ଲୋକାୟୁକ୍ତଙ୍କ ଡିସିପ୍ଲିନାରୀ ପ୍ରସିଡିଙ୍ଗ୍ ନିର୍ଦ୍ଦେଶ ଯିବନି ତ ଡଷ୍ଟବିନକୁ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ମୟୂରଭଞ୍ଜ ଡିଇଓଙ୍କ ସମେତ ୪ଜଣଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଓଡ଼ିଶା ଲୋକୟୁକ୍ତଙ୍କ ନିର୍ଦ୍ଦେଶ

  • ଦୁଇ ଦୁଇଥର ଜଣଙ୍କ ବିରୋଧରେ ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, କେବେ ହେବ ଦଣ୍ଡବିଧାନ?

  • ଲୋକାୟୁକ୍ତଙ୍କ ରାଡାରରେ ଥିବା କନିଷ୍ଠ କିରାଣୀଙ୍କୁ ଡିଇଓଙ୍କ ଅହେତୁକ ଅନୁକମ୍ପା ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି): ଓଡ଼ିଶା ଲୋକାୟୁକ୍ତ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ)ଙ୍କ ସମେତ ୪ଜଣଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଭାଗିରଥୀ ଲେଙ୍କାଙ୍କ ଅଭିଯୋଗ(କେସ୍ ନଂ-ଏଲ୍ୱାଇ-୩୩୧/୨୦୧୯)କୁ ଆଧାର କରି ପୂର୍ବତନ ଡିଇଓ ଫୁଲମଣି ମୁର୍ମୁ, ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ଲେଙ୍କା, କନିଷ୍ଠ କିରାଣୀ ସିତାଂଶୁ ପାତ୍ର ଏବଂ କନିଷ୍ଠ କିରାଣୀ ତ୍ରିଲୋଚନ ମହାନ୍ତଙ୍କ ଭିଜିଲାନ୍ସ ତଦନ୍ତ କରାଇଥିଲେ ଲୋକାୟୁକ୍ତ। ଉକ୍ତ ତଦନ୍ତ ରିପୋର୍ଟକୁ ଭିତ୍ତିକରି ୧୫ ଜାନୁୟାରୀ, ୨୦୨୧ରେ ଡିସିପ୍ଲିନାରୀ ପ୍ରସିଡିଙ୍ଗ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଏଥିସହିତ ଏହି ଆଦେଶକୁ ଶିଘ୍ର କାର୍ଯ୍ୟକାରୀ କରିବାକୁ ଗଣଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଆଦେଶନାମାର ସାର୍ଟିଫାଏଡ୍ କପି ଗତ ଜାନୁୟାରୀ ୨୯ରେ ଗଣଶିକ୍ଷା ବିଭାଗ ତଥା ସଂପୃକ୍ତ ଡିଇଓଙ୍କ କାର୍ଯ୍ୟାଳୟକୁ ଲୋକାୟୁକ୍ତଙ୍କ ସଚିବ ପଠାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟଯେ ବର୍ତ୍ତମାନ ଡିଆଇଇଟି ବାରିପଦାର ଅଧ୍ୟକ୍ଷା ଥିବା ପୂର୍ବତନ ଡିଇଓ ଫୁଲମଣି ମୁର୍ମୁଙ୍କ ବିରୋଧରେ ପୂର୍ବରୁ ମଧ୍ୟ କେସ୍ ନଂ-୩୪/୨୦୧୯ ଅଭିଯୋଗ ଆଧାରରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶାନାମା ୧୮ ମାର୍ଚ୍ଚ,୨୦୨୦ରେ ବିଭାଗୀୟ ପ୍ରସିଡିଙ୍ଗ୍ ହୋଇସାରିଛି। ତେଣୁ ଶ୍ରୀମତୀ ମୁର୍ମୁଙ୍କ ବିରୋଧରେ ଦୁଇ ଦୁଇ ଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲୋକାୟୁକ୍ତ ଆଦେଶ ଦେଇସାରିଛନ୍ତି। ପୂର୍ବରୁ ଡିଇଓ ଥିବା ଶ୍ରୀମତୀ ମୁର୍ମୁ ନିଜର କାର୍ଯ୍ୟକାଳ ସମୟରେ ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ରହିଛି। ତେବେ ଗଣଶିକ୍ଷା ବିଭାଗ କେବେ ଶ୍ରୀମତୀ ମୁର୍ମୁଙ୍କ ବିରୋଧରେ ଦଣ୍ଡ ବିଧାନ କରୁଛି ତାହା ଦେଖିବାକୁ ବାକି ରହିଲା। ସେହିପରି ଡିଇଓଙ୍କ କାର୍ଯ୍ୟାଳୟର ପୂର୍ବତନ ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ଲେଙ୍କା ଚଳିତ ବର୍ଷ ଜାନୁୟାରୀ ୩୧ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ବିରୋଧରେ ବିଦ୍ୟାଳୟଗୁଡ଼ିକୁ ଆର୍ଥିକ ଅନୁଦାନ(ଇନେ୍ସଣ୍ଟିଭ୍ ଗ୍ରାଣ୍ଟ୍) ଦେବାରେ ତଞ୍ଚକତା କରି ବିଦ୍ୟାଳୟ ଚୟନ କରିବାରେ ହେର୍ଫେର କରିଥିବା ଅଭିଯୋଗରେ ଲୋକାୟୁକ୍ତ ବିଭାଗୀୟ ପ୍ରସିଡିଂ ଡ୍ର କରି ଦଣ୍ଡବିଧାନ କରିବାକୁ ବିଭାଗୀୟ ସଚିବଙ୍କୁ ଆଦେଶ ଦେଇଛନ୍ତି। ଡିଇଓଙ୍କ ଦପ୍ତରରେ ଦୀର୍ଘ ଦିନ ହେବ ଆସ୍ଥାନ ଜମାଇ ରହିଥିବା କନିଷ୍ଠ କିରାଣୀ ସିତାଂଶୁ ପାତ୍ର ଓ ତ୍ରିଲୋଚନ ମହାନ୍ତ ଏହି ମାମଲାରେ ମୁଖ୍ୟ କାର୍ପଟଦାର୍ ଥିବା ଅଭିଯୋଗ ହୋଇଛି। ତେଣୁ ଏମାନଙ୍କ ବିରୋଧରେ ମଧ୍ୟ ପ୍ରସିଡିଂ ଡ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଉପରୋକ୍ତ ଦୁଇ କନିଷ୍ଠ କିରାଣୀ ନାମକୁ ମାତ୍ର ବଦଳି ହୋଇଛନ୍ତି। ସିତାଂଶୁ ପାତ୍ରଙ୍କ ବଦଳି ଅତ୍ୟନ୍ତ ବିବାଦୀୟ ହୋଇପଡ଼ିଛି। ପ୍ରସିଡିଂ ଡ୍ର କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିବା ଜଣେ କନିଷ୍ଠ କିରାଣୀଙ୍କ ବଦଳିକୁ ବାରିପଦା ମୁଖ୍ୟାଳୟରେ ରଖିବାକୁ ବର୍ତ୍ତମାନର ଡିଇଓଙ୍କ ଭୂମିକା ବିବାଦୀୟ ହୋଇପଡ଼ିଛି। ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଥିବା କିରାଣୀଙ୍କ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାସ୍ତରରେ ଅସନ୍ତୋଷ ଦେଖାଦେଇଛି।  

 

0
0
0
s2sdefault