ଉପକୃତ ହେବେ ୧୭,୦୧୨ ଛାତ୍ରଛାତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକ କରୋନା ପାଇଁ ଏପ୍ରିଲ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ଥିଲା | ଛାତ୍ରଛାତ୍ରୀମାନେ ଏ ସମୟରେ ହଷ୍ଟେଲ ସୁବିଧା ବ୍ୟବହାର କରିନଥିଲେ | ଏହାକୁ ବିଚାରକୁ ନେଇ ଆଉ କରୋନା ପରବର୍ତ୍ତୀ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହୃଦୟତାର ସହ ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି | ତେଣୁ ଏହି ଅନୁଷ୍ଠାନ ବନ୍ଦ ଥିବା ସମୟ ପାଇଁ ସମ୍ପୃକ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକର ଛାତ୍ରଛାତ୍ରୀମାନଙ୍କ ହଷ୍ଟେଲ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର | ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦ୍ୱାରା ୧୭,୦୧୨ ଛାତ୍ରଛାତ୍ରୀ ଉପକୃତ ହେବେ | ଏବାବଦରେ ରାଜ୍ୟ ସରକାରଙ୍କୁ ୫ କୋଟି ୧୦ ଲକ୍ଷ ଟଙ୍କା ବହନ କରିବାକୁ ପଡିବ |