ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିବାରଣ ଓ ନିୟନ୍ତ୍ରଣ ସଂଶୋଧିତ ଆଇନ-୨୦୧୬ ସମ୍ପର୍କୀତ କର୍ମଶାଳା
ବାରିପଦା/ (ଦିଲ୍ଲୀପ ମହାନ୍ତି )

ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଆମର ସଂକଳ୍ପ ଆଭିମୁଖ୍ୟ ନେଇ ମେ ପହିଲାରୁ ଆରମ୍ଭ ହୋଇଥିବା ୪୫ ଦିନିଆ ସଚେତନତା ଅଭିଯାନକୁ ମୟୂରଭଞ୍ଜ ଜିଲ୍ଲାରେ ତ୍ୱରାନ୍ୱିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶିଶୁ ଓ କିଶୋର ଶ୍ରମିକ(ନିବାରଣ ଓ ନିୟନ୍ତ୍ରଣ) ସଂଶୋଧିତ ଆଇନ-୨୦୧୬ ସମ୍ପର୍କୀତ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ତାଙ୍କ ଅଧ୍ୟକ୍ଷ ଅଭିଭାଷଣରେ କହିଥିଲେ ଯେ, ଶିଶୁ ଓ କିଶୋରମାନଙ୍କ ସୁରକ୍ଷା , ଶିକ୍ଷା ଓ ଥଇଥାନ ନିମନ୍ତେ ସରକାରଙ୍କ ପ୍ରଣିତ ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଏହାସହିତ ଜଡ଼ିତ ସଂସ୍ଥା ମଧ୍ୟରେ ସମନ୍ୱୟ ରଖି ଯୋଜନାର କାର୍ଯ୍ୟକ୍ରମକୁ ତ୍ୱାନ୍ୱିତ କରାଇବା ସାଙ୍ଗକୁ ପୂର୍ବରୁ ଘୋଷିତ ହୋଇଥିବା ଶିଶୁମୁକ୍ତ ଜିଲ୍ଲାର ସ୍ଥାତାବସ୍ଥାକୁ ନିରନ୍ତର ଭାବେ ବଜାୟ ରଖିଆସିବାକୁ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଶ୍ରମ ବିଭାଗର(ଏନସିଏଲପି ଉପଦେଷ୍ଟା) ସଦସ୍ୟ ରଞ୍ଜନ ମହାନ୍ତି ରିସୋର୍ସ ପରର୍ସନ ଭାବେ ଯୋଗ ଦେଇ ଶିଶୁ ଶ୍ରମିକ ନିବାରଣ ଓ ନିୟନ୍ତ୍ରଣ ସଂଶୋଧିତ ଆଇନ-୨୦୧୬ କାର୍ଯ୍ୟକାରୀତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଇବା ଅବସରରେ ୧୪ ବର୍ଷ ବୟସରୁ କମ ହୋଇଥିବା ଶିଶୁମାନଙ୍କୁ କୌଣସି ପ୍ରକାରର ବୃତ୍ତି ବା ପ୍ରକ୍ରିୟାରେ ନିୟୋଜିତ କରାଯାଇ ପାରିବ ନାହିଁ । ଏହା ଆଇନତଃ ଧର୍ତ୍ତବ୍ୟ ଅପରାଧ । ଉକ୍ତ ଆଇନ ଖିଲାପକାରୀଙ୍କ ବିରୋଧରେ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହିତ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡରେ ଦଣ୍ଡିତ ହେବାର ଆଇନରେ ଦର୍ଶାଯାଇଛି ଏବଂ ଏହି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇ ଥିଲା । ସେହିପରି ଶିଶୁ ଓ କିଶୋର ଶ୍ରମିକମାନଙ୍କ ଥଇଥାନ, ଶିକ୍ଷା ଓ ଦକ୍ଷତାର ବିକାଶ ପାଇଁ ଉଦ୍ଧିଷ୍ଟ ବିଭାଗୀୟ ଯୋଜନା ସହାୟତାରେ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲା । କର୍ମଶାଳାରେ ବିଶେଷ କରି ଗୃହ ବିଭାଗ, ପଞ୍ଚାୟତିରାଜ, ଜିଲ୍ଲା ଶିଶୁ ୟୁନିଟ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ଅନ୍ୟାନ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତାମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ସର୍ବଶିକ୍ଷା ଅଭିଯାନର ବାଳିକା ସଂଯୋଜକ ମାନସ ସ୍ୱାଇଁ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ପରିଡ଼ା ପ୍ରମୁଖ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକମାନଙ୍କ ସୁରକ୍ଷା, ଶିକ୍ଷା, ଥଇଥାନ ସହିତ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋକପାତ କରାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହିତ କାର୍ଯ୍ୟକ୍ରମର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ପଦାଧିକାରୀ, ଅଧିକାରୀ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ବିଭିନ୍ନ ଚାଇଲଡ଼ ଲାଇନର କର୍ମକର୍ତ୍ତା, ଟ୍ରେଡ଼ ୟୁନିଅନ, ସିଭିଲ ସୋସାଇଟିରର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରେ ସୂଚନା ଦେଇଛନ୍ତି ।