ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ
ବାରିପଦା (ଦିଲ୍ଲୀପ ମହାନ୍ତି )- ଚଳିତ ଗ୍ରୀଷ୍ମ ଋତୁରେ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଭିଡିଓ କନଫରେନସି ଜରିଆରେ ଅନୁଷ୍ଠିତ ଉକ୍ତ ଜିଲ୍ଲାସ୍ତରୀୟ ବୈଠକରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ସ୍ମିତ ପି.ପରମାର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଭବେଶ କୁମାର ନାୟକ, ବାରିପଦା ଉପଜିଲ୍ଲାପାଳ ପି.ଅନ୍ୱେଷା ରେଡି, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସହ ସମ୍ପୃକ୍ତ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ଉଦଳା, କରଂଜିଆ, ରାଇରଂଗପୁର ଉପଖଣ୍ଡର ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ଓ ଅଂଶୁଘାତ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଏହାର ମୁକାବିଲା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୁରୁତ୍ୱ ଆରୋପ କରିଛନ୍ତି । ଏ ଦିଗରେ ବିଶେଷ କରି ପଞ୍ଚାୟତରାଜ ବିଭାଗ ଅଧିନସ୍ଥ ଜିଲ୍ଲାର ସମସ୍ତ ନଳକୂପ /ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସଠିକ୍ କାର୍ଯ୍ୟକ୍ଷମ କରାଯିବା ଦିଗରେ ଗ୍ରାମ ପଞ୍ଚାୟତରେ ଥିବା ଏସଇଏମ୍ମାନଙ୍କୁ ମରାମତି କାର୍ଯ୍ୟରେ ନିୟୋଜିତ କରାଇ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବଂ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଜଳ କ୍ଲିଷ୍ଟ/ ଆଇରନ / ଫ୍ଲୋରାଇଡ୍ ପ୍ରଭାବିତ ଅଂଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ଏବଂ ଏଥି ପାଇଁ ବ୍ଲକ/ପଂଚାୟତ ସ୍ତରରେ ଉଦିଷ୍ଟ ଥିବା ଟିଏଫ୍ସି/ଏସଏଫ୍ସି ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ବିନିଯୋଗ କରି ଜରୁରୀ କାଳିନ ଭିତିରେ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି । ଉକ୍ତ ବୈଠକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଗ୍ରୀଷ୍ମ ପ୍ରଭାବ ଜନିତ ତାପମାତ୍ରା ଓ ଅଂଶୁଘାତର ସତର୍କତା ସୂଚନା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବିଦ୍ୟୁତ ସରବରାହ ବ୍ୟବସ୍ଥା ଏବଂ ସମସ୍ତ ଶିକ୍ଷାନୁଷ୍ଠାନ , ଅଙ୍ଗନୱାଡି କେନ୍ଦ୍ର ପରିଚାଳନା, ସରକାରୀ / ଅର୍ଦ୍ଧ ସରକାରୀ / ଘରୋଇ ଆଦି କାର୍ଯ୍ୟକ୍ଷେତ୍ରରେ ନିର୍ମାଣ ଶ୍ରମିକ ନିୟୋଜନ ଏବଂ ଯାତ୍ରୀବାହୀ ଯାନବାହାନ ଚଳାଚଳ ଆଦି କ୍ଷେତ୍ରରେ ସମୟ ସୀମା ସାରଣୀ ପରିବର୍ତ୍ତନ କରାଯିବା ଆଦି ବିଷୟ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା କରା ଯିବା ସହିତ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତ ଗ୍ରୀଷ୍ମଋତୁରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ ବୈଷୟୀକ ବିଭାଗ ମାର୍ଗ ଦର୍ଶିକା ଅନୁସାରେ ନିର୍ଦ୍ଧାରିତ ଥିବା ସମୟ ସୀମା ମଧ୍ୟରେ ପରିଚାଳନା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ / ବେସରକାରୀ କାର୍ଯ୍ୟକ୍ଷେତ୍ରରେ ଶ୍ରମିକ ମାନଙ୍କୁ ଦିବା ୧୧ ଘଟିକାଠାରୁ ଅପରାହ୍ନ ୩.୩୦ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ । ବିଭିନ୍ନ ନିର୍ମାଣାଦି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ର ନିକଟରେ ଆବଶ୍ୟକୀୟ ପାନୀୟଜଳ, ଓ.ଆର.ଏସ୍ ପ୍ୟାକେଟ୍, ଛାୟାପ୍ରଦ ଆଶ୍ରୟସ୍ଥଳ ଆଦି ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଗୁରୁତ୍ୱରୋପ କରାଯାଇଥିବା ବେଳେ ଜିଲ୍ଲାଶ୍ରମ ଅଧିକାରୀଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଗ୍ରହଣ କରାଯାଇଥିବା ଆବଶୟକୀୟ ବ୍ୟବସ୍ଥା ସମ୍ବନ୍ଧରେ ଅନୁଧ୍ୟାନ କରି ନିୟମିତ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଆଂଚଳିକ ପରିବହନ ଅଧିକାରୀଙ୍କ ତତ୍ୱାବଧାନରେ ମଧ୍ୟାହ୍ନ ଗ୍ରୀଷ୍ମ ପ୍ରକୋପ ସମୟରେ ଯାତ୍ରୀବାହୀ ଯାନବାହାନ ଚଳାଚଳ ଉପରେ ବିଭାଗୀୟ ଏସ୍ଓପି ମାର୍ଗ ଦର୍ଶିକା ପାଳନ କରାଯିବା ଏବଂ ସମସ୍ତ ଯାତ୍ରୀ ପରିବହନ ଯାନ ଭିତରେ ଆବଶ୍ୟକୀୟ ପାନୀୟଜଳ, ଓ.ଆର.ଏସ୍, ପ୍ୟାକେଟ ଓ ବସ୍ ଷ୍ଟାଣ୍ଡମାନଙ୍କରେ ଆବଶ୍ୟକୀୟ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ମାନଙ୍କରେ ଜୀବନରକ୍ଷାକାରୀ ଔଷଧ/ଓ.ଆର୍.ଏସ. ପ୍ୟାକେଟ ଇତ୍ୟାଦି ଯଥେଷ୍ଟ ପରିମାଣରେ ମହଜୁଦ ରଖିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଓ ଜିଲ୍ଲା ଚିକିତ୍ସାଳୟରେ ଅଂଶୁଘାତ ଜନିତ ପ୍ରଭାବିତ ରୋଗୀମାନଙ୍କ ଆଶୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ କୁଲର୍ / ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରିବା ଏବଂ ଭ୍ରାମ୍ୟ ମାଣ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରୀଷ୍ମଋତୁରେ ଜିଲ୍ଲାରେ ପାନୀୟ ଜଳର ଅଭାବ ଦୂରୀକରଣ ନିମନ୍ତେ ଗ୍ରାମାଂଚଳ ଓ ସହରାଂଚଳରେ ନଳକୂପ ଓ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରାଇବା, ଆବଶ୍ୟକ ସ୍ଥଳେ ଜରୁରୀ କାଳୀନ ଭିତିରେ ନଳକୂପ ସ୍ଥାପନ/ଡଗ୍ୱେଲ ଖନନ କରାଯାଇ ଜଳ ଯୋଗାଇ ଦେବା ଏବଂ ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦେବା ବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଏ ଦିଗରେ ସମସ୍ତ ବି.ଡି.ଓ ଏବଂ ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ନିର୍ବାହୀ ଅଧୀକାରୀ ମାନେ ତୀକ୍ଷଣ ଦୃଷ୍ଟି ଦେବାପାଇଁ ଗୁରୁତ୍ୱଆରୋପ କରାଯାଇଛି । ସେହିପରି ଗୃହପାଳିତ ପ୍ରାଣୀମାନଙ୍କୁ ଗ୍ରୀଷ୍ମ ପ୍ରକୋପ ମଧ୍ୟାହ୍ନ ସମୟରେ ବାହାରକୁ ନଛାଡିବା ପାଇଁ ପରାମର୍ଶ ଦେବା ସହ ଅଂଶୁଘାତ ଜନିତ ଆଶୁଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ଓ କେନ୍ଦ୍ର ମାନଙ୍କରେ ଆବଶ୍ୟକୀୟ ପ୍ରାଣୀ ଚିକିତ୍ସା ଔଷଧ ଯୋଗାଣ ବ୍ୟବସ୍ଥା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବିଭିନ୍ନ ହାଟ, ବଜାର, ବସଷ୍ଟାଣ୍ଡ, ଛକ ଆଦି ଜନସମାଗମ ସ୍ଥାନମାନଙ୍କରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯାଇ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା କରିବାକୁ ସମସ୍ତ ବି.ଡି.ଓ / ନିର୍ବାହୀ ଅଧିକାରୀ, ପୌରାଂଚଳ ଓ ବିଜ୍ଞାପିତ ଅଂଚଳକୁ ନିଦେ୍ଧଶ ଦିଆଯାଇଛି । ନିର୍ବାହୀଯନ୍ତ୍ରୀ, ନେସ୍କୋଙ୍କ ତତ୍ୱାବଧାନରେ ବିଦ୍ୟୁତ ଶକ୍ତି ଯୋଗାଣ ଦିଗରେ ତୀକ୍ଷଣ ଦୃଷ୍ଟି ଦେବାକୁ ଗୁରୁତ୍ୱ ଆରୋପ କରାଯାଇଛି ।
ଜିଲ୍ଲାର ସମସ୍ତ ବ୍ଲକ/ତହସିଲ/ଉପଖଣ୍ଡ/ ଜିଲ୍ଲାସ୍ତରରେ ଜରୁରୀ କାର୍ଯ୍ୟାଳୟ /ରାଜସ୍ୱ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ, ଉପଖଣ୍ଡ ଜିଲ୍ଲା ଚିକିତ୍ସାଳୟ ମାନଙ୍କରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପାନୀୟ ଜଳ ଯୋଗାଣ ସମସ୍ୟା ଓ ଅଂଶୁଘାତ ଜନିତ ରୋଗୀମାନଙ୍କ ସମ୍ପର୍କୀତ ଅଭିଯୋଗ / ସୂଚନା ପ୍ରାପ୍ତ ହେବା ମାତ୍ରେ ଅଭିଯୋଗ ରେଜିଷ୍ଟରରେ ଲିପି ବଦ୍ଧକରି ଜରୁରୀ ପଦକ୍ଷେକ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗିୟ ଅଧିକାରୀମାନଙ୍କୁ ଗୁରୁତ୍ୱାରୋପ କରାଯାଇଛିି । ଅଂଶୁଘାତ ଓ ଅଗ୍ନି ଜନିତ ମୃତ୍ୟୁ ଖବର/ଅଭିଯୋଗ ଆସେ, ଯଥାଶୀଘ୍ର ସଂପୃକ୍ତ ସ୍ୱାସ୍ଥ୍ୟ ଅଧୀକାରୀ ଓ ରାଜସ୍ୱ ଅଧୀକାରୀଙ୍କ ଦ୍ୱାରା ୪୮ଘଂଟା ମଧ୍ୟରେ ମିଳିତ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କ ନିକଟକୁ ତଦନ୍ତ ବିବରଣୀ ପଠାଇବାକୁ ପରାମର୍ଶ ଦିଆଯାଇଅଛି ।