୨୩୦୦ରୁ ଉର୍ଦ୍ଧ୍ବଙ୍କୁ କୋଭିଡ୍ ଟୀକାକରଣ ବ୍ୟବସ୍ଥା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଝାମ୍ମି ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଖୋଲା ଯାଇଥିବା ଟିକାଦାନ କେନ୍ଦ୍ର ସମେତ ଜିଲ୍ଲାର ୨୩ ଟି ଟିକାଦାନ କେନ୍ଦ୍ରରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ଭାବେ ସୁରୁଖୁରୁରେ ଚାଲିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ କୋଭିଡ୍ ଟୀକା ଦିଆଯିବା ବ୍ୟବସ୍ଥା ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ଆଗ୍ରହ ଓ ଶୃଙ୍ଖଳିତର ସହ ଆସି ନାମ ପଞ୍ଜିକରଣ କରାଇ ଟୀକା ନେଇଥିଲେ । ଶନିବାର ଦିନ ଜିଲ୍ଲାର ୭ଟି ବ୍ଲକର ୨୩ ଟି ଟିକାଦାନ କେନ୍ଦ୍ର ଯଥା:- ମୋହନାରେ ୭ଟି ରାୟଗଡରେ ୨ଟି , ନୂଆଗଡରେ ୨ ଟି , ଆର୍:ଉଦୟଗିରିରେ ୨ଟି , ଗୋଷାଣୀରେ ୪ଟି , ଗୁମ୍ମାରେ ୨ଟି , କାଶୀନଗରରେ ୨ଟି ଏବଂ ପାରଳାଖେମୁଣ୍ଡି ସହରରେ ୨ ଟି ଟିକାଦାନ କେନ୍ଦ୍ର ଠାରେ ୨୩୦୦ରୁ ଉର୍ଦ୍ଧ୍ବ ଜଣଙ୍କୁ କୋଭିଡ୍ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଥିଲା ।
ଗତକାଲି ସୁଦ୍ଧା ଗଜପତି ଜିଲ୍ଲାରେ ସମସ୍ତ ବର୍ଗର ମୋଟ ୪୮ ହଜାର ୧୪୬ ଜଣ ପ୍ରଥମ ଡୋଜ୍ ଟୀକା ନେଇ ସାରିଥିବା ବେଳେ ୧୦ ହଜାର ୦୩୭ ଜଣ ଦ୍ଵିତୀୟ ଡୋଜ୍ କୋଭିଡ୍ ଟୀକା ନେଇଛନ୍ତି ।
ଆଜି ଜିଲ୍ଲାର ୨୩ ଗୋଟି କୋଭିଡ୍ ଟିକାଦାନ କେନ୍ଦ୍ର ସମେତ ଗୁମ୍ମା ବ୍ଲକର ଝାମ୍ମି ଗ୍ରାମରେ ଝାମ୍ମି କଲ୍ୟାଣ ମଣ୍ଡପ ଠାରେ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର ଡାଃ ପି.ଶ୍ରୁତୀ ଓ ଡାଃ ସମରେନ୍ଦ୍ର ପ୍ରସାଦ ଦାସ କହିଛନ୍ତି ଯେ , କେନ୍ଦ୍ର ସରକାରଙ୍କ ମାଗଣା କୋଭିଡ୍ ଟୀକା ନେବାପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖା ଦେଇଛି । ସେମାନେ ଟୀକା ନେବା ପରେ ୩୦ମିନିଟ୍ ପର୍ଯ୍ୟବେକ୍ଷଣ କକ୍ଷରେ ସେମାନଙ୍କୁ ରଖା ହେଉଛି । କାହାକୁ ହେଲେ କୌଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି କହିଥିଲେ ।
ସେହିଭଳି କୋଭିଡ୍ ଟୀକା ନେବାପରେ ଶ୍ରୀ ବୃନ୍ଦାବନ ପଣ୍ଡିତ , ମାଳତୀ ଦେବୀ କହିଛନ୍ତି ଯେ , ସେମାନେ କୋଭିଡ୍ ଟୀକା ନେବାର ସୁଯୋଗ ପାଇଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ କହିଛନ୍ତି । ଟିକାନେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , କୌଣସି ଅସୁବିଧା ହୋଇନାହିଁ । ଏହି ଟୀକା ନେଇ ସମସ୍ତେ କରୋନା ମୁକ୍ତ ହୁଅନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଝାମ୍ମି ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମ ଡାଃ .ସମରେନ୍ଦ୍ର ପ୍ରସାଦ ଦାସ ଓ ଡାଃ.ପି: ଶ୍ରୁତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କୋଭିଡ୍ ଟୀକା ନେବାକୁ ଆସିଥିବା ସମସ୍ତଙ୍କୁ ଏଏନଏମ: ଶ୍ରୀମତୀ ଦୀପିକା ପ୍ରଧାନ ଓ ଶ୍ରୀମତୀ ଅହଲ୍ୟା ସାମଲ କୋଭିଡ୍ ଟୀକା ଦେଇଥିଲେ ।
ସମସ୍ତ ଟୀକାକରଣ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକର୍ମୀ ଶ୍ରୀ ପି: ଗିରି ଏବଂ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଏଏନଏମ: , ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।