ହେଡଲାଇନସ୍:

“ବିଶ୍ବ ଘରଚଟିଆ ଦିବସ” ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟ ଗ୍ରାମରେ ଶନିବାର ଦିନ ଆଞ୍ଚଳିକ ବିକାଶ ପରିଷଦ-ଗଞ୍ଜାମ ଓ ବ୍ରହ୍ମପୁର ସ୍ଥିତ ସବୁଜ ବାହିନୀର ମିଳିତରେ ପାରଳାଖେମୁଣ୍ଡି ବନଖଣ୍ଡ ବିଭାଗ ସହଯୋଗରେ “ବିଶ୍ବ ଘରଚଟିଆ ଦିବସ” ପାଳନ ଓ ଘରଚଟିଆ ମାନଙ୍କ ନିମନ୍ତେ ଗ୍ରାମବାସୀଙ୍କୁ କୃତ୍ରିମ ଘର ଓ ଖାଦ୍ୟସ୍ଥଳୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦର ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ ପାରଳାଖେମୁଣ୍ଡି ବନଖଣ୍ଡ ଡିଏଫଓ - ଶ୍ରୀ ସଂଗ୍ରାମ କେଶରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯେଉଁ ସ୍ଥାନ ମାନଙ୍କରେ ଘରଚଟିଆ ମାନେ ରହୁଥିଲେ , ସେମାନଙ୍କୁ ପୂର୍ବଭଳି ସେମାନଙ୍କ ବାସସ୍ଥାନକୁ ଫେରାଇ ଆଣିବା , ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ କରି ଏ ଦିଗରେ ଲୋକଙ୍କୁ ସଚେତନ କରାଇବା ପ୍ରତି ନିଶ୍ଚିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଦିନକୁ ଦିନ କୋଠାଘର ଓ ମୋବାଇଲ ଟାୱାର ଗଢି ଉଠୁଥିବା ଯୋଗୁ ଏବଂ ଚାଳଛପର ଘର ଲୋପ ପାଇଯିବା ଯୋଗୁଁ ଘରଚଟିଆ ଓ ଅନ୍ୟାନ୍ୟ ସ୍ଥାନୀୟ ପକ୍ଷୀ ଆମ ସମାଜ ଠାରୁ ଦୂରେଇ ଯିବା ସହ ପ୍ରାୟତଃ ଲୋପ ପାଇଗଲାଣି । ପିଲା ଦିନରେ ଆମେ ଯେଉଁ ପରିମାଣରେ ଘରଚଟିଆ ଦେଖୁଥିଲେ ତାହା ଆଉ ଦେଖିବାକୁ ମିଳୁନି । ଯଦି ଆମ ଅଞ୍ଚଳରେ ଘରଚଟିଆ ସହ ସ୍ଥାନୀୟ ପକ୍ଷୀ ମାନଙ୍କ ସୁରକ୍ଷା କରାଯାଏ , ତାହାହେଲେ ଏହା ଆମର ପରବର୍ତ୍ତୀ ପିଢିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଯିବା ସହ ସେମାନେ ଏଦିଗରେ ଅଧିକ ଦୟାଶୀଳ ହୋଇ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଅଧିକ ଯତ୍ନବାନ ହେବାରେ ବିଶେଷ ସହାୟକ ହେବେ । ଘରଚଟିଆ ଓ ସ୍ଥାନୀୟ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ହେଲେ ଏମାନେ ଆମ ପ୍ରକୃତି ଓ ପରିବେଶକୁ ସୁରକ୍ଷା ଦେବାସହ ଆମ ଫସଲରେ କିତପଟଙ୍ଗ ଲାଗି ଯେଉଁ ନଷ୍ଟ ହୋଇଯାଉଛି , ତାକୁ ପକ୍ଷୀମାନେ ଖାଇଯିବେ ଏବଂ ଆମ ଫସଲ ଭଲ ହେବା ସହ ଏ ଦିଗରେ ଚାଷୀ ବେଶ ଉପକୃତ ହେବେ । ଏତଦବ୍ୟତୀତ ଆମ ଜଙ୍ଗଲରେ ଯେଉଁ ନିଆଁ ଲଗାଯାଉଛି , ଏହା ଦ୍ବାରା କେବଳ ଗଛ ନଷ୍ଟ ହେଉନି , ଏହା ଦ୍ୱାରା ଜଙ୍ଗଲରେ ଥିବା ବନ୍ୟଜନ୍ତୁ ନଷ୍ଟ ହେବା ସହ ଆମ ପ୍ରକୃତି ଓ ପରିବେଶ ଉପରେ ଅତ୍ୟନ୍ତ କୁପ୍ରଭାଵ ପଡୁଛି । ତେଣୁ ଜଙ୍ଗଲର ମଧ୍ୟ ସୁରକ୍ଷା ଓ ସଂରକ୍ଷଣ କରାଯିବା ଉପରେ ଉପସ୍ଥିତ ଗ୍ରାମବାସୀଙ୍କୁ ଆହ୍ବାନ କରିଥିଲେ ।

ଏହି ଅବସରରେ ଗ୍ରାମବାସୀଙ୍କୁ ନିଜ ଘରେ ଘରଚଟିଆର ସୁରକ୍ଷା ପାଇଁ କୃତ୍ରିମ ବାସସ୍ଥଳୀ ଓ ଖାଦ୍ୟସ୍ଥଳୀ ବଣ୍ଟନ କରିଥିଲେ । ଗ୍ରାମବାସୀଙ୍କ ଘରକୁ ଯାଇ ମଧ୍ୟ ଏହା ବଣ୍ଟନ କରିଥିଲେ ଡିଏଫଓ ଶ୍ରୀ ସଂଗ୍ରାମ କେଶରୀ ବେହେରା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସିଏଫଓ: ଗୌରୀ ପ୍ରସାଦ ରଥ , ଦେବଗିରି ରେଞ୍ଜର ଅରୁଣ କୁମାର ବେହେରା ଏବଂ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶ୍ରୀ ଶିବରାମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହି ଘରଚଟିଆର ସୁରକ୍ଷା ଓ ସଂରକ୍ଷଣ ସମେତ ଏହାଦ୍ୱାରା ମଣିଷର କଣ ଉପକାର ହୋଇଥାଏ , ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ବୁଝାଇ ସଚେତନ କରାଇଥିଲେ । 

ସମସ୍ତ କାର୍ଯ୍ୟକ୍ରମକୁ ଉପଲଡା ଫରେଷ୍ଟର ଅମୃତ କୁମାର ଜେନା , ଫରେଷ୍ଟ ଗାର୍ଡ ସନ୍ତୋଷ ପରିଛା , ବାବୁଲା ପଟ୍ଟନାୟକ , ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ଶ୍ରୀ ବିଜେନ୍ଦ୍ର ମାଝୀ , ରାକେଶ କୁମାର ବିଶୋଇ , ସୁଜିତ କୁମାର ଗୌଡ଼ ଏବଂ ସବୁଜ ବାହିନୀର ଏମ୍. ଦିଲୀପ କୁମାର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ

0
0
0
s2sdefault