
ଯାଜପୁର/ଭୁବନେସ୍ଵର : ବିଭିନ୍ନ ସ୍ଥାନରେ ସ୍ୱାକାୟ ଓ ଆବଶ୍ୟକତା କାରଣରୁ ଗୋଟିଏ କାମକୁ ଭାଗ ଭାଗ କରି କାମ କରାଯାଇଥାଏ | ଉଦାହରଣ ସ୍ୱରୂପ ଯଦି କୌଣସି ଜରୁରୀ ପରିସ୍ଥିତି ପଡିଲା ବା କୌଣସି ଭିଆଇପିଙ୍କ ଗସ୍ତ ପଡିଲା, ତେବେ ସ୍ନାୟର ସ୍ୱଳ୍ପତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥାଏ | ହେଲେ ପୂର୍ତ୍ତ ବିଭାଗର ଧୂର୍ତ୍ତ ଅଫିସର ଏହାକୁ ସେମାନଙ୍କ ପାଇଁ ସର୍ବକାଳୀନ ବେଦର ଗାଁର ବୋଲି ଧରି ନେଇ ଶହଶହ ଟେଣ୍ଡରକୁ ଭାଙ୍ଗି ନିଜ ପସନ୍ଦ ଠିକାଦାରଙ୍କୁ କାମ ଦେଇ କମିଶନ କାରବାର କରିଥାନ୍ତି | ହେଲେ ପାଣିକୋଇଲି ପୂର୍ତ୍ତ ଡିଭିଜନରେ ଗତ ୫ବର୍ଷ ହେଲା ସେଇ ରୀତିରେ ଶହଶହ କୋଟି ତାଙ୍କର ଠିକ କାମ ଭାଙ୍ଗି ଭାଙ୍ଗି ଲୁଚାଛପା ଟେଣ୍ଡରରେ ହୋଇଛି | ଏହି ଡିଭିଜନରେ ଦଶ ପଚାଶଟା ନୁହେଁ, ୫ ବର୍ଷ ମଧ୍ୟରେ ପ୍ରାୟ ୭୦୦୦ରୁ ଅଧିକ ଚୋରା ଲୁଚା ହୋଇଛି । ଏତେ ସଂଖ୍ୟାରେ ଗୁପ୍ତଟେଣ୍ଡର ହୋଇଥିବା ଯୋଗୁ ଦୁର୍ନୀତି କେଉଁ ପରିମାଣର ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରୁଥିବ । ହେଲେ ଏଭଳି ଦୁର୍ନୀତି ଅଭିଯୋଗ ଆସିବା ପରେ ପୂର୍ତ୍ତ ବିଭାଗ ସଚିବ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ବିଭାଗୀୟ ସଚିବ ଇଂ ନଳିନୀ ପ୍ରଧାନ କହିଛନ୍ତି " ଅଭିଯୋଗ ଆସିବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଢେଙ୍କାନାଳ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ଏହି ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବେ । ରିପୋର୍ଟ ପାଇଲା ପରେ ତାହାରି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତ ୫ବର୍ଷ ମଧ୍ୟରେ ଏହି ଡିଭିଜନ୍ ଅଧୀନରେ ଥିବା ୪ଟି ସବ୍ଡିଭିଜନ୍ରେ ୭ହଜାରରୁ ଅଧିକ ଗୁପ୍ତ ଟେଣ୍ଡର କରାଯାଇଛି । ଖୋଲା ଟେଣ୍ଡର କରା ନଯାଇ ଭାଗଭାଗ କରି ୫ ଲକ୍ଷରୁ କମ୍ ମୂଲ୍ୟରେ ହଜାର ହଜାର ଏଫ୍-୨ ଓ ପି-୧ ନାମରେ ଗୁପ୍ତ ଟେଣ୍ଡର୍ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଜିଲ୍ଲାପାଳଙ୍କ ବାସଭବନରେ କାମ ମଧ୍ୟ ଗୁପ୍ତ ଟେଣ୍ଡରରେ ହୋଇଛି । ଗୋଟିଏ ଗୋଟିଏ ରାସ୍ତା ଓ ସରକାରୀ କୋଠା ପାଇଁ ସମାନ ଦିନରେ ଅନେକ ଗୁପ୍ତ ଟେଣ୍ଡର କରାଯାଇଛି । ଫଳରେ ଅସାଧୁ ଠିକାଦାର ଓ ଇଞ୍ଜିନିୟର ମାଲାମାଲ ହୋଇଥିବା ବେଳେ ରାଜ୍ୟ ସରକାର ହରାଇଛନ୍ତି ବିପୁଳ ରାଜସ୍ୱ । ତଥ୍ୟରୁ ଜଣାଯାଇଛି ଯେ, ୨୦୧୩-୧୪ରୁ ୨୦୧୭-୧୮ ମସିହା ୫ ବର୍ଷ ମଧ୍ୟରେ ପାଣିକୋଇଲି ଡିଭିଜନରେ ଖୁବ୍ କମ୍ ଖୋଲା ଟେଣ୍ଡର୍ କରାଯାଇଥିବା ବେଳେ ହଜାର ହଜାର ଗୁପ୍ତ ଟେଣ୍ଡର୍ କରାଯାଇଛି । ୨୦୧୩-୧୪ରେ ୨୧୪୩ଟି ଗୁପ୍ତ ଟେଣ୍ଡର ହୋଇଥିବାବେଳେ ୨୦୧୪-୧୫ରେ ୩୨୦୩, ୨୦୧୫-୧୬ରେ ୫୮୮ଟି, ୨୦୧୬-୧୭ରେ ୬୦୯ଟି ଓ ୨୦୧୭-୧୮ରେ ୧୦୫୫ଟି ଗୁପ୍ତ ଟେଣ୍ଡର ହୋଇଛି । ୫ ବର୍ଷରେ ମୋଟ ୭,୫୯୮ଟି ଗୁପ୍ତ ଟେଣ୍ଡର୍ ହୋଇଛି | ଡିଆରଡିଏ ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍କିଲ୍ ଡେଭଲ୍ ଟ୍ରେନିଂ ସେଣ୍ଟର ୪୦ଲକ୍ଷରୁ ଅଧିକ ଟଙ୍କାର କାମ ମଧ୍ୟ ଚୋରା ଟେଣ୍ଡରରେ ହୋଇଛିି । ସେହିପରି ଜିଲ୍ଲାପାଳଙ୍କ ବାସଭବନ ମଧ୍ୟ ଗୁପ୍ତ ଟେଣ୍ଡର୍ରୁ ବାଦ୍ ପଡିନାହିଁ । ଏଠାରେ ମଧ୍ୟ ୩ଟି ଗୁପ୍ତ ଟେଣ୍ଡର୍ ବାବଦରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି ।
ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ପାଣିକୋଇଲି ପୂର୍ତ୍ତ ଡିଭିଜନ୍ର ଗୁପ୍ତ ଟେଣ୍ଡର୍ ଜରିଆରେ କରାଯାଇଥିବା ମହାଦୁର୍ନୀତି ସରକାରଙ୍କର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଗୁପ୍ତ ଟେଣ୍ଡର୍ ଯୋଗୁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ହରାଇଛନ୍ତି । ତେବେ ଏହି ଅର୍ଥ କାହା ପକେଟକୁ ଯାଇଛି ତାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା ହୋଇଛି । ଏବେ ସଚିବ ଶ୍ରୀ ପ୍ରଧାନ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ତଦନ୍ତର ଫଳାଫଳ ଓ କାର୍ଯ୍ୟାନୁଷ୍ଠାନକୁ ସମସ୍ତଙ୍କ ଅପେକ୍ଷା ।