ଅଧିଗ୍ରହଣ ସମୟରେ ନଥିପତ୍ର ଜାଲିଆତି ଓ ତୃଟିପୂର୍ଣ୍ଣ ତଥ୍ୟାବଳୀ ପ୍ରସ୍ତୁତ କରି ବଡ଼ଧରଣର ଟିକସ ଫାଙ୍କି ହୋଇଥିବା ଅଭିଯୋଗ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠ ବଡ଼ମାଲ ଠାରେ ଥିବା କନକାଷ୍ଟ ଷ୍ଟିଲ କମ୍ପାନୀକୁ ଇତିମଧ୍ୟରେ ଏମଏମସି ଅଧିଗ୍ରହଣ କରିଛି । ହେଲେ ଅଧିଗ୍ରହଣ ସମୟରେ ନଥିପତ୍ର ଜାଲିଆତି ଓ ତୃଟିପୂର୍ଣ୍ଣ ତଥ୍ୟାବଳୀ ପ୍ରସ୍ତୁତ କରି ବଡ଼ଧରଣର ଟିକସ ଫାଙ୍କି ହୋଇଥିବା ଅଭିଯୋଗ ହୋଇଛି। ତା ଛଡ଼ା ଶିଳ୍ପ ସ୍ଥାପନ ହୋଇଥିବା ସମଗ୍ର ଜମିର ମାଲିକାନା କମ୍ପାନୀ ପାଖରେ ନ ଥିବାରୁ କେମିତି ଏତେ ବଡ଼ କମ୍ପାନୀ ଗଢ଼ି ଉଠିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମ୍ପାନୀ କର୍ତ୍ତୃପକ୍ଷ ଟିକସ ଫାଙ୍କିବାରେ କରିଥିବା ଜାଲିଆତିରେ କିଛି ଅଧିକାରୀଙ୍କ ଭୂମିକା ରହିଛି ବୋଲି ବରିଷ୍ଠ ଆଇନଜୀବୀ ରାମମୋହନ ରାଓ ଅଭିଯୋଗ କରିଛନ୍ତି। ସେ ଏ ସଂକ୍ରାନ୍ତରେ ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନ(ଆଇଜିଆର)ଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି।
କନକାଷ୍ଟ ଷ୍ଟିଲ ଓ ପାୱାର କମ୍ପାନୀ କୌଣସି କାରଣରୁ ବନ୍ଦ ହୋଇ ଦେବାଳିଆ ଘୋଷିତ ହେବା ସହ ଜାତୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ(ଏନସିଏଲଟି) କୋଲକାତା ବେଞ୍ଚର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଇନସଲଭେନ୍ସି ପ୍ରକ୍ରିୟା କରାଯାଇଥିଲା। ଏଥି ସକାଶେ କ୍ଷୀତିଜ ଛାଛରିଅାଙ୍କୁ ଲିକ୍ବିଡେଟର ଭାବେ ନ୍ୟାୟାଧିକରଣ ନିଯୁକ୍ତ କରିଥିଲେ। କମ୍ପାନୀର ଅଧିଗ୍ରହଣ ସକାଶେ ହୋଇଥିବା ନିଲାମ ପ୍ରକ୍ରିୟାରେ ୨୮୮କୋଟି ୫୫ଲକ୍ଷ ଟଙ୍କାରେ ଏସଏମସି ପାୱାର କମ୍ପାନୀ ନିଲାମ ଧରିଥିଲା। ଏହାସହିତ ଏମଏମସି ନାମରେ ଲେଟର ଅଫ ଇନଟେଣ୍ଟ କରାଯାଇ କନକାଷ୍ଟ କମ୍ପାନୀ ଅଧିଗ୍ରହଣର ବିକ୍ରୟ ନଥିପତ୍ର(ସେଲ ଡିଡ) ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ପ୍ରକ୍ରିୟା ପରେ ନିୟମାନୁସାରେ ଜିଲାର ସବ୍ ରେଜିଷ୍ଟ୍ରାରଙ୍କ ଦପ୍ତରରୁ ରିଜିଷ୍ଟର କରିବା ଜରୁରୀ ହୋଇଥାଏ। ସମ୍ପୃକ୍ତ ଲିକ୍ବିଡେଟର ଓ କମ୍ପାନୀ କର୍ତ୍ତୃପକ୍ଷ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବା ବେଳେ ତଥ୍ୟ ଲୁଚାଇ ୨୪କୋଟି ୧୬ଲକ୍ଷ ୮୬ହଜାର ୩୬୮ଟଙ୍କା କନସିଡେରେସନ ପ୍ରାଇସ ବା ଅଧିଗ୍ରହଣ ମୂଲ୍ୟ ଥିବା ଦର୍ଶାଇଥିଲେ। କନସିଡେରେସନ ପ୍ରାଇସ୍ର ୭ପ୍ରତିଶତ ଟିକସ ଦେବାକୁ ପଡ଼ୁଥିବାରୁ ଏହି ଆଧାରରେ ୧କୋଟି ୨୦ଲକ୍ଷ ୮୪ହଜାର ୩୧୯ଟଙ୍କାର ଟିକସ ପ୍ରଦାନ କରାଯାଇଥିଲା। ପ୍ରକୃତରେ ୨୮୮କୋଟି ୫୬ଲକ୍ଷ ଟଙ୍କାର ୭ପ୍ରତିଶତ ଟିକସ ଦେବାର ଉଚିତ ଥିଲା। ହେଲେ କମ୍ପାନୀ କର୍ତ୍ତୃପକ୍ଷ ତଥ୍ୟ ଲୁଚାଇଥିବା ବେଳେ ସବ୍ ରେଜିଷ୍ଟ୍ରାରଙ୍କ ଦପ୍ତର କିମ୍ବା ରାଜସ୍ବ ବିଭାଗରୁ ୟା ଉପରେ କୌଣସି ପ୍ରକାରେ ଯାଞ୍ଚ କରାଯାଇନଥିଲା ବୋଲି ଆଇନଜୀବୀ ଶ୍ରୀ ରାଓ ପ୍ରକାଶ କରିଛନ୍ତି। ସେ ମାଗିଥିବା ଆରଟିଆଇରେ ମଧ୍ୟ କୌଣସି ପ୍ରକାର ଯାଞ୍ଚ ହୋଇ ନ ଥିବା ସବ୍ ରେଜିଷ୍ଟ୍ରାରଙ୍କ ଅଫିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ତଥ୍ୟ ଲୁଚାଇବା ଫଳରେ ସରକାର ସମୁଦାୟ ୧୮କୋଟି ୯୯ଲକ୍ଷ ୬୮୧ଟଙ୍କାର ଟିକସ ହରାଇଲେ ବୋଲି ସେ କହିଛନ୍ତି। ନିୟମାନୁସାରେ ରେଜିଷ୍ଟ୍ରେସନ ପାଇଁ ଆବେଦନ ପରେ ସବ ରେଜିଷ୍ଟ୍ରାରଙ୍କ ସମେତ ରାଜସ୍ବ ବିଭାଗରୁ ତହସିଲଦାର, ଆରଆଇ ଯୁଗ୍ମ ଯାଞ୍ଚ କରିବା କଥା ହେଲେ କୌଣସି ଅଜ୍ଞାତ କାରଣରୁ ସରକାରୀ ଅଧିକାରୀମାନେ ତାହା କରିବା ଉଚିତ ମଣିନାହାନ୍ତି। ତା ଛଡ଼ା ରେଜିଷ୍ଟ୍ରେସନରେ କେବଳ ଭିତ୍ତିଭୂମିର ମୂଲ୍ୟ ଉଲ୍ଲେଖ କରାଯାଇଛି ହେଲେ ଜମି ବିଷୟରେ କିଛି ଉଲ୍ଲେଖ କରାଯାଇନାହିଁ। ପ୍ରକୃତରେ ଉକ୍ତ ଜମିରୁ କିଛି ସରକାରୀ ଜମି, କିଛି ଇଡକୋର ଜମି ଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କର ଜମି ଅଛି, ଯେଉଁ ମଧ୍ୟରୁ ଅନୁସୂଚିତ ଜାତି, ଜନଜାତିର ଲୋକ ବି ଅଛନ୍ତି। ଏମିତିରେ ପ୍ରାରମ୍ଭରେ କନକାଷ୍ଟ କମ୍ପାନୀ ପ୍ରତିଷ୍ଠା ହେବା ସମୟରୁ ବିଧି ବ୍ୟବସ୍ଥାର ଅନୁସରଣ କରାଯାଇନାହିଁ। ଏମିତିରେ ଜମିର ସ୍ବତ୍ତ୍ବ ନ ଥାଇ କେମିତି ଏତେ ବଡ଼ କମ୍ପାନୀ ଠିଆ କରାଗଲା ବୋଲି ଶ୍ରୀ ରାଓ ପ୍ରଶ୍ନ କରିଛନ୍ତି। ଏହି ସମଗ୍ର ପ୍ରକ୍ରିୟାରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବାରୁ ଆର୍ଥିକ ଅପରାଧ ଶାଖା ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ସେ ଦାବି କରିଛନ୍ତି। ଏହାସହିତ ସରକାରୀ ଅଧିକାରୀମାନଙ୍କର ସମ୍ପୃକ୍ତିକୁ ନେଇ ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି ଜଣାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ତାଙ୍କ ମହକିଲ ପ୍ରଦ୍ୟୁମ୍ନ କୁମାର ଲାଠଙ୍କ ତରଫରୁ କମ୍ପାନୀ ଆଇନ ନ୍ୟାୟାଧିକରଣ(ଏନସିଏଲଟି)ର ଆଶ୍ରୟ ନେବେ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି।