ବରଗଡ :- ଜଳ ହିଁ ଜୀବନ , ଏହା ନିରାଟ ସତ । ଜନସାଧାରଣଙ୍କୁ ସ୍ୱଚ୍ଛ ନିର୍ମଳ ପାନୀୟ ଜଳ ଯୋଗେଇ ଦେବା ପାଇଁ ସରକାର ଙ୍କର ଅନେକ ଯୋଜନା ରହିଛି । କିନ୍ତୁ ସରକାରୀ ବାବୁ ମାନଙ୍କର ଉଦାସୀନତା କାରଣରୁ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ଦୃଶ୍ୟ ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶିତ ହେଉଥିଲେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ଏହିଭଳି ଏକ ସମସ୍ୟା ଘେରରେ ରହିଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ଡାକ୍ତରଖାନାରେ ଥିବା ପାନୀୟ ଜଳ ପ୍ରକଳ୍ପ ଅମୃତଧାରାର । ଗତ 2011 ମସିହାରେ ତତ୍କାଳୀନ ଲୋକସଭା ସାଂସଦ ଶ୍ରୀ ସଞ୍ଜୟ ଭୋଇଙ୍କର ଅନୁଦାନ ପାଣ୍ଠିରୁ ନିର୍ମିତ ଏହି ପ୍ରକଳ୍ପ ରୁ ଡାକ୍ତରଖାନା କୁ ଆସୁଥିବା ଲୋକ ଓ ଆଖପାଖରେ ରହୁଥିବା ଲୋକମାନେ ସ୍ୱଚ୍ଛ ଓ ନିର୍ମଳ ପନୀୟ ଜଳ ପାଇବା କଥା କିନ୍ତୁ ନିର୍ମାଣର ଦଶ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଭିନ୍ନ ସମସ୍ୟା କାରଣରୁ ଲୋକେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଅଭିଯୋଗ ହେବାପରେ କିଛିଦିନ ଏହି ପ୍ରକଳ୍ପ ରୁ ପାଣି ବାହାରେ ଓ ଦୁଇ ଚାରି ଦିନ ପରେ ସେହି ସମାନ ସ୍ଥିତି । କ୍ରମାଗତ ଭାବରେ ମାସ ମାସ ପାଣି ନ ବାହାରିବାରୁ ଲୋକ ବହୁତ ହଇରାଣ ହେଉଛନ୍ତି ପାଣି ଟୋପାଏ ପାଇଁ । ଏହି ଡାକ୍ତରଖାନାରେ ଦୁଇଗୋଟି ନଲକୁପ ରହିଛି ହେଲେ ଏହାର ପାଣି ପିଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ । କହିବାକୁ ଗଲେ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ଶୋଷ ଲାଗିଲେ ଅତିକମରେ ପାଇକମାଲ ମୁଖ୍ୟ ଛକ ପର୍ଯନ୍ତ ଯିବାକୁ ପଡୁଛି । ପାଇକମାଲ ଡାକ୍ତରଖାନା ଉପରେ ପାଇକମାଲ ଓ ଝାରବନ୍ଧ ବ୍ଲକର ଲୋକ ପ୍ରତ୍ୟକ୍ଷ ଭାବରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଖରାର ପ୍ରଭାବ ମଧ୍ୟ ଆଗକୁ ବଢିବ ତେଣୁ ଅତି ଶୀଘ୍ର ଏହି ପ୍ରକଳ୍ପ କୁ ମରାମତି କରାଯାଇ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ପାଇଁ ପାଇକମାଲ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ସଂପାଦକ ଶ୍ରୀ ନୀଳମଣି ପଣ୍ଡା , ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ସଥପଥୀ ପ୍ରମୁଖ ଦାବି କରିଛନ୍ତି ।
ରାଜ୍ୟ
ନିଖୋଜ "ଅମୃତଧାରା" : ସରକାରୀ ବାବୁମାନଙ୍କର ଉଦାସୀନତା
- Hits: 584