କାଲିଠୁ ନିଃସର୍ତ୍ତ ଜଗା ଦର୍ଶନ, ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ପୁରୀବାସୀ ନାକେଦମ, ଉଣା ଲୋକଙ୍କ ମନ 

ପୁରୀ,(ସ୍ୱତନ୍ତ୍ର ପ୍ରତିନିଧି) : ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ହେବ ଶ୍ରୀଜଗନ୍ନାଥ ଦର୍ଶନ।  ପ୍ରଶାସନର ବ୍ୟାପକ ବ୍ୟବସ୍ଥା । ସେପଟେ ଲମ୍ବା ବାରିକେଡ ଯୋଗୁ ସହରବାସୀ ନାକେଦମ । ପ୍ରଶାସନର ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ବୋଲି କହିଲେ ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ବିଶ୍ଵନାଥ ଦାସ ।

ଆଉ ଗୋଟିଏ ଦିନ ପରେ ନିସର୍ତ୍ତ ମିଳିବ ଜଗା ଦର୍ଶନ । ଦେବାକୁ ପଡିବନି କୋଭିଡ ନେଗେଟିଭ ରିପୋର୍ଟ।  ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଘଟିବ ପ୍ରକୃତ ମିଳନ । ପୂର୍ବବତ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।  ସେଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ଯାଏ ବିରାଟ ଲମ୍ବା ବାରିକେଡ କରାଯାଇଛି । ଲକ୍ଷ୍ୟ ରହିଛି ଦିନକରେ ୩୦ ହଜାର ଲୋକ ଦର୍ଶନ କରିବେ । ହେଲେ ଲମ୍ବା ବାରିକେଡ ଯୋଗୁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମାଲୋଚନା କରୁଛନ୍ତି ଜିଲ୍ଲା ପ୍ରଶାସନକୁ । ଲମ୍ବା ବାରିକେଡ କରିବା, ଉଠାଦୋକାନୀଙ୍କ ଉପରେ ନିୟନ୍ତ୍ରଣ ନରଖିବା , ବାରିକେଡ ମଧ୍ୟରେ ସହରବାସୀଙ୍କ ଯାତାୟତ ପାଇଁ ଡିଭାଇଡର ନରଖିବା ଆଦି ଯୋଗୁ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । 

ବାରିକେଡ ଦିର୍ଘ ଦିନରୁ ହେଲାଣି । ମନ୍ଦିର ଠାରୁ ମାର୍କେଟ ଛକ ରାସ୍ତାର ଓସାର କମ । କୋଭିଡ କଟକଣା ପାଇଁ ଭକ୍ତ ମାନେ ବାରିକେଡରେ ନଯାଇ ବାହାରେ ପତିତପାନ ଦର୍ଶନ କରୁଛନ୍ତି । ବାରିକେଡ ଖାଲି ରହୁଛି । ଫଳରେ ଗହଳି ବଢୁଛି । ଟ୍ରାଫିକ ନିୟନ୍ତ୍ରଣରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ, ଏ ନେଇ ସ୍ଥାନୀୟ  କଂଗ୍ରେସ ନେତା ତଥା ରାଜ୍ୟ  ଯୁବ କଂଗ୍ରେସର ମୁଖପାତ୍ର ବିଶ୍ଵନାଥ ଦାସ ସରକାର ତଥା ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି " ରାଜ୍ୟ ସରକାରଙ୍କ ନିୟମଗିଳା ଅଧସ୍ତନ ସରକାରୀ ବାବୁଙ୍କ ବ୍ରହ୍ମା ବିଳିବିଳି ହେଲେ ବେଦ ନୀତି ଯୋଗୁଁ ପୁରୀ ସହର ଲୋକେ ହନ୍ତସନ୍ତ ହେଉଛନ୍ତି । ଶ୍ରୀମନ୍ଦିରର ପ୍ରବେଶ ଆସନ୍ତା ୨୧ ତାରିଖ ଠାରୁ ସବୁ ଭକ୍ତଙ୍କ ବିନା କୋଭିଡ ପରୀକ୍ଷା ନିଷ୍ପତ୍ତି କ୍ରମେ ଭଙ୍ଗା ଯାଇଥିବା ବ୍ୟାରିକେଡ଼ ପୁନର୍ବାର ହେବା ଦ୍ବାରା ସହର ବାସୀଙ୍କ ଯାତାୟତ ସମସ୍ୟା କଠିନ ହୋଇଛି । ଯାହା ସଂପୂର୍ଣ୍ଣ ଭୁଲ ପ୍ରଶାସନିକ ନିଷ୍ପତ୍ତି । ଶ୍ରୀମନ୍ଦିର ସମ୍ମୁଖରେ ଅନେକ ଯାଗା ଖାଲି ପଡିଛି । ଯେଉଁଟା ଏବେ ଅନେକଙ୍କ ସେଲଫି ଯୋନ ପାଲଟିଛି । ସେହି ଯାଗାର ଉପଯୋଗ କରିପାରିଲେ ଦିନରେ ୩୦ ହଜାର ଭକ୍ତ ସୁରୁଖୁରୁରେ ଦର୍ଶନ କରିପାରିବେ । ଏପରି ବ୍ୟବସ୍ଥା ତୁରନ୍ତ ଗ୍ରହଣ କରି ବଡ଼ଦାଣ୍ଡରୁ ବ୍ୟାରିକେଡ଼ ହଟାଇଲେ  ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ, ତୀର୍ଥ ଯାତ୍ରୀ ଆଦି ସମସ୍ତଙ୍କ ପାଇଁ ଭଲ ହେବା ସହିତ ଟ୍ରାଫିକ ନିୟନ୍ତ୍ରଣ ସଠିକ ହୋଇପାରିବ" ବୋଲି କହିଛନ୍ତି ବିଶ୍ଵନାଥ ।

0
0
0
s2sdefault