ହେଡଲାଇନସ୍:

ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ): ବର୍ତମାନ ଲାଲ ଗଡରେ ବହୁ ସମସ୍ୟା ମାନ ଉପୁଜୁଥିବାରୁ ବହୁ କୁଖ୍ୟାତ କ୍ୟାଡର ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରି ସ୍ୱାଭାବିକ ଜୀବନ ଜିଇଁବା ପାଇଁ ଇଛା ପ୍ରକାଶ କରୁଥିବା ଜଣା ପଡିଛି । ସେଠାରେ ପୁରୁଷ ମାଓବାଦୀ ଓ ମହିଳା ମାଓବାଦୀ ମାନେ ଉପରିସ୍ଥ ମାଓବାଦୀଙ୍କ ଦ୍ୱାରା ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଥିବା ସେମାନେ ପ୍ରକାଶ କରୁଛନ୍ତି । ଆଜି ରାୟଗଡ ଆରକ୍ଷୀ ଅଧୀକ୍ଷକ ବିବେକା ନନ୍ଦ ଶର୍ମା ଓ କେନ୍ଦ୍ରିୟ ରିଜର୍ଭ ପୋଲିସ ନିକଟରେ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ରାୟଗଡ ଆରକ୍ଷୀ ଅଧୀକ୍ଷକ ବିବେକା ନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ମଙ୍କୁ ଓୟମ ଓରଫ ଜୟରାମ ଓରଫ ପଙ୍କେଶ ଓରଫ ସାଇନୁ ଗ୍ରାମ: କରେମାର୍କା, ଗ୍ରାମ ପଂଚାୟତ: ତେଣ୍ଡୁଡି, ଥାନା: ଭଇରାମଗଡ, ଜିଲ୍ଲା: ବିଜାପୁର, ଛତିଶଗଡ ନିବାସୀ ନଭେମ୍ବର ୨୦୧୧ ମସିହାରେ ପାର୍ଟି ମେମ୍ବର ଭାବେ ସୁନାବେଡା ଏରିଆ କମିଟି ମଇନପୁର-ନୂଆପଡା ଡିଭିଜନ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓଇଷ୍ଟ)ରେ ଯୋଗଦାନ କରିଥିଲେ । ଏଥି ମଧ୍ୟରେ ସେ ଏରିଆ କମିଟି ମେମ୍ବର ଭାବରେ ପଦନ୍ନୋତି ପାଇ କଳାହାଣ୍ଡି ଲୋକାଲ ଅପରେସନ ସ୍କ୍ୱାଡ ଭାବେ ମେ ମାସ ୨୦୧୮ରେ ଯୋଗ ଦେଇଥିଲେ । ସେ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲେ ଯଥା ୧୪.୦୮.୨୦୧୯ରେ କଳାହାଣ୍ଡି ଜିଲ୍ଲାର ଟୁରକା ଠାରେ ଘଟିଥିବା ଗୁଳି ବିନିମୟ, ୨୭.୦୩.୨୦୨୦ରେ କଳାହାଣ୍ଡି ଜିଲ୍ଲାର ସ୍ୱାନସପଦର ଠାରେ ଘଟିଥିବା ଗୁଳି ବିନିମୟ, ୧୩.୦୨.୨୦୧୯ରେ କଳାହାଣ୍ଡି ଜିଲ୍ଲାର କଟଲାଘାଟି ଠାରେ ହୋଇଥିବା ଗୁଳି ବିନିମୟ, ୨୨.୦୭.୨୦୧୯ରେ କଳାହାଣ୍ଡି ଜିଲ୍ଲାର ଭିମ ଦୋରାଙ୍କୁ ହତ୍ୟା ଘଟଣା ଓ ୨୦.୦୨.୨୦୨୧ରେ ରାୟଗଡ ଜିଲ୍ଲାର କାମକୋଚା ଠାରେ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଥିବା ଘଟଣାରେ ସେ ସଂପୃକ୍ତ ଥିବା ରାୟଗଡ ଆରକ୍ଷୀ ଅଧୀକ୍ଷକ ବିବେକା ନନ୍ଦ ଶର୍ମା ପ୍ରକାଶ କରିଥିଲେ । ଓଡିଶା ସରକାର ମାଓବାଦୀ ସାଇନୁଙ୍କ ଉପରେ ୪ ଲକ୍ଷ ଟଙ୍କାର ଏକ ପୁରସ୍କାର ରାଶି ଘୋଷଣା କରିଥିବା ଏସ.ପି. ପ୍ରକାଶ କରିଥିଲେ । ସେହିଭଳି ଆଉଜଣେ ମାଓବାଦୀ ଲାଚୁ ମାଡକାମି ଓରଫ ବିଶ୍ୱନାଥ ଓରଫ ଅଭିନାଶ ଛତିଶଗଡ ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅନ୍ତର୍ଗତ ଆଦିସମେଟ ଗ୍ରାମର ବାସିନ୍ଦା । ସେ ଅପ୍ରିଲ ୨୦୧୫ ମସିହାରେ ରାହୁଲ ଏରିଆ କମିଟି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୂଆପଡା ର ଓଡିଶା ରାଜ୍ୟ ଶାଖାରେ ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ । ସେ କଳାହାଣ୍ଡି ଲୋକାଲ ଅପରେସନ ସ୍କ୍ୱଡ ର ବଂଶଧାର ନାଗାବଳୀ ଡିଭିଜନରେ କାର୍ଯ୍ୟକରୁ ଥିବା ଏସ.ପି ପ୍ରକାଶ କରିଛନ୍ତି । ସେ ୦୨.୧୨.୨୦୧୬ ରେ କନ୍ଧମାଳ ଜିଲ୍ଲାର ମାସ୍କାଗୁଡାରେ ଘଟିଥିବା ଗୁଳି ବିନିମୟ, ୨୪.୦୭.୨୦୧୫ ରେ କନ୍ଧମାଳ ଜିଲ୍ଲାର ଲୋବେରନଗଡ ଠାରେ ଘଟିଥିବା ଗୁଳି ବିନିମୟ, ୦୫.୦୧.୨୦୧୯ ରେ କନ୍ଧମାଳ ଜିଲ୍ଲାର ଶବର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପାର ରବି ମଲିକଙ୍କୁ କରାଯାଇଥିବା ହତ୍ୟା ଘଟଣାରେ, ୦୨.୧୦.୨୦୧୮ ରେ କନ୍ଧମାଲ ଜିଲ୍ଲାର ଗାଡିମାସ୍କା ଠାରେ ପୋଲିସ କ୍ୟାମ୍ପକୁ ବ୍ଲାଷ୍ଟିଙ୍ଗ ଘଟଣାରେ, ୨୮.୦୩.୨୦୧୮ ରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ବାଲୁମା ଠାରେ କନଷ୍ଟ୍ରକସନ କମ୍ପାନୀର ଗାଡି ଓ ମେସିନ ପୋଡିବା ଘଟଣାରେ, କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ଥାନା ଅନ୍ତର୍ଗତ ପିଡେଲ ଠାରେ ଅନୀଲ ମାଝୀଙ୍କୁ ହତ୍ୟା ଘଟଣାରେ, ୧୭.୦୪.୨୦୧୯ ରେ ସାଧାରଣ ନିର୍ବାଚନ - ୨୦୧୯ରେ କନ୍ଧମାଳ ଜିଲ୍ଲାର ରିବିଲଡା ଠାରେ ଦୁଇଟି ପୋଲିଙ୍ଗ ଗାଡି ଓ ଏଥିସହ ଇଭିଏମ୍ ମେସିନ ପୋଡିବା ଘଟଣାରେ, ଓ ୩୦.୦୩.୨୦୧୬ ରେ କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ଥାନା ଅନ୍ତର୍ଗତ ମୁଣ୍ଡାମାସ୍କା ଠାରେ ଘଟିଥିବା ଗୁଳି ବିନିମୟ ଘଟଣାରେ ସେ ସାମିଲ ଥିବା ରାୟଗଡ ଆରକ୍ଷୀ ଅଧୀକ୍ଷକ ବିବେକା ନନ୍ଦ ଶର୍ମା ପ୍ରକାଶ କରିଥିଲେ । ମାଓବାଦୀ ଲାଚୁ ମାଡକାମିଙ୍କ ପାଇଁ ଓଡିଶା ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ଏସ.ପି ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଏସ.ପି ପ୍ରକାଶ କରିଥିଲେ ଯେ, ମୂଖ୍ୟତଃ ଭାଷା ଗତ ସମସ୍ୟା, ଘର ଠାରୁ ଦୁରରେ ରହିବା, ଖାଦ୍ୟ ଓ ପାନୀୟ ଜଳର ସମସ୍ୟା, ଉପରସ୍ଥ ମାଓବାଦୀଙ୍କ ଜୁଲମ, ମାଓବାଦୀଙ୍କ ସଂଖ୍ୟା ଧିରେ ଧିରେ କମିବା ଓ ଓଡିଶା ସରକାରଙ୍କ ଲୋଭନିୟ ସ୍କିମର ଘୋଷଣା ମୂଖ୍ୟତଃ ଏମାନଙ୍କୁ  ଆତ୍ମସମର୍ପଣ କରିବାରେ ଉତ୍ସାହ ଦେଖା ଯାଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ଏମାନଙ୍କୁ ଧରିବା ପାଇଁ ଘୋଷଣା କରାଯାଇଥିବା ପୁରସ୍କାର ରାଶି ଓ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ସ୍କିମ ଗୁଡିକ ଯୋଗାଇ ଦେଇ ଏମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଆରକ୍ଷୀ ଅଧୀକ୍ଷକ ବିବେକା ନନ୍ଦ ଶର୍ମାଙ୍କ ସମେତ ୪ର୍ଥ ବାଟାଲିଅନ ସିଆରପିଏଫ ର ସେକେଣ୍ଡ-ଇନ-କମାଣ୍ଡାଣ୍ଟ ନିତୁ ରାୟ ଉପସ୍ଥିତ ଥିଲେ ।   

 

0
0
0
s2sdefault