ଭୁବନେଶ୍ୱର: ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ । ପୁଲିସ୍ ଏକ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମର ବିଶ୍ୱାସ ରହିଛି । ତେବେ ଏହି ଘଟଣାକୁ ନେଇ ବିଜେପି ଯେଭଳି ରାଜନୀତି ଆରମ୍ଭ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ଉପରେ ବୋମାମାଡ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଏବଂ କୌଣସି ସ୍ତରରେ ଏହା ଗ୍ରହଣୀୟ ନୁହେଁ । ତେବେ ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍ ନୁହେଁ ।
ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରତ୍ୟେକ ଅପରାଧିକ ଘଟଣାକୁ ନେଇ ରାଜନୀତି କରିବା ରାଜ୍ୟ ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ଏହା ଫଳରେ ମାମଲାର ଗୁରୁତ୍ୱ ହ୍ରାସ ସହିତ ଅପରାଧିମାନଙ୍କୁ ରାଜନୀତିକରଣ ବେଶ୍ ସୁହାଉଛି । ଆକ୍ରମଣ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୈତିକ ଆରୋପ ଲଗାଇବା ପୂର୍ବରୁ ବିଜେପି ପ୍ରଥମେ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଦେଖିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ନିକଟରେ ଖୋଦ୍ ରାଜଧାନୀରେ ଦିନ ଦ୍ୱିପ୍ରହରରେ ରାଜ୍ୟ ବିଜେପିର ଦୁଇଜଣ ଆଗଧାଡିର ଯୁବନେତା ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଏଭଳି ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଥିବା ବିଜେପିର ଆଉ ଜଣେ ଯୁବନେତା ବି ଆଠ ମାସ ଜେଲରେ ରହି ଫେରିଥିବା ଜଣାଯାଇଛି । ତେଣୁ ଏଭଳି ସ୍ଥିତିରେ ଆକ୍ରମଣ ଭଳି ଜଘନ୍ୟ ଘଟଣାକୁ ବିଜେପି ନିନ୍ଦା କରିବା ସହିତ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ନେଇ ରାଜନୀତି ନକରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।