ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ହିର୍ମା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଶିଶୁ ମଙ୍ଗଳ ସମିତି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଏହାର ସଦସ୍ୟା ମମତା ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଅପହଞ୍ଚ ଶିଶୁ ପାଖକୁ ପହଞ୍ଚି ସୁରକ୍ଷା ପ୍ରଦାନ କରିବା ଏବଂ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି ମମତା ତ୍ରିପାଠୀ କହିଥିଲେ। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜାନକୀ ବିଶ୍ବାଳ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ୍,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁପ୍ରଭା ମହାପାତ୍ର, ହିର୍ମା ସରପଞ୍ଚ ଅନୀତା ଭଏଁସା,ପଞ୍ଚାୟତ କାର୍ଯ୍ୟକାରୀ ଅଧିକାରୀ ତପସ୍ଵିନୀ କୁମୁରା ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହ ଆଇନ, ପକ୍ସୋ ଆଇନ, ଗ୍ରାମପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଉପରେ ଧାରଣା ଦେଇଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ଏହି ସଭାରେ ସଭାପତିତ୍ବ କରିଥିବା ବେଳେ ସଦସ୍ୟା ଅହଲ୍ୟା ନାଏକ, ଗୁଣନିଧି ଭଏଁସା ପ୍ରଭୃତି ଉପସ୍ଥିତ ଥିଲେ। ଏହି ଅବସରରେ ହିର୍ମା ପଞ୍ଚାୟତ ବାଲ୍ୟ ବିବାହରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇଥିବା ଯୋଗୁଁ ଏହାର ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ପରିଚାଳନା ଚାଇଲ୍ଡଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୱାନ ଷ୍ଟପ ସେଣ୍ଟର (ସଖୀ), ଜିଲ୍ଲା ଆଇନସେବା ପ୍ରାଧିକରଣ ମିଳିତ ଭାବେ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ଶିଶୁ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀମାନେ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ
ଶିଶୁ ମଙ୍ଗଳ ସମିତି ତରଫରୁ ପଞ୍ଚାୟତସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରା।
- Hits: 347