ହେଡଲାଇନସ୍:

ସବୁ ଥାଇ ବି ମିଳୁନି ପାଣି ;  ଡହଳ ବିକଳ ଲଣ୍ଡେଇ ସାହି ଅଞ୍ଚଳବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସ୍ୱତନ୍ତ୍ର ରିପୋର୍ଟ 

ଭଞ୍ଜନଗର : ତାତି ବଢିବା ସହ ଶୁଖିଲା ପଡ଼ିଗଲାଣି କୂଅ ।  ବାରମ୍ବାର ମାରିଲେ ମଧ୍ୟ ନଳକୂଅରୁ ପାଣି ଟିକଏ ବାହାରିବା କଷ୍ଟକର। ସଂପ୍ରତି ଗ୍ରୀଷ୍ମ ପ୍ରଭାବରେ ତାତି ଅସହ୍ୟ ହେବାକୁ ଲାଗିଥିବା ବେଳେ ଜଳ ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କଲାଣି। କୂଅ ଗୁଡ଼ିକରୁ ପାଣି ଆଉ ବାହାରୁ ନଥିବା ବେଳେ ନିତ୍ୟ ବ୍ୟବହାର ପାଇଁ ଦରକାର ପଡ଼ୁଥିବା ପାଣି ଯୋଗାଡ଼ କରିବା ପାଇଁ ପ୍ରତିଦିନ କସରତ କରିବାକୁ ପଡ଼ୁଛି। ଏଭଳି ଦୃଶ୍ୟ କେଉଁ ଉପାନ୍ତ କିମ୍ବା ପାହାଡ଼ିଆ ଇଲାକାର ନୁହେଁ। ଏହି ଚିତ୍ର ହେଉଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଭାବେ ପରିଚିତ ଭଞ୍ଜନଗର ସହରର ଉପକଣ୍ଠ ଜନବସତି ଇଲାକାର। ଜନସଂଖ୍ୟା ବୃଦ୍ଧି ସହ ସହର ନବକଳେବର ବୃଦ୍ଧି ପାଇବାରେ ଲାଗିଛି। ଭଞ୍ଜନଗର ବ୍ଳକ୍ ଲାଲସିଂ ପଞ୍ଚାୟତର ଲଣ୍ଡେଇସାହି କ୍ରମଶଃ ସହରକୁ ଲାଗି ଗଲାଣି। କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ଜନବସତି ଗଢି ଉଠିଥିବା ବେଳେ ଏହି ଅଞ୍ଚଳରେ ବର୍ତ୍ତମାନ ଘୋର ଜଳାଭାବ ଦେଖା ଦେଇଛି। ଭଞ୍ଜନଗର ସହରର ରସଲକୋଣ୍ଡା ଜଳଭଣ୍ଡାର ଠାରୁ ମାତ୍ର ୫୦୦ ମିଟର ଭିତର ଅଞ୍ଚଳରେ ବର୍ତ୍ତମାନ ଜଳକଷ୍ଟ ଉର୍ଗରୂପ ଧାରଣ କରିବାକୁ ବସିଲାଣି। ପିଇବା ପାଣି ଠାରୁ ଆରମ୍ଭ କରି ଲୁଗାପଟା ଧୋଇବା ବାସନକୁସନ ସଫା୍ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବହାର ପାଇଁ ଦୈନନ୍ଦିନ ଜୀବରେ ପାଣିର ବହୁତ ଆବଶ୍ୟକତା ରହିଛି। କିନ୍ତୁ ଗ୍ରୀଷ୍ମ ଆରମ୍ଭରୁ ପ୍ରାୟ ସମସ୍ତଙ୍କ ଘର ଭିତରେ ଥିବା କୂଅ ଗୁଡ଼ିକ ଶୁଖିଲା ପଡ଼ିଗଲାଣି। ସରକାରଙ୍କ ପକ୍ଷରୁ ହାତ ଗଣତି କିଛି ନଳକୂପ ରହିଥିବା ବେଳେ ତାକୁ ମଧ୍ୟ ବହୁ ସମୟ ଧରି ମାରିଲେ ପାଣି ବାହାରୁଛି ତ ଅନେକ ସମୟରେ ଦୀର୍ଘ ସମୟ ଧରି ନଳକୂପରୁ ପାଣି ବାହାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ଲାଲସିଂ ପଂଚାୟତର ପାଞ୍ଚଟି ସାହିର ମହିଳା ହାଣ୍ଡି ମାଠିଆ ରଖି ସାହିରେ ପାଣି ପାଇଁ ପ୍ରତିବାଦ କରିଥିବା ବେଳେ ବର୍ତ୍ତମାନ ଲାଲସିଂ ପଞ୍ଚାୟତର ବିବେକାନନ୍ଦ ମାର୍ଗ, ଚିନ୍ମୟାନନ୍ଦ ମାର୍ଗ, ଗାୟତ୍ରୀ ନଗର ଓ ରାମକୃଷ୍ଣ ନଗର ଅଞ୍ଚଳରେ ପାନୀୟ ଜଳ ପାଇଁ ସ୍ଥାନୀୟ ବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିବେକାନନ୍ଦ ମାର୍ଗର ଗୋପାଳକୃଷ୍ଣ ପ୍ରଧାନଙ୍କ ବାରିପଟେ ୨୬ ଫୁଟ ଗଭୀର ଏକ କୂଅ ରହିଥିବା ବେବଳେ ତାହା ୧୦-୧୨ ଦିନ ହେବ ପାଣି ନାହଁ। ସେହିପରି ପଦ୍ମଲୋଚନ ମିଶ୍ରଙ୍କ ୩୮ ଫୁଟ ଗଭୀର କୂଅ ରହିଥିବା ବେଳେ ତାହା ମଧ୍ୟ ଶୁଖିବାକୁ ଲାଗିଛି। ଦିନସାରା ଅପେକ୍ଷା କରିଲେ ଅଳ୍ପ ପାଣି ଝରାଇଲେ ତାକୁ ବ୍ୟବହାର ପାଇଁ ବାହର କରୁଥିବା ବେଳେ ତାହା ମଧ୍ୟ ଗୋଳିଆ ପାଣି ବାହାରୁଥିବାରୁ ପିଇବା ପାଇଁ ଦୂର ସାହିରୁ ପାଣି ବୋହି ଆଣୁଛନ୍ତି। ଏହି ସାହି ସମେତ ଲଣ୍ଡେଇସାହିର ଅନ୍ୟ ଅଞ୍ଚଳରେ ମଧ୍ୟ ଜଳସ୍ତର କମିଥିବା ଦେଖିବାକୁ ମିଳିଛି। ପିଇବା ପାଣି ଯୋଗାଣ ପାଇଁ ମାଟି ତଳେ ପାଇପ୍ ବିଛାଯାଇଥିଲେ ମଧ୍ୟ ବହୁ ସମୟରେ ସେଥିରେ ପାଣି ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଅଧିକାଂଶ ଘରକୁ ପାଇପ୍ ସଂଯୋଗ କରାଯାଇନଥିବା ବେଳେ ଯେଉଁଠି ଷ୍ଟାଣ୍ଡ ପୋଷ୍ଟ ଅଛି ସେଠି କେବେ ପାଣି ଆସିନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଥିସହ ଲଣ୍ଡେଇ ସାହିର କିଛି ଇଲାକାରେ ରାସ୍ତାକାମ ପାଇଁ ଖୋଳା ଯାଇଥିବା ବେଳେ ଫଟା ପାଇପ୍‌ରୁ ଲୋକ ମାନେ ପିଇବା ପାଇଁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ପାଖରେ ଜଳ ଭଣ୍ଡାର ଥାଇ ମଧ୍ୟ କୂଅ ଶୁଖି ଯାଉଛି ଓ ଘର ଆଗ ଦେଇ ପାଇପ ଲାଇନ ବିଛାଯାଇଥିଲେ ମଧ୍ୟ କାହାକୁ ସଂଯୋଗ ଦିଆଯାଇନି। ଖରା ଦିନେ ପାଣିର ଅଧିକ ଆବଶ୍ୟକତା ରହିଥିବା ବେଳେ ସେହି ସମୟରେ ଜଳକଷ୍ଟ ଦେଖାଦେଉଛି। ସରକାର ଏଥିପ୍ରତି ଦୁର୍ଷ୍ଟି ଦେବାକୁ ସ୍ଥାନୀୟ ରାମକୃଷ୍ଣ ନଗର ବାସିନ୍ଦା ଆଦିତ୍ୟ ମିଶ୍ର କହିଛନ୍ତି। ସେହିପରି ଘରର ପୁରୁଷ ଲୋକ ମାନେ ଦୁରକୁ ଯାଇ ପାଣି ଆଣିଲେ ହିଁ ଖାଇବା ପିଇବା ବହୁ କଷ୍ଟରେ ହୋଇପାରୁଛି। ଆଗକୁ ତାତି ବଢୁଥିବାରୁ ପାଣି ବିନା କେମିତି ଚାଲିବୁ ସେହି ଚିନ୍ତା ଘାରିଛି ବୋଲି ପ୍ରକାଶ କରିଛନ୍ତି ଲଷ୍ମୀ ତ୍ରିପାଠୀ। ଅପରପକ୍ଷରେ ଏ ନେଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି କହିଛନ୍ତି ଘଟଣା ସମ୍ପର୍କରେ ସେ ବର୍ତ୍ତମାନ ଅବଗତ ହେଲେ ଉକ୍ତ ଅଂଚଳରେ ରାସ୍ତା ନିର୍ମାଣ ଚାଲିଥିବା ରୁ ଏହି ପରି ସମସ୍ୟା ସୃଷ୍ଟି ହୋଇଛି। ତଥାପି ଏହାକୁ ଗୁରୁତର ସହ ନେଇ ଯଥା ସମ୍ଭବ ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି।  ଆଗକୁ ତାତି ଆହୁରି ବଢିବା ସହ ପାଣିର ଆବଶ୍ୟକତା ଅଧିକ ରହିଥିବାରୁ ସରକାରୀ ସ୍ତରରେ ଯଥାଶୀଘ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। 

ରିପୋର୍ଟ / ନିଲୁ ବିଷୋୟୀ

0
0
0
s2sdefault