ହେଡଲାଇନସ୍:

ଆମ ସଂସ୍କୃତି, ଆମ ସାହିତ୍ୟ କାଳଜୟୀ ଏଣୁ ଆମେ ଓଡ଼ିଆ ବୋଲି ଗର୍ବ କରିବା ଉଚିତ - ପଞ୍ଚାନନ କାନୁନଗୋ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ସୋସାଇଟି ଚେଞ୍ଜର୍ସ ଭର୍ଚୁଆଲ ପ୍ଲାଟଫର୍ମ ରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପଢାଇଲେ ଇତିହାସ ଓ ସଂସ୍କୃତିର ପାଠ | ସୋସାଇଟି ଚେଞ୍ଜର୍ସ ପକ୍ଷରୁ ମାଧ୍ୟମିକ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ "ଓଡ଼ିଆ ସଂସ୍କୃତି,ଇତିହାସ ଓ ପରମ୍ପରା" ସମ୍ପର୍କିତ ଭର୍ଚ୍ୟୁଅଲ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଶିଷ୍ଟ କଥାକାର ପଞ୍ଚାନନ କାନୁନଗୋ କହିଥିଲେ ଆମ ସଂସ୍କୃତି ଏବଂ ଆମ ସାହିତ୍ୟ ଉଭୟ କାଳଜୟୀ ଓ ସ୍ଵତନ୍ତ୍ର। ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର କ୍ରମ ବିବର୍ତ୍ତନ ସମ୍ପର୍କରେ ସେ ଛାତ୍ରଛାତ୍ରୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଆମ ପରମ୍ପରା କେତେ ପ୍ରାଚୀନ ଓ ମହାର୍ଘ ବର୍ଣ୍ଣନା କରିଥିଲେ। ସେ କହିଥିଲେ ମାଟି ଓ ମା କୁ ନେଇ ଆମ ଇତିହାସ,ସାହିତ୍ୟ ଓ ସଂସ୍କୃତି ପର୍ଯ୍ୟବେସିତ। ଆମ ମା ଜେଜେ ମା ଆମ ପାଇଁ ଯାହା କରିଯାଇଛନ୍ତି ତାହା ଅନ୍ୟ ସଂସ୍କୃତିରେ ଦେଖିବା ବିରଳ।ତୁଳସୀ ଚଉଁରା ଏବଂ ତାଉପରେ ଗରା ଛିଦ୍ରରେ ବର୍ଷ ତମାମ ଜଳ ଦେବା ହେଉ କିମ୍ବା ଆରିସା ପିଠାର ଗୁଣବତ୍ତା ହେଉ ସବୁଠି ରହିଛି ଓଡ଼ିଆଙ୍କ ସ୍ଵତନ୍ତ୍ର ମହକ। ସେପରି ଆମ ପୁରାଣ,ଲକ୍ଷ୍ମୀ ପୁରାଣ,ସାବିତ୍ରୀ ପୂଜା, ପଣା ସଂକ୍ରାନ୍ତି ଅଥବା ରଜ ମଉଜ ସବୁଠି ରହିଛି ବିଜ୍ଞାନ ସମ୍ମତ କାରଣ ଏବଂ ସୁନ୍ଦର ସାହିତ୍ୟ। ସାରଳା ଦାସ,ବଳରାମ ଦାସ,ଅଚ୍ୟୁତାନନ୍ଦ,ମଧୁ ବାବୁ ପ୍ରତ୍ୟେକଙ୍କୁ ନେଇ ଓଡ଼ିଆ ଗର୍ବ କରିବା ଉଚିତ। ଦିନେ ଓଡ଼ିଆ ଭାଷାକୁ ନେଇ ଓଡ଼ିଆ ମାନେ ଯେଉଁ ଜାତୀୟ ଆନ୍ଦୋଳନ କରିଥିଲେ ଏବଂ ଶେଷରେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟରେ ପରିଣତ ହୋଇଥିଲା ଏହା ପରବର୍ତ୍ତୀ ସମୟରେ ତତ୍କାଳିନ ରାଷ୍ଟ୍ର ନାୟକ ମାନଙ୍କ ଆଖି ଖୋଲି ଦେଇଥିଲା ଏବଂ ଶେଷରେ ଭାରତ ସରକାର ଉଣେଇଶ ପଞ୍ଚବନ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ସରକାର ଗୁରୁତ୍ଵ ଦେଇଥିଲେ। ଏଣୁ ରାଷ୍ଟ୍ର ନିର୍ମାଣ ହେଉ ଅଥବା ଭାରତୀୟ ସାହିତ୍ୟ କଳା ସଂସ୍କୃତି ହେଉ ରାଷ୍ଟ୍ର ପ୍ରତି ଓଡ଼ିଆ ମାନଙ୍କ ରହିଛି ଅଯାଚିତ ଅବଦାନ। ଏଣୁ ଏହି ବୟସରୁ ଛାତ୍ର ଛାତ୍ରୀ ନିଜକୁ ଏକ ଶ୍ରେଷ୍ଠ ଓଡ଼ିଆ ଭାବେ ଗଢି ତୋଳିବା ର ପ୍ରୟାସ କରନ୍ତୁ। ସେ ଏହି ୱେବିନାର ରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ଵାଭିମାନୀ ହେବା ସହିତ ଆମ କଳା,ସଂସ୍କୃତି,ଭାଷାର ଗୌରବ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଏହା ସହ ସୋଷାଇଟି ଚେଞ୍ଜରସ ଏଭଳି ଏକ ଅଭିନବ ପ୍ରୟାସ କରିଥିବାରୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାରେ ଏଭଳି ପ୍ରୟାସ ପ୍ରଥମ ବୋଲି କହିଥିଲେ। 

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟ ର ନବେ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ଶୁଭମ ଚୌଧୁରୀ ଓ ଶିବାନୀ କାର୍ଯ୍ୟକ୍ରମକୁ ସଂଗଠିତ କରିବା ସହ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ସାରଦା ପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଆଗକୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଭିମାନୀ ଓଡ଼ିଆ ଭାବେ ଗଢି ତୋଳିବା ନିମନ୍ତେ ସୋସାଇଟି ଚେଞ୍ଜରସ ଏଭଳି ୱେବିନାର ଆୟୋଜନ କରିଥିବା କଥା ଉଲ୍ଲେଖ କରିଥିଲେ। ଶେଷରେ ରାଜ୍ୟ ସଂଯୋଜକ ଶ୍ରୀକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault