କଳାହାଣ୍ଡି / ତୁଳମଣି ନାଗ: ଭବାନୀପାଟଣା ମୁଖ୍ୟାଳୟ ଠାରୁ ୧୨ କି.ମି ସ୍ଥିତ କୁଟ୍ରୁଖମାର ପଞ୍ଚାୟତ ଅଞ୍ଚଳରେ ଅବସ୍ଥିତ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠକୁ ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ମହାଖୁଡ଼ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ଲ ଶ୍ରୀ ମହାଖୁଡ଼ ଲୋକଙ୍କୁ ପ୍ରେରଣା ଦେବାପାଇଁ "ମୋ ସ୍କୁଲ ଅଭିଯାନ" ଜରିଆରେ ଆଜି କିଛି ଆର୍ଥିକ ସହାୟତା ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟକୁ ଦେଇଛନ୍ତି l ମୋ ସ୍କୁଲ ଅଭିଯାନ ପକ୍ଷରୁ ଜାରି ହୋଇଥିବା ପତ୍ରରେ ଏହା ସୂଚିତ ହୋଇଛି l
ଏହି ଖବର ଜାଣିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା ପୂର୍ବତନ କମିଟି, ଚଳିତ କମିଟି, ଅଭିଭାବକ ତଥା କୁଟ୍ରୁଖମାର ପଞ୍ଚାୟତ ଓ ଗଣ୍ଡବାରଝୋଲା ପଞ୍ଚାୟତ ବାସୀଙ୍କ ତରଫରୁ ଆଜି କୁଟ୍ରୁଖମାର ବିବେକାନନ୍ଦ ଉଚ୍ଚ ବିଦ୍ୟା ପୀଠ ଠାରେ ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡଙ୍କ ଉଦ୍ଦେଶ୍ୟରେ ଆଜି ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା l
ଏହି ସଭାରେ ମୁଖ୍ୟ ଅତିଥି ଭାବେ କୁଟ୍ରୁଖମାର ସରପଞ୍ଚ ଶ୍ରୀମତୀ ବାସନ୍ତୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ବି.ଇ.ଓ ଶ୍ରୀ ଜଗନ୍ନାଥ ପରୋହିତ ଓ କୁଟ୍ରୁଖମାର ସମିତି ସଭ୍ୟା ଶ୍ରୀମତୀ ସୌଦାମିନୀ ଗହୀର,ମୁଖ୍ୟବକ୍ତା ଭାବେ ଶ୍ରୀ ଜୟନ୍ତ ବାଗ, ସ୍କୁଲ ସଭାପତି ଶ୍ରୀ ରୁକଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ l
ଏହି ସଭାରେ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼ କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୁଁ ବିବେକାନନ୍ଦ ବିଦ୍ୟାପୀଠକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲି | ଆଗାମୀ ଦିନରେ ଏହି ବିଦ୍ୟାଳୟରେ କିଭଳି ଭିତିଭୂମିର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ,ଏହା ଉପରେ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି କହିଛନ୍ତି।