ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ଓ ଭାରତ ସରକାରଙ୍କ ନୀତି ଆୟୋଗ ଆନୁକୂଲ୍ୟରେ ଏବଂ ଗଜପତି ଜିଲ୍ଲା ଶିକ୍ଷା ବିଭାଗ ସହଯୋଗରେ ଜିଲ୍ଲାସ୍ତରୀୟ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତାରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ , ଡାଏଟ-ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକ ଶ୍ରୀ ତ୍ରିଲୋଚନ ମହାଳିକ ଏବଂ ଭାରତ ସରକାରଙ୍କ ନୀତି ଆୟୋଗର ଶ୍ରୀ କୁମାର ଦିବାକର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ ଶିକ୍ଷଣ ମଣ୍ଡଳର ଜାତୀୟ ସଂଗଠନ ସମ୍ପାଦକ ଶ୍ରୀ ମୁକୁଲ କାନିତକରଙ୍କ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ତାଙ୍କର ଦେଇଥିବା ସନ୍ଦେଶ ଉପରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା।
ମୁଖ୍ୟତଃ ଏହି ନୂତନ ଜାତୀୟ ଶିକ୍ଷାନୀତି ପ୍ରକ୍ରିୟାରେ ରହିଥିବା ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ କିଭଳି ସୁଚାରୁରୂପେ ସମ୍ପାଦନ ହୋଇପାରିବ ଏବଂ ଏହା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ କିଭଳି ଉପକୃତ ହୋଇପାରିବେ , ଅନ୍ୟପକ୍ଷରେ ଏ ଦିଗରେ ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କ ଭୂମିକା , କର୍ତ୍ତବ୍ୟ ଓ ଦାୟିତ୍ୱ କିଭଳି ହେବା ଉଚିତ ସେ ସମ୍ପର୍କରେ ଅତିଥିମାନେ ବୁଝାଇଥିଲେ ।
ଏହି ନୂତନ ଜାତୀୟ ଶିକ୍ଷାନୀତି ବିଭିନ୍ନ ସ୍ତରର ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ସଂସ୍କାର ଆଣିବା ପାଇଁ ଏହି ନୂତନ ଶିକ୍ଷା ନୀତି ପ୍ରଣୟନ କରାଯାଇଥିବା ଏହାର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।
ଠିକ୍ ଭାବରେ ଜ୍ଞାନ ଉପଲବ୍ଧ କରି ତାହା ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକାରୀ ହୋଇ ପାରିଲେ ହିଁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକ୍ରମ ସଫଳତାର ରୂପ ନିଶ୍ଚିତ ଭାବେ ପ୍ରତିଫଳିତ ହୋଇ ପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ଟି ବ୍ଲକର ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ , ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ , ୧୫ ଜଣ ସିଆରସିସି ଓ ୭୦ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।