ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ପ୍ରତୀକ୍ଷିତ କରୋନା ଟୀକା କୋ-ଭ୍ୟାକସିନ ଗଜପତି ଜିଲ୍ଲା ନିମନ୍ତେ ଟୀକାକରଣ ପାଇଁ ବୁଧବାର ଦିନ ରାତିରେ ପାରଳାଖେମୁଣ୍ଡି ଠାରେ ପୋଲିସର କଡା-ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଠାରୁ ଜିଲ୍ଲାର ଜାତୀୟ ଟୀକା ଭ୍ୟାନ ଯୋଗେ ଆସି ପହଞ୍ଚିଛି । ପୋର୍ଟାଲ୍ ପଞ୍ଜିକୃତ ପ୍ରକାରେ ଗଜପତି ଜିଲ୍ଲାପାଇଁ ମୋଟ ୬୯୫୩ ଟି ଟୀକାର ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୪୫୦୦ ଟି କୋ-ଭ୍ୟାକସିନ କରୋନା ଟୀକା ଆସିଛି ।
ଏହି ଟିକା ଗୁଡିକୁ ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ:ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଟୀକା ସଂରକ୍ଷଣ କେନ୍ଦ୍ରର ଟୀକା ଭଣ୍ଡାର ଗୃହରେ ଶୀତଳିକରଣ ପ୍ରକ୍ରିୟାରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ।
ଆସନ୍ତା ୧୬ ତାରିଖ ଦିନ ଦେଶବ୍ୟାପୀ ଏହି କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଜାତୀୟ ସ୍ତରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶା ରାଜ୍ୟପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଶୁଭାରମ୍ଭ କରିବେ ।
ସେହି ୧୬ ତାରିଖ ଦିନ ଗଜପତି ଜିଲ୍ଲାରେ ମଧ୍ୟ ଚିହ୍ନଟ ହୋଇଥିବା ୪ ଟି ଟୀକାକରଣ କେନ୍ଦ୍ର ଯଥା:- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋହନା , ରାୟଗଡ ଓ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ ।
ସିଡିଏମଓ : ଡା. ପ୍ରଦୀପ କୁମାର ପାତ୍ର ଏସବୁ ସୂଚନା ଦେଇ କହିଛନ୍ତି ଯେ , ଗଜପତି ଜିଲ୍ଲାରେ କୋଭିଡ୍ ପୋର୍ଟାଲରେ ଜିଲ୍ଲାରେ ମୋଟ ୬୯୫୩ ଜଣ ହିତାଧିକାରୀ ଏହି ଟୀକାକରଣ ପାଇଁ ପଞ୍ଜିକୃତ ହୋଇଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗୀୟ ଆଗଧାଡ଼ିର କରୋନା ଯୋଦ୍ଧା ତଥା ଡାକ୍ତର , ନର୍ସ , ସ୍ବାସ୍ଥ୍ୟକର୍ମୀ , କର୍ମଚାରୀ , ଆଶା ଓ ଅଙ୍ଗନବାଡି ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯିବ ।
ଜିଲ୍ଲାରେ ଏହି ଟୀକାକରଣ କାର୍ଯ୍ୟକ୍ରମ ମୋଟ ୨୭ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବାବେଳେ କେବଳ ୧୬ ତାରିଖ ଦିନ ଜିଲ୍ଲାର ୪ ଟି କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଏଭଳି ୪୦୦ ଜଣ ଟୀକା ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ମୋଟ ୪୫୦୦ ଜଣ ହିତାଧିକାରୀ ଏହି ଟୀକା ନେବେ । କିନ୍ତୁ ଏ ଦିଗରେ ସରକା'ଙ୍କ ଅନୁମତି ଓ ନିର୍ଦ୍ଦେଶାବଳୀ ପ୍ରକାରେ ୧୦ ପ୍ରତିଶତ ଟୀକା କୌଣସି ପ୍ରକାରେ ନଷ୍ଟ ହୋଇ ସେଥିରୁ ମୋଟ ୪୦୫୦ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବାକୁ ବାଧ୍ୟ ।
ଅନ୍ୟପକ୍ଷରେ ଗଜପତି ଜିଲ୍ଲାପାଇଁ ପୋର୍ଟାଲ ପଞ୍ଜିକୃତ ପ୍ରକାରେ ମୋଟ ୬୯୫୩ ଟି କୋ-ଭ୍ୟାକସିନ କରୋନା ଟୀକାର ଆବଶ୍ୟକତା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୪୫୦୦ଟି କୋ-ଭ୍ୟାକସିନ କରୋନା ଟୀକା ଆସି ପହଞ୍ଚିଛି । ତେବେ ଅବଶିଷ୍ଟାଂଶ ଟୀକା ପରବର୍ତ୍ତି ପର୍ଯ୍ୟାୟରେ ଆସିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାତ୍ର କହିଛନ୍ତି ।
ଜିଲ୍ଲାକୁ କୋ-ଭ୍ୟାକସିନ କରୋନା ଟୀକା ଆସି ପହଞ୍ଚିବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ(ଏଫଡବ୍ଲ୍ୟୁ) ତଥା ଜିଲ୍ଲା ଟୀକାକରଣ ଅଧିକାରୀ ଡାଃ ଏମଏମ: ମୁନିର , ଏଡିଏମଓ:- ମେଡିକାଲ ଡାଃ ପ୍ରମୋଦ କୁମାର ପଣ୍ଡା , ଡିପିଏମ:- ସୌମ୍ୟରାଣୀ ଗୌଡ଼ , ଡିଏମଆରସିଏଚ:- ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ , ଏଡ଼ିପିଏଚସିଓ:- ନେତ୍ରାନନ୍ଦ ଶତପଥୀ , ସିସିଟି:- ରୋହିତ କୁମାର ସାହୁ ଏବଂ ଦନାର୍ଦ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।