ପିଏମ୍‌-କିଷାନ୍‌ : ଅରୁଣ ଦେଲେ ଧର୍ମେନ୍ଦ୍ରଙ୍କ ଚିଟାଉର ଉତ୍ତର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପିଏମ୍‌-କିଷାନ୍‌ ଯୋଜନାର ଅବ୍ୟବସ୍ଥାକୁ କଲେ ଆଙ୍ଗୁଳି ନିର୍ଦ୍ଦେଶ

  • ପୋର୍ଟାଲ୍‌ରେ ତଥ୍ୟ ସଂଶୋଧନ ପାଇଁ ରାଜ୍ୟକୁ ମିଳୁ କ୍ଷମତା 

  • ଗୋଟିଏ କିସ୍ତି ପାଇଥିବା ଯୋଗ୍ୟ ଚାଷୀ ପରବର୍ତ୍ତୀ କିସ୍ତିରେ କାହିଁକି ବଞ୍ଚିତ ହେଉଛନ୍ତି ତାହା ବୁଝିହେଉନି

ଭୁବନେଶ୍ବର : ଦୁଇ ଦିନ ତଳେ ପିଏମ୍‌-କିଷାନ୍‌ ଯୋଜନା ପ୍ରସଙ୍ଗରେ କେତେକ ଅସଙ୍ଗତି ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀଙ୍କୁ  ଚିଠି | ଆଉ ସେ ଚିଠିର ଜବାବ ଦେଇଛନ୍ତି ରାଜ୍ୟ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ- ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ଧର୍ମେନ୍ଦ୍ରଙ୍କ  ଚିଠିର ଜବାବରେ  କୃଷିମନ୍ତ୍ରୀ ଡ଼ ସାହୁ ପତ୍ର ଲେଖି ପିଏମ୍‌-କିଷାନ ଯୋଜନାରେ ରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

ଶ୍ରୀ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପିଏମ୍‌-କିଷାନ ଯୋଜନାରେ ବ୍ୟବସ୍ଥା ରହିଛି ଯେ  ଜମି ମାଲିକାନା ଥିବା ଯୋଗ୍ୟ ଚାଷୀଙ୍କ ପରିବାର କେବଳ ପିଏମ୍‌ କିଷାନ୍ ପୋର୍ଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହେବେ। ରାଜ୍ୟ ସରକାର କ୍ଷେତ୍ର ସ୍ତରରେ ଠିକ୍ ଯାଞ୍ଚ୍ କରି ଚାଷୀଙ୍କ ନାମ ପଞ୍ଜୀକୃତ କରିଛନ୍ତି। ପିଏମ୍‌-କିଷାନ୍ ପୋର୍ଟାଲ୍‌ରେ ଓଡ଼ିଶାରୁ  ୪୩.୧୭ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିଲେ ବି ସେମାନଙ୍କ  ମଧ୍ୟରୁ ପିଏମ୍‌-କିଷାନ ଯୋଜନାରେ ସହାୟତା ପାଇବାକୁ ୩୮.୬୫ ଲକ୍ଷ ଚାଷୀଙ୍କ ନାମ ମଞ୍ଜୁର ହୋଇଛି।  ଅବଶିଷ୍ଟ ୪.୫୨ ଲକ୍ଷ ପଞ୍ଜୀକୃତ ଚାଷୀଙ୍କୁ ଏହି  ଯୋଜନାରେ ସାମିଲ କରିନାହାନ୍ତି କେନ୍ଦ୍ର ସରକାର | ତେଣୁ ଏପର୍ଯ୍ୟନ୍ତ ସାମିଲ ହୋଇ ନଥିବା ଚାଷୀଙ୍କୁ ଆବଶ୍ୟକ  ସୁବିଧା କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କୃଷି ମନ୍ତ୍ରୀ ଡ଼ ସାହୁ ତାଙ୍କ ପାତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ମନ୍ତ୍ରୀ ଡ଼ ସାହୁ ତାଙ୍କ ଚିଠିରେ ଆଉ ଏକ ଅସଙ୍ଗତି ବିଷୟ ଉଲ୍ଲେଖ କରି କହିଛନ୍ତି ଯେ,  ମଞ୍ଜୁର ହୋଇଥିବା ଚାଷୀଙ୍କ ମଧ୍ୟରୁ ୩୭.୧୯ ଲକ୍ଷ ଚାଷୀ(୯୬.୨୨%) ଏକ କିମ୍ବା ଅଧିକ କିସ୍ତିରେ ଅର୍ଥ ପାଇଛନ୍ତି। ପିଏମ୍‌-କିଷାନ ଯୋଜନାରେ ଗୋଟିଏ କିସ୍ତି ପାଇବାକୁ ଯୋଗ୍ୟ ହୋଇଥିବା ଜଣେ ଚାଷୀଙ୍କୁ ପରବର୍ତ୍ତୀ କିସ୍ତିଗୁଡ଼ିକରୁ କାହିଁକି କେନ୍ଦ୍ର ସରକାର ବଞ୍ଚିତ କରିଛନ୍ତି ତାହା ବୁଝିହେଉନି |  ଏ ସମ୍ପର୍କରେ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ବି ସୁଫଳ ମିଳୁନି ।  ପିଏମ୍ କିଷାନ୍ ଟେକ୍ନିକାଲ୍‌ ଟିମ୍‌  ଟ୍ରାଞ୍ଜାକ୍ସନ୍ ଫେଲ୍‌, ପଞ୍ଜୀକୃତ ଚାଷୀଙ୍କ ନାମ ଓ ସେମାନଙ୍କ ଆଧାର ନାମ ନ ମିଶିବା, ଏଲ୍‌ଜିଡି କୋଡ୍‌ରେ ପରିବର୍ତ୍ତନ, ପିଏମ୍‌ଏମ୍‌ଏସ୍‌ ସହିତ ବ୍ୟାଙ୍କର ସମନ୍ବୟ ନ ରହିବା ଆଦି ବିଭିନ୍ନ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କ ଅନୁରୋଧକୁ ଏଡାଇ ଆସିଛନ୍ତି ବୋଲି ମନ୍ତ୍ରୀ ଡ଼ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |

ରାଜ୍ୟ କୃଷି ମନ୍ତ୍ରୀ କହିଛନ୍ତି ଯେ ପଞ୍ଜୀକୃତ ଚାଷୀଙ୍କ ସମସ୍ତ ତଥ୍ୟ ପିଏମ୍‌-କିଷାନ ପୋର୍ଟାଲ୍‌ରେ ରାଜ୍ୟ ସରକାର ଅପ୍‌ଲୋଡ୍‌ କରିଛନ୍ତି। କିନ୍ତୁ ଏହି ପୋର୍ଟାଲ୍‌ରେ ଆବଶ୍ୟକ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୀମିତ ସୁଯୋଗ ରହିଛି । ଅଧିକ ସଂଖ୍ୟାରେ ବ୍ୟାଙ୍କ ତଥ୍ୟ ସଂଶୋଧନ ଓ ଅନ୍ୟାନ୍ୟ ସଂଶୋଧନ କରିବା ସରକାରଙ୍କ ପକ୍ଷେ ସମ୍ଭବପର  ହେଉ ନାହିଁ। ସେଥିପାଇଁ ସମ୍ପୂର୍ଣ୍ଣ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଓଡ଼ିଶା ଅନୁରୋଧ କରିଛି। ରାଜ୍ୟ ସରକାରଙ୍କୁ  ସମ୍ପୂର୍ଣ୍ଣ ପ୍ରଶାସନିକ ଓ ସଂଶୋଧନ ସୁବିଧା ଉପଲବ୍ଧ କରାଇବା  ପାଇଁ ପିଏମ୍‌-କିଷାନ୍‌ ପୋର୍ଟାଲ୍‌ ପରିଚାଳନା କରୁଥିବା ଟିମ୍‌କୁ ପରାମର୍ଶ ଦେବା ସକାଶେ  ଶ୍ରୀ ସାହୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମହତ୍ୱାକାଂକ୍ଷୀ କାଳିଆ ଯୋଜନା ସାମ୍ପରେ ଉଲ୍ଲେଖ କରି  କୃଷି ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ୨୦୧୮ ମସିହାରୁ ରାଜ୍ୟର ଚାଷୀଙ୍କ ପାଇଁ ଓଡ଼ିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଗତ ଫେବ୍ରୁୟାରିରେ ୫୩.୫୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ ବେଳେ ମାତ୍ର ୦.୮% ଟ୍ରାଞ୍ଜାକ୍ସନ୍ ଏରର ‌ ହୋଇଛି। ଆଧାର କାର୍ଡରେ ଥିବା ନାମ ଓ ପୋର୍ଟାଲ୍‌ରେ ଥିବା ନାମ ମଧ୍ୟରେ ବନାନଗତ ଅମେଳ ଯୋଗୁ ଖୁବ୍ କମ୍ ଲୋକଙ୍କ ଏକାଉଣ୍ଟକୁ ଟଙ୍କା ଯାଇପାରି ନାହିଁ। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ପାଇଁ ଓ ଶତ ପ୍ରତିଶତ ସଫଳ କରିବା ପାଇଁ ସରକାର ନିରବଛିନ୍ନ ଉଦ୍ୟମ ଚଳାଇଛନ୍ତି । ଓଡ଼ିଶା ସରକାରଙ୍କ ଟେକ୍ନିକାଲ୍‌ ଟିମ୍ ପିଏମ୍‌-କିଷାନ୍‌ର ଟେକ୍ନିକାଲ୍‌ ଟିମ୍ ସହ ଯୋଗ‌ାଯୋଗ ରଖି କାର୍ଯ୍ୟ କରୁଛନ୍ତି। ଏହା ଯୋଗୁ ଅନେକ ସମସ୍ୟା ମଧ୍ୟ ସମାଧାନ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବହୁ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି ରହିଛି। ତେଣୁ ଏହି ପରିପ୍ରେକ୍ଷୀରେ ଯଦି ପିଏମ୍‌-କିଷାନ୍‌ ପୋର୍ଟାଲ୍‌ରେ ସମ୍ପୂର୍ଣ୍ଣ ତଥ୍ୟ ସଂଶୋଧନ କରିବାର ସୁଯୋଗ ଓଡ଼ିଶାର ଟେକ୍ନିକାଲ୍‌ ଟିମ୍‌କୁ ଦିଆଯାଆନ୍ତା, ତେବେ ଚାଷୀ ଲାଭବାନ ହୋଇପାରନ୍ତେ ଓ ସେମାନଙ୍କ ଆୟ ଦ୍ବିଗୁଣିତ ହେବାରେ ସହାୟକ ହୋଇପାରନ୍ତା ବୋଲି କୃଷି ମନ୍ତ୍ରୀ ଡ଼ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଲେଖିଥିବା ଚିଠିରେ ଆଶାବ୍ୟକ୍ତ କରିଛନ୍ତି | 

0
0
0
s2sdefault