ହେଡଲାଇନସ୍:

ଉତ୍କଳ ହିତୈଷିଣୀ ସମାଜ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୮୬ ତମ ଉତ୍କଳ ଦିବସ-୨୦୨୧ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ମାଟି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଉତ୍କଳ ସମ୍ମିଳନୀ , ଉତ୍କଳ ହିତୈଷିଣୀ ସମାଜ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୮୬ ତମ ଉତ୍କଳ- ଦିବସ ୨୦୨୧ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଯାଇଛି । 

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତୈଷିଣୀ ସମାଜର ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ପାରଳାଖେମୁଣ୍ଡି ଠାରେ ଥିବା ସ୍ବର୍ଗତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି-ସୌଧ ଓ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରିଥିଲେ ।

 ପରେ ଓଡ଼ିଆ ଭଣ୍ଡାରୀ ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ହିତୈଷିଣୀ ସମାଜର ମିଳିତରେ ୮୬ ତମ ଉତ୍କଳ ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଆଚାର୍ଯ୍ୟ  ବିନୋଦ ଚନ୍ଦ୍ର ଜେନା , ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା , ତାଙ୍କର ଜାତୀୟତା ଓ ଓଡ଼ିଆ ଭାଷା ସ୍ୱାଭିମାନ ଉପରେ ଆଲୋଚନା କରିଥିଲେ । 

ସେହିଭଳି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ୮୬ ତମ ଉତ୍କଳ ଦିବସ -୨୦୨୧ ପାଳିତ ହୋଇଥିଲା । 

ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ସଭାପତିତ୍ୱରେ ମନ୍ତ୍ରୀ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ଶ୍ରୀମତୀ ପଦ୍ମିନୀ ଦିଆନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ । ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତି ଓ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।  ଏ ସବୁର ସଂରକ୍ଷଣ , ସମୃଦ୍ଧି ଓ  ପ୍ରଚାର ପ୍ରସାର କରିବା ସହିତ ଓଡିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ଆମେ ଆଜିର ପବିତ୍ର ଦିବସରେ ସମସ୍ତେ ସଂକଳ୍ପବଦ୍ଧ ହେବାପାଇଁ ଆହ୍ବାନ କରିଥିଲେ ।

 ପ୍ରଥମେ ଓଡିଶା ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରଥିବା ଏବଂ ସର୍ବୋପରି ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷ ମାନଙ୍କ ପ୍ରତି ସମ୍ମାନ ଜଣାଇବା ସହ ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଏଫଓ ଶ୍ରୀ ସଂଗ୍ରାମ କେଶରୀ ବେହେରା , ଏବଂ ଅବସରପ୍ରାପ୍ତ ପ୍ରଦଜ୍ଞାପକ ଡ଼ଃ ଅମୀୟ କୁମାର ପରିଛା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

 ପରେ ମୁଖ୍ୟଅତିଥି ଶ୍ରୀମତୀ ଦିଆନ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

 ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault