ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ୫୨ଘାଟିର ଦ୍ୱାରଶୁଣି ଠାକୁରାଣୀ ପୀଠଠାରୁ ବିଶୋଇ ଦିଗରେ ପ୍ରାୟ ୫୦ ମିଟର ଦୂରର ରାସ୍ତାର ଦକ୍ଷିଣ ପାର୍ଶ୍ୱସୁରକ୍ଷା ପାଚେରୀ ତଳେ ପ୍ରାୟ ୩୦ ବର୍ଷ ପାଖାପାଖି ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଯୁବତୀର ବେଶଭୂଷାରୁ ଜଣେ ସମ୍ଭ୍ରାନ୍ତ ପରିବାରର ବୋଲି ଜଣାପଡ଼ିଥିବା ବେଳେ ଯୁବତୀର ବେକ, କାନ ଓ ହାତରେ ସୁନା ଅଳଙ୍କାର ଆଦି ଅକ୍ଷତ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଥିଲା । ସେହିପରି ପରିପାର୍ଶ୍ଵିକ ସ୍ଥିତାବସ୍ଥାକୁ ଅନୁଧ୍ୟାନ କଲେ ମହିଳାଙ୍କୁ କେହି ଅନ୍ୟତ୍ର ହତ୍ୟା କରିବା ପରେ ଏଠାରେ ଆଣି ଫିଙ୍ଗିଦେଇଥିବା ଦିଗକୁ ଇଙ୍ଗିତ କରାଉଛି । ସେହିପରି କରଞ୍ଜିଆ ଚଢେ଼ଇଭୋଳ ନିକଟ ରାସ୍ତାରେ ଥିବା ଏକ ପୋଲ ତଳୁ ଜଣେ ୭/ ବର୍ଷିୟା ନାବାଳିକାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ନାବାଳିକାର ବେକ, ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ପାଟିରୁ ରକ୍ତ ବାହାରୁ ଥିବାର ଦେଖିବାକୁ ମିଳିଥିଲା । ନାବାଳିକାକୁ କଟକ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିବାର ଜଣାପଡ଼ିଛି । ତେବେ ମୃତ ଯୁବତୀ ଓ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ନାବାଳିକା ସହିତ କୌଣସି ଲିଙ୍କ ରହିଥିବାର ସନ୍ଦେହ କରାଯାଇଛି । ଉଭୟ ଘଟଣାରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |