ପୌରପରିଷଦର ଚେଇଁଛି କି ଶୋଇଛି କେଜାଣି
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରେ ପ୍ରତ୍ୟେକ ଦିନ ଦିନତମାମ ଜଳୁଛି ଷ୍ଟୀ୍ରଟ ଲାଇଟ । ବିଦୁ୍ୟତ୍ ଶକ୍ତିର ଖୋଲମଖୋଲା ଅପଚୟ କରାଯାଉଥିବା ବେଳେ ଏହାର କାରଣ ଓ ନିରାକରଣ ଦିଗରେ ପୌରପରିଷଦ ପକ୍ଷରୁ ନିଘା ନାହିଁ କି ପଘା ନାହିଁ ନୀତି ଆପଣେଇବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ ଦୀନକୃଷ୍ଣ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସାଙ୍ଗକୁ ଜାତୀୟ ସମ୍ପତ୍ତିର ଏହି ପ୍ରକାରର ଅପଚୟକୁ ଘୋର ନିନ୍ଦା କରିଛନ୍ତି । ସୂଚନା ଯୋଗ୍ୟ ଯେ, ବାରିପଦା ପୌରପରିଷଦ ୨୮ଟି ୱାଡର଼୍କୁ ନେଇ ଗଠିତ ହୋଇଥିବା ବେଳେ ଏହାର ଆୟତନ ପ୍ରାୟ ୨୯ ବର୍ଗ କିଲୋମିଟରରୁ ଅଧିକ । ବାରିପଦା ସହରର ବିଭିନ୍ନ ମୁଖ୍ୟ ଛକରେ ପ୍ରାୟ ୧୨ରୁ ଅଧିକ ହାଇମାକ୍ସ, ଛୋଟ ଛୋଟ ଛକଗୁଡ଼ିକରେ ୪୦ ମଧ୍ୟରେ ସେମି-ହାଇମାକ୍ସ ଏବଂ ବିଦୁ୍ୟତ ଖୁଣ୍ଟ ଗୁଡ଼ିକରେ ୯ ହଜାରରୁ ଅଧିକ ଷ୍ଟ୍ରୀଟ ଲାଇଟ ରହିଛି । ସେହିପରି ହାଇମାକ୍ସ ଲାଇଟ ପୋଷ୍ଟରେ ୧୮୦ ୱାଟ୍, ସେମି-ହାଇମାକ୍ସ ପୋଷ୍ଟରେ ୭୦ରୁ ୧୦୦ ୱାଟ୍ ଏବଂ ବିଦୁ୍ୟତ୍ ଖୁଣ୍ଟଗୁଡ଼ିକରେ ୨୦, ୩୫, ୪୫, ୭୦, ୯୦, ୧୧୦ ଓ ୧୨୦ ୱାଟର ବଲବ ଓ ଏଲଇଡ଼ି ବଲବ ଲାଗିଛି । ମାସ ମାସ ଧରି ବାରିପଦା ସହରର ବିଭିନ୍ନ ସ୍ଥାନମାନଙ୍କରେ ଦିନ ରାତି ୨୪ ଘଣ୍ଟା ହାଇମାକ୍ସ, ସେମିହାଇମାକ୍ସ ଓ ଷ୍ଟ୍ରୀଟ ଲାଇଟ ଜଳୁଥିବାର ଦେଖିବାକୁ ମିଳିଛି । ପୁଣି କେତେକ ସ୍ଥାନରେ ରାତିରେ ଅନ୍ଧକାର ଦିନରେ ଆଲୋଅ ଜଳୁଥିବାର ଅଭିଯୋଗ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ମଝିରେ ମଝିରେ କ୍ରମାଗତ ଭାବେ କିଛି ଦିନ ଧରି ଦିନରେ ଲାଇଟ ଜଳୁଥିବାର ଜଣାପଡ଼ିଛି ।
ତେବେ ଏହି ଦିନରେ ଜଳିବା ଓ ରାତିରେ ଲିଭିବା ଆଦିକୁ ନିୟନ୍ତ୍ରଣ କରିବା ବାରିପଦା ପୌରପରିଷଦର ବିଦୁ୍ୟତ ବିଭାଗ ହାତରେ ନାହିଁ ବୋଲି ବିଭାଗର କର୍ମଚାରୀମାନେ କୁହନ୍ତି । ବାରିପଦା ପୌରପରିଷଦରେ ରହିଥିବା ସମସ୍ତ ଲାଇଟର ଭଲ ମନ୍ଦ ଦାୟିତ୍ୱ ଭୂବନେଶ୍ୱରସ୍ଥିତ ଏକ କମ୍ପାନୀ ଠିକା ନେଇଛି । ତେଣୁ ଯାହା କରିବେ ସେହି କମ୍ପାନୀ ହିଁ କରିପାରିବ ବୋଲି କହି ନିଜ ମୁଣ୍ଡରୁ ଅଠା ଖସେଇ ଦେଇଥାନ୍ତି । ତେବେ ପୌରପରିଷଦର ଲାଇଟ ଦାୟିତ୍ୱର ଠିକା କମ୍ପାନୀ ନେଉ ଅଥବା ଅନ୍ୟ କେହି ନେଉ ; କିନ୍ତୁ କମ୍ପାନୀକୁ ଠିକା ଦେଇଛି ପୌରପରିଷଦ । ଏଣୁ ଭଲ ମନ୍ଦ ନିମନ୍ତେ, ଲାଭ କ୍ଷତି ସବୁଥିରେ ବାରିପଦା ପୌରପରିଷଦ ଉତ୍ତରଦାୟୀ ଅଟନ୍ତି । କମ୍ପାନୀକୁ ନିର୍ଦ୍ଦେଶ ଦେଇ ବିଦ୍ୟୁତ ଶକ୍ତି ଅପଚୟ ତୁରନ୍ତ ରୋକିବା ପୌରପରିଷଦର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ବୋଲି ପୂର୍ବତନ ନଗରପାଳ ଦୀନକୃଷ୍ଣ ପ୍ରକାଶ କରିଛନ୍ତି ।