ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର
"ଦୁରାବସ୍ଥା ଭିତରେ ବି ଜୀବନବ୍ୟାପି ସାରସ୍ୱତ ସାଧନା, ବାଣୀ ନିରାଜନା । ସୃଷ୍ଟି ତାଙ୍କ ବିପୁଳ । କୃତି ତାଙ୍କ ମଂଜୁଳ । ଶୁଣିବାକୁ ଶ୍ରୁତିମଧୁର । କବିତା ତାଙ୍କର ଶୂଣୁଥିବା ବେଲେ ଚଳଚିତ୍ର ଭଳି ଆଖି ଆଗରେ ଝଲସିଯାଏ ଚିତ୍ରପଟ ସବୁ । ମାସକୁ ତିରିଶ ଦିନ ସଭା ସମିତି ଯାଇ କବିତା ଆବୃତି କରନ୍ତି । ଏଇ ମାଟିର ସ୍ୱାଭିମାନ ଓ ଅସ୍ମିତାକୁ ବହନ କରୁଥିବା କବି ଏଠାକାର ଭାଷା, ସଁସ୍କୃତିକୁ ଜାତୀୟ ସ୍ତରରେ ପରିଚିତ କରାଇ ‘ବ୍ରାଣ୍ଡ ଆମ୍ବାସାଡର’ ବିବେଚିତ ହୋଇଛନ୍ତି । ବିନା ଟିପ୍ପଣୀ କି ପାଣ୍ଡୁଲିପି ଧରି ତାଙ୍କର କବିତା ଆବୃତିର ସ୍ୱତନ୍ତ୍ର ଶୈଳୀ ଲୋକଙ୍କୁ ମନ୍ତ୍ର ମୁଗ୍ଧ କରିଦିଏ । ଆଜି ସିଏ ଜୀବନ୍ତ ଆଦର୍ଶ । "
ଇଂଲଣ୍ଡ ରାଜପ୍ରାସାଦକୁ ଯିବା ସମୟରେ ମହାତ୍ମାଗାନ୍ଧିଙ୍କୁ ଅପେକ୍ଷା କରିଥିବା ଜନତା ତାଙ୍କର ବେଶ ପୋଷାକ ଦେଖି ନିର୍ବାକ ହୋଇଯାଇଥିଲେ । ଖଦି ଧୋତୀ ଗାମୁଛା ପିନ୍ଧା ଏମିତି ଗାଉଁଳିଆ ମଣିଷଟିଏ ହୋଇଥିବେ ମହାତ୍ମା ଗାନ୍ଧି ବୋଲି ସେଦିନ ଇଂଲଣ୍ଡବାସୀ ବିଶ୍ୱାସ କରି ନ ଥିଲେ । ଧୋତିଗାମୁଛା ପିନ୍ଧା ଦୁଖିଦରିଦ୍ରଙ୍କ ବନ୍ଧୁ ଗୋପବନ୍ଧୁଙ୍କ ପ୍ରଚଣ୍ଡ ପ୍ରତୀଭା ମଧ୍ୟ ଓଡିଶା ବାସୀଙ୍କୁ ଚକିତ କରିଥିଲା । ଏଭଳି ଆଉ ଏକ ଘଟଣା ଭାରତର ଦରବାର ହଲରେ ସମସ୍ତଙ୍କୁ ବିସ୍ମିତ କରିଛି । ଗାଢ କୃଷ୍ଣକାୟ ମୁଖମଣ୍ଡଳ, ମହିଳାଙ୍କ ଭଳି ଲମ୍ବ କେଶବିନ୍ୟାସ, ପାଦରେ ଚପଳ ନାହିଁ, ଦେହରେ ଗାଉଁଲି ଧୋତୀ, ଗଂଜି ଏବଂ ଗାମୁଛା । ସିଧା ସାଧା ଚାହାଣୀ । ବିଚିତ୍ର ବେଶ ପୋଷାକ ଓ ନିଆରା ଢଙ୍ଗରେ ଆଗେଇଲେ ମହାମହିମ ରାଷ୍ଟପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ ପାଇଁ । ଦରବାର ହଲରେ ଆଶ୍ଚର୍ଯ୍ୟର ସୀମା ଟପିଲା । ରାଷ୍ଟ୍ରପତି ବି ତୀର୍ଯ୍ୟକ ଦୃଷ୍ଟି ଦେଉଥିଲେ । ଅଳ୍ପ ସମୟ ପରେ ଚା ପାନ ବିରତି ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ପାଖକୁ ଆସି କରମର୍ଦନ କରିବା ଅବସରରେ କହିଲେ-‘ଆପ୍ ଓଡିଶା କା ସ୍ୱାଭିମାନ ବଢାଦିଏ’ । ସେଇ ସ୍ୱାଭିମାନ ତଥା ଗର୍ବ ଗୈାରବର ନିଆରା ମଣିଷ ହେଉଛନ୍ତି ତୃଣମୂଳ କଳାକର୍ମୀ ଲୋକକବି ହଲଧର ନାଗ । ଚଳିତ ବର୍ଷ ଭାରତ ସରକାର ୧୧୨ ଜଣଙ୍କୁ ପଦ୍ମପୁରସ୍କାର ପ୍ରଦାନ କରିଛନ୍ତି । ତନ୍ମମଧ୍ୟରୁ ଓଡିଶାରୁ ଲୋକବି ହଲଧର ନାଗ, ଚଳଚିତ୍ର ନିଦେ୍ର୍ଧଶକ ନିଲମାଧବ ପଣ୍ଡା ଏବଂ ବାନ୍ଧଶିଳ୍ପୀ ଶ୍ରୀଭାଷ ସୁପକାର ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ଭୁଷିତ ହୋଇଛନ୍ତି । ଦରବାର ହଲରେ ଏହି ସମୟରେ ଉପସ୍ଥିତ ରହିବାର ସୈାଭାଗ୍ୟ ଏଇ ଲେଖକକୁ ମିଳିଥିଲା ।
ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେଇ କବି ହଳଧରଙ୍କ ଜନ୍ମ ହୁଏ ମାର୍ଚ୍ଚ ୩୧ ତାରିଖ ୧୯୫୦ ମସିହାରେ ବରଗଡ ଜିଲ୍ଲାର ଘେଁସ ଗ୍ରାମରେ । ବାପା ଭଜ ନାଗ ଏବଂ ମାଁ ଗୁରୁବାରୀ । ତୃତୀୟ ଶ୍ରେଣୀ ପରେ ପାଠରେ ଡୋରି ବନ୍ଧା ହୁଏ । ୧୦ ବର୍ଷ ବୟସର ଅଳ୍ପ ବ୍ୟବଧାନ ମଧ୍ୟରେ ବାପା ମାଁ ଉଭୟଙ୍କ ଦେହାନ୍ତ ପରେ ପରିବାରର ଆର୍ଥିକ ସ୍ଥିତି ଭୁଷୁଡି ପଡିଥିଲା । କାରଣ ବାପା ଥିଲେ ଜମିହୀନ ଓ ଦୀନ ମଜୁରିଆ । ପେଟ ଚାଖଣ୍ଡକ ପାଇଁ ବାଧ୍ୟହୋଇ ହେଟେଳଟିଏରେ କାମ କଲେ । ତାପରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ମାସିକ ୮ଟଙ୍କା ବିନିମୟରେ ରୋସେଇଆ କାମ ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ମାଳତୀଙ୍କ ସହିତ ତାଙ୍କର ବିବାହ କ୍ରମେ ଏକ କନ୍ୟା ସନ୍ତାନ ଲାଭର ସୈାଭାଗ୍ୟ ଅର୍ଜନ କଲେ । ୧୬ ବର୍ଷ ପରେ ସ୍କୁଲ ହୋଷ୍ଟେଲ ବନ୍ଦ ହୋଇଗଲା । ପୁଣି ଅନ୍ନ ଚିନ୍ତା । ବାଧ୍ୟହୋଇ ସ୍ଥାନୀୟ ବ୍ୟାଙ୍କରୁ ଏକହଜାର ଟଙ୍କା ରୁଣ ଆଣି ଏକ ଛୋଟିଆ କ୍ୟାବିନ ତିଆରି କରି ଚନା, ମୁଢି, ଚକ, ପେନସିଲ ଆଦି ବିକ୍ରି କରୁଥିଲେ । ୧୦ପଇସା ବିନିମୟରେ କଳମରେ କାଳି ଭରୁଥିଲେ । ଲୋକେ ସେ ସମୟରେ ତାଙ୍କୁ କାଳିଆ ବୋଲି ଡାକୁଥିଲେ । ଅବଶ୍ୟ ଆଜି ସେଇ କ୍ୟାବିନଟି ଏକ ସ୍ମାରକୀ । କବିଙ୍କ ଜୀବନ ଯନ୍ତ୍ରଣାର ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ ପିଲା ବେଳରୁ ଦଣ୍ଡନାଚ, କୃଷ୍ଣଗୁରୁ, ସଂପ୍ରଦା, କରମସାନୀ, ଦଣ୍ଡାଖେଳ, ଗଉଡ ବାଡି, ଦୁଲାବିହା ଆଦିରେ ଅନେକପ୍ରକାର ଲୋକଗୀତ ଗାଉଥିଲେ । ଲୋକଗୀତ, କଳା ପ୍ରତି ରହିଥିବା ତାଙ୍କର ଅନ୍ତର୍ନିହିତ ଗୁଣାବଳୀର ସଫଳ ପରିସ୍ଫୁଟନ କ୍ରମେ ପ୍ରଥମେ ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସର ମାସିକ ବୈଠକରେ ୧୯୮୯ ମସିହାରେ କାଠଗୋଡ କବିତା ଆବୃତି କରିଥିଲେ । ଏହାପରେ ତାଙ୍କର କଳମ ମୂନରୁ ୧୯୯୦ ମସିହାରେ ସୃଜିତ ହୋଇଥିଲା କବିତା ‘ଢଡୋ ବରଗଛ’ ଯାହାକି ସମ୍ବଲପୁରରୁ ପ୍ରକାଶିତ ଆର୍ଟ ଏଣ୍ଡ ଆର୍ଟିଷ୍ଟ ପତ୍ରିକାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଘେଁସ ସ୍ଥିତ ଅଭିମନ୍ୟୁ ସାହିତ୍ୟ ସଂସଦ ତଥା ଅନେକ ସାହିତ୍ୟପ୍ରେମୀଙ୍କ ପ୍ରେରଣାରେ ନିଜର ଆଂଚଳିକ ଭାଷା ସମ୍ବଲପୁରୀ-କୋଶଲିରେ ସୃଜିତ ହୋଇଚାଳିଛି ରାଶି ରାଶି କୃତି । ଅଛିଆଁ, ବଛର୍, ମହାସତୀ ଉର୍ମିଳା, ତାରା ମନେ୍ଦାଦରୀ, ପ୍ରେମ ପଏଚାନ, ରୁଷି କବି ଗଂଗାଧର, ବୀର ସୁରେନ୍ଦ୍ର ସାଏ ସମେତ ୨୦ଖଣ୍ଡ କାବ୍ୟ, ଭାବ, ସୁରୁତ୍ ଆଦି କବିତା ସଂକଳନ ସମେତ ଏ ପର୍ଯ୍ୟନ୍ତ ରହିଛି ତାଙ୍କର ଶହ ଶହ କବିତା । ପୈାରାଣିକ, ସାମାଜିକ, ରାଜନୈତିକ, ଦର୍ଶନିକ ପ୍ରସଙ୍ଗ ଆଦି ଉପରେ ତାଙ୍କର ସାହିତ୍ୟର ମୂଳ ଭିତି ।
ହଳଧର ସାହିତ୍ୟର ହୃଦୟସ୍ପର୍ଶୀ ପଦ, ଅର୍ନ୍ତନିହିତ ଭାବ, ଭାଷାର ଲାଲିତ୍ୟ, ସୂକ୍ଷ୍ମ ବର୍ଣ୍ଣନା, ଉପମା ଅଳଙ୍କାରର ପ୍ରୟୋଗ ପ୍ରଭୃତି ଅନୁବାଦକମାନଙ୍କୁ ମଧ୍ୟ ଆକର୍ଷିତ କରିଛି ଅନ୍ୟ ଭାଷାରେ ଅନୁବାଦ ନିମନ୍ତେ । ‘ସୁନ୍ଦର୍ ସାଏ’ କାବ୍ୟକୁ ହିନ୍ଦିରେ ଶିବପ୍ରସାଦ ମେହେର, ‘ସୁରୁତ୍’ କୁ ହିନ୍ଦିରେ କୁମାର୍ ହସନ୍, ‘ମହାସତୀ ଉର୍ମିଲା’ ଓ ‘ସାଁକୁର୍ ରାମାୟଣ’କୁ ଇଂରାଜୀରେ ମହେନ୍ଦ୍ର ମିଶ୍ର ସମେତ ଆହୁରି କାବ୍ୟ କବିତାର ଅନୁବାଦ କାମ ଚାଳିଛି । ୬ଟି କାବ୍ୟକୁ ନେଇ ପ୍ରଥମ ଭାଗ ଗ୍ରନ୍ଥାବଳୀ ପ୍ରକାଶିତ ଏବଂ ଦ୍ୱିତୀୟ ଭାଗ ଗ୍ରନ୍ଥାବଳୀ ଏବେ ପ୍ରକାଶନ ଅପେକ୍ଷାରେ । ସାଧାରଣ ମଣିଷ ଓ ଅସାଧାରଣ ପ୍ରତୀଭାର ସମନ୍ମୟ ହେଉଛନ୍ତି କବି ହଳଧର । ସବୁଠାରୁ ନିଆରା ଦିଗହେଳା କବିଙ୍କ ସୃଜନ ଏବଂ ପଠନ ଶୈଳୀ । କେଉଁଠି ବସିଥିବା ବେଳେ, କିଛି କରୁଥିବା ବେଳେ ତାଙ୍କର ଓଠ ସାମାନ୍ୟ ଏପଟ ସେପଟ ହେଉଥାଏ | ମନ ମସ୍ତିଷ୍କରେ ଚାଳିଥାଏ ତାଙ୍କର କବିତା ସୃଜନ । ଏହାପରେ ସେ କାଗଜରେ ପାଣ୍ଡୁଳିପି ଲେଖିବା ବେଳକୁ ତାଙ୍କର ସ୍ମୃତିରେ ବି ଲିପିବଦ୍ଧ ହୋଇସାରିଥାଏ ସେଇ କୃତୀ ସବୁ । ଲେଖୁଥିବା ସମସ୍ତ କାବ୍ୟ କବିତାକୁ ସେ ମନ ଭିତରେ ସ୍ମରଣ କରି ଦର୍ଶକଙ୍କ ଆଗରେ ଘଣ୍ଟା ଘଣ୍ଟା କାଳ ମଂଚରେ ଅନର୍ଗଳ ଆବୃତି କରିଥାନ୍ତି । ମାଟି ସଁସ୍କୃତି, ମାଟିର ମଣିଷ ଉପରେ ତାଙ୍କର ସୃଜନ । ନିଜର କଥାକୁ ନିବିଡ ଭାବରେ ଲୋକେ ନିକଟରେ ପାଉଥିବାରୁ ତାଙ୍କ ନିଜର କବି ଅର୍ଥାତ୍ ‘ଲୋକକବି’ ଭାବରେ ଗ୍ରହଣ କରିସାରିଛନ୍ତି ।
ଓଡିଶାର ପ୍ରଚଣ୍ଡ ପ୍ରତିଭାଧାରୀ ଅନେକ କବିଙ୍କ ମଧ୍ୟରୁ କବି ହଳଧରଙ୍କ ଜୀବନ ଯାତ୍ରା ଏବଂ ସାହିତ୍ୟ ସୃଜନ ନିଆରା ଅଟେ । ଦୁରାବସ୍ଥା ଭିତରେ ବି ଜୀବନବ୍ୟାପି ସାରସ୍ୱତ ସାଧନା, ବାଣୀ ନିରାଜନା । ସୃଷ୍ଟି ତାଙ୍କ ବିପୁଳ । କୃତି ତାଙ୍କ ମଂଜୁଳ । ଶୁଣିବାକୁ ଶ୍ରୁତିମଧୁର । କବିତା ତାଙ୍କର ଶୂଣୁଥିବା ବେଲେ ଚଳଚିତ୍ର ଭଳି ଆଖି ଆଗରେ ଝଲସିଯାଏ ଚିତ୍ରପଟ ସବୁ । ମାସକୁ ତିରିଶ ଦିନ ସଭା ସମିତି ଯାଇ କବିତା ଆବୃତି କରନ୍ତି । ଏଇ ମାଟିର ସ୍ୱାଭିମାନ ଓ ଅସ୍ମିତାକୁ ବହନ କରୁଥିବା କବି ଏଠାକାର ଭାଷା, ସଁସ୍କୃତିକୁ ଜାତୀୟ ସ୍ତରରେ ପରିଚିତ କରାଇ ‘ବ୍ରାଣ୍ଡ ଆମ୍ବାସାଡର’ ବିବେଚିତ ହୋଇଛନ୍ତି । ବିନା ଟିପ୍ପଣୀ କି ପାଣ୍ଡୁଲିପି ଧରି ତାଙ୍କର କବିତା ଆବୃତିର ସ୍ୱତନ୍ତ୍ର ଶୈଳୀ ଲୋକଙ୍କୁ ମନ୍ତ୍ର ମୁଗ୍ଧ କରିଦିଏ । ଆଜି ସିଏ ଜୀବନ୍ତ ଆଦର୍ଶ ।
ଅନେକ ପଦବୀ, ଉପାଧୀରେ ଭୁଷିତ ହୋଇଚାଳିଛନ୍ତି କବି ହଳଧର । ତାଙ୍କ ନାମରେ ବିଦ୍ୟାଳୟ, ପାଠାଗାର, ସାହିତ୍ୟ ସଂସଦ, କ୍ଳବ ସମେତ ବହୁ ଅନୁଷ୍ଠାନ ନାମିତ । ମାତ୍ର ତୃତୀୟ ଶ୍ରେଣୀରୁ ପାଠ ଛାଡିଥିବା କବିଙ୍କ ସାହିତ୍ୟକୃତୀକୁ ଅଧ୍ୟାପକ ଶୁଶିଲ ବାରିକ, ଗବେଷିକା ଭାଗ୍ୟଶ୍ରୀ ପଧାନ ଓ ବାରିପଦାର ମନୋଜ ପଧାନଙ୍କ ସମେତ ଗବେଷକଙ୍କ ଗବେଷଣାର ମାଧ୍ୟମ ହୋଇଛି । ଏପରିକି ବିବିସି ମଧ୍ୟ କବିଙ୍କ ଜୀବନୀ ଓ ସାହିତ୍ୟକୁ ରେକଡିଂ କରିସାରିଛି । କବିଙ୍କ ସାହିତ୍ୟ ସୃଜନର ସ୍ୱତନ୍ତ୍ର ଶୈଳୀରେ ଆକର୍ଷିତ ହୋଇ ଶତାଧିକ ତରୁଣ କବିମାନଙ୍କ ସାହିତ୍ୟ ସୃଷ୍ଟି କ୍ରମେ ଏକ ‘ହଲଧରୀୟ ଧାରା’ ଆରମ୍ଭ ହୋଇଛି ।
ଏହି ସରଳ ଓ ନିରାଡମ୍ବର ଜୀବନଚର୍ଯ୍ୟା ଭିତରେ ବି ଆଜି କୈାଣସି ସେଲିବ୍ରେଟୀ ଠାରୁ କମ ନୁହନ୍ତି କବି ହଳଧର । ପ୍ରତି ଘରେ ଘରେ ତାଙ୍କ କବିତାର ମହକ । ପଲ୍ଲିରୁ ଦୀଲ୍ଲି ଯାଏ ସବୁଠି ତାଙ୍କ ଆଦର । ମନ ଭରି ତାଙ୍କୁ ଶ୍ରଦ୍ଧା ଦେଇଥାନ୍ତି ସଚ୍ଚାମଣିଷଟାଏ ବୋଲି । ସାଧାରଣ ଜନତା ଠାରୁ ରାଜନେତା, ଅଭିନେତା କି ଯେତେ ବଡ ଲୋକ ହେଉନା କାହିଁକି କବିଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ, ତାଙ୍କୁ ଆପ୍ୟାୟିତ କରିବା ପାଇଁ କି ତାଙ୍କ ସହ ଫଟୋଟିଏ ହେବା ପାଇଁ ଉକ୍ରଣ୍ଠିତ ହୋଇଥାନ୍ତି । ଜୀବନରେ କେବେ ସାବୁନ ଲଗାନ୍ତି ନାହିଁ । ଦେହରେ ତେଳ ଲଗାନ୍ତି ଏବଂ ମୁଣ୍ଡ ନିହାତି ମଇଳା ହେଲେ କଳାମାଟିରେ ଧୁଅନ୍ତି । ପାଦରେ କେବେ ଚପଲ ନଥାଏ | ବିଶ୍ୱାସ ଯେ -ମା ମାଟିରେ ଶକ୍ତି ଅଛି ଏବଂ ଏହାର ପ୍ରତ୍ୟକ୍ଷ ସ୍ପର୍ଶ ଖଳିପାଦ ଦେଇ ଶରୀରକୁ ସଂଚରିତ ହୋଇ ମଣିଷର ସ୍ମରଣ ଶକ୍ତି ବଢାଏ । ପଦ୍ମଶ୍ରୀ ସମ୍ମାନ ଗ୍ରହଣ ପାଇଁ ଚାରିଦିନ ଦିଲ୍ଲି ଗସ୍ତ ଅବସରରେ ଯୋଡାଏ ଧୋତି, ଗାମୁଛା ଗଂଜି, ତେଳ ଏକ ଶିଶି ଓ ମୁଣ୍ଡକୁଣ୍ଡାଇବାକୁ ପାନିଆଟିଏ ମାତ୍ର ରହିଥିଲା ତାଙ୍କର ଲଗେଜ ଭାବରେ । ନିହାତି ସାଧାସିଧା ଘରୋଇ ଖାଦ୍ୟ ହିଁ ତାଙ୍କର ପସନ୍ଦ । ଦିଲ୍ଲି ସ୍ଥିତ ଅଧୁନିକ ଚାକଚକ୍ୟ ସମ୍ପନ୍ନ ସପ୍ତ ତାରକା ହୋଟେଲରେ ବି କେବଳ ସାଧା ଭାତ ଡାଲି ଖାଇବାକୁ ପସନ୍ଦ କରୁଥିଲେ । ମୁଣ୍ଡ ଧୋଇବା ପାଇଁ ପାଖ ପାର୍କରୁ କଳା ମାଟି(ଲଟକା ମାଟି) ଖୋଜିଥିଲେ । ଏହି ଅବସରରେ ରାଷ୍ଟପତି ଭବନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ, ରାଜନେତା ଆଦିଙ୍କ ଦାମୀ ଭୋଜିରେ ଯୋଗଦେଇ ଘରକୁ ଫେରିବା ପରେ ଆପଣେଇଥିଲେ ହାତରନ୍ଧା ଦେଶୀ ଳୁଣ ପଖାଳକୁ । ସୋସିଆଲ ମେଡିଆରେ ଅପଲୋଡ ହୋଇଥିବା ଏଭଳି ଫଟୋକୁ ହଜାର ହଜାର ସଂଖ୍ୟାରେ ଲୋକେ ପସନ୍ଦ ବି କରିଛନ୍ତି ।
ଅଭାବ, ଅନାଟନ, ଦାରିଦ୍ର୍ୟ, ସଂଘର୍ଷ ଭଳି ପଙ୍କପୂର୍ଣ୍ଣ ଜିବନୀ ଭିତରୁ ଜନ୍ମନେଇଥିବା କବିଙ୍କ ସାହିତ୍ୟ କୃତି ଆଜି ପଦ୍ମଫୁଳ ସଦୃଶ ମନଳୋଭା, ପବିତ୍ରତମ ଓ ଦିବ୍ୟଜ୍ୟାତିପ୍ରଦାନକାରୀ । ବଳିଷ୍ଠ ସାହିତ୍ୟ ମାଧ୍ୟମରେ ସମାଜରେ ଆଶା, ଆଶ୍ୱାସନା, ଆଗ୍ରହ ତଥା ଜ୍ଞାନର ଭଣ୍ଡାର ଦେଉଛନ୍ତି । ଅମୃତ ପରସୁଛନ୍ତି । ଅମୃତସଂଧାନୀ କବିଙ୍କ କଳମମୂନରୁ ଝରିପଡେ- “ ଅମରୁତ୍ ଝରୁ, ସାତ୍ ସମୁଦରୁଁ / ସରଗର୍ ଜହ୍ନୁ / ମାଁର୍ ଥନୁଁ / ମହତ୍ ନିତୀର୍ ଧାରୁଁ / କବିର୍ କଲମ୍ ଗାରୁଁ ।” ସତରେ ବାସ୍ତବ ପୂଜ୍ୟପୁଜାର ଅନୁଭବ ବୈାଧହୁଏ ସମସ୍ତଙ୍କ ହୃଦୟକୁ ଛୁଇଁଛି । ଶେଷରେ ପଦ୍ମଭଳି ସାହିତ୍ୟ ସୃଷ୍ଟିକରି ଅମୃତ ବାଣ୍ଟୁଥିବା କବିଙ୍କୁ ପଦ୍ମଶ୍ରୀ ସମ୍ମାନ ଅବସରରେ କୋଟୀ ଜୁହାର ।
ତାଳପଦର, ବରଗଡ,
ମୋ-୯୯୩୮୨୭୭୬୩୫