ଜେଲକୁ ଗଲେ ଲାଞ୍ଚୁଆ ସ୍ବାସ୍ଥ୍ୟକର୍ମୀ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଲାଞ୍ଚ ନେଇ ଧରା ପଡ଼ିଥିବା ବ୍ରଜରାଜନଗରର ରାଜପୁର ସିଏଚସିର ସ୍ବାସ୍ଥ୍ୟକର୍ମୀଙ୍କୁ ଆଜି ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଇ ଦିଆଯାଇଛି। ଗତକାଲି ରାଜପୁର ସିଏଏଚସିର ଜନୈକ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ଜଣେ ମହିଳାଙ୍କଠାରୁ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଡିଭିଜନ ହାତରେ ଧରା ପଡ଼ିଥିଲେ। 

ସୂଚନା ଅନୁଯାୟୀ, ପୁରୁଣା ଝାରସୁଗୁଡ଼ାର ସରୋଜିନୀ କିଶାନ ନିଜ ମୃତ ପିତା ବୁଧିରାମ କିଶାନ ଓ ତାଙ୍କର ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ମାତ୍ର ଏହା ଯୋଗାଇ ଦେବା ପାଇଁ ଦାୟୀତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀ ଭରତ ଘାସି ତାଙ୍କୁ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହା ବିଷୟରେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଅଧିକାରୀ ଭରତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଗତକାଲି ସରୋଜିନୀ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କ ଉପରେ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହାପରେ ରାଜପୁରସ୍ଥିତ ତାଙ୍କ ବାସସ୍ଥାନକୁ ମଧ୍ୟ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରି ସେଠାରେ ଖୋଳତାଡ଼ କରିଥିଲା। 

ଆଜି ଭରତ ଘାସିଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।ସେଠାରୁ ତାଙ୍କୁ କୋର୍ଟ ଜେଲ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଭରତ ଘାସି ଏହା ପୂର୍ବରୁ ମଧ୍ୟ ବିଭିନ୍ନ କାମ ପାଇଁ ଲାଞ୍ଚ ନେଉଥିବା ବାରମ୍ବାର ଅଭିଯୋଗ ଆସିଥିଲା।

0
0
0
s2sdefault