ାବାସୀ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ୧୪୪ ଧାରା ର ଖୁଲମ୍ ଖୁଲା ଉଲଙ୍ଘନ କରିଥିବା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି। ପୋଲିସ ସମସ୍ୟା ର ସମାଧାନ ନକରି ଫେରି ଆସିଥିବା ବେଳେ ଏହା ପ୍ରଶାସନର ବିଫଳତାକୁ ସୂଚାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।