ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କାରାଗାରରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେବ ପାଠ ପଢ଼ା। ସମ୍ବଲପୁର ଜେଲ ଅନ୍ତେବାସୀ ପାଠ ପଢିବେ +୨ ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ । ଏଥିପାଇଁ ସମସ୍ତ ପାଠ୍ୟ ପୁସ୍ତକ ମାଗଣାରେ ମିଳିବ ସେମାନଙ୍କୁ। ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛି ସମ୍ବଲପୁର ମଣ୍ଡଳ କାରାଗାର।
ଭୁଲବଶତଃ ହେଉ କିମ୍ବା କୌଣସି କାରଣରୁ ଜେଲରେ ସଜା କାଟୁଥିବା ଅନ୍ତେବାସୀଙ୍କ ପାଇଁ ଏବେ ରାଜ୍ୟ ସରକାର ପୁଣି ଏକ ସ୍ଵସ୍ଥ ଓ ସୁନ୍ଦର ଜୀବନ ଯାପନ ପାଇଁ ସୁଯୋଗ ଆଣିଦେଇଛନ୍ତି। ଯେଉଁ ଅନ୍ତେବାସୀ ମାନେ ଅଧାରୁ ପାଠ ପଢ଼ା ଛାଡ଼ିଦେଇଛନ୍ତି କିମ୍ବା କୌଣସି କାରଣ ଯୋଗୁଁ ପାଠ ପଢ଼ି ପାରିନାହାନ୍ତି ସେମାନେ ପୁଣି ପାଠ ପଢିବେ। ପାଠ ପଢିଲେ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିବ। ତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ ଓ ସେମାନେ ଯେମିତି ତାଙ୍କ ସାଥି ଅନ୍ତେବାସୀଙ୍କୁ ମଧ୍ୟ ପରିବର୍ତ୍ତନ କରିପାରିବେ ଏହି ଆଶା ନେଇ ସମ୍ବଲପୁର ମଣ୍ଡଳ କାରାଗାରରେ ଆଜିଠାରୁ ଆରମ୍ଭ ହୋଇଛି ଶିକ୍ଷା ଦାନ କାର୍ଯ୍ୟକ୍ରମ।
ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ 12 ଜଣ ଅନ୍ତେବାସୀଙ୍କୁ ପାଠ ପଢ଼ାଇବେ। ମୁଖ୍ୟତଃ ବାଣିଜ୍ୟ, ଅର୍ଥନୀତି ,ଇତିହାସ ଓ ଓଡ଼ିଆ ସମ୍ମାନରେ ପାଠ ପଢିବେ ଅନ୍ତେବାସୀ । ସେପଟେ ଜେଲ ଅନ୍ତେବାସୀ ପୁଣି ପାଠ ପଢିବେ ଏହା ଜାଣି ସେମାନେ ବେସ ଖୁସି ହୋଇଛନ୍ତି। ସଜା କାଟି ବାହାରକୁ ଗଲାପରେ ଯେପରି ସେମାନେ ସମାଜରେ ଭଲ ଭାବରେ ସମ୍ମାନ ସହ ବଂଚିପରିବେ ସେଥିପାଇଁ ଶିକ୍ଷା ନିହାତି ଦରକାର ବୋଲି ଅନ୍ତେବାସୀ ମାନେ କହିଛନ୍ତି।