ଚଳିତ ଜାନୁଆରୀ ମାସ ୧୭ ତାରିଖ ଦିନ ପୋଲିଓ ବୁନ୍ଦା ଜନ୍ମରୁ ୫ବର୍ଷ ବୟସ ପିଲାଙ୍କୁ ପ୍ରଦାନ କରାଯିବ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଜାନୁୟାରୀ ମାସ ୧୭ ତାରିଖରେ ଜନ୍ମରୁ ୫ବର୍ଷ ବୟସ ସମସ୍ତ ପିଲାମାନଙ୍କୁ ସମନ୍ନିତ ପଲସ୍ ପୋଲିଓ ବୁନ୍ଦା ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ନିର୍ଦ୍ଧାରିତ ଥିବା ପୋଲିଓ ବୁଥ୍ରେ ସକାଳ ୮ରୁ ଅପରାହ୍ନ ୪ ମଧ୍ୟରେ ପ୍ରଦାନ କରାଯିବ ଏବଂ ୧୮, ୧୯ ତାରିଖରେ ଘରକୁ ଘର ଯାଇ ରହିଯାଇଥିବା ଶିଶୁଙ୍କୁ ପୋଲିଓ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମର ସୁପରିଚାଳନା ତଥା ସଫଳ ରୂପାୟନ ସକାଶେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୟୂରଭଞ୍ଜ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ୱାସ୍ଥ୍ୟ ସମିତିରେ ଟାକ୍ସ ଫୋର୍ସ ବୈଠକ ଅଵୁସ୍ଥିତ ହୋଇଯାଇଅଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ପି. ସ୍ମିତ ପରମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର, ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡା. ଶାନ୍ତନୁ କୁମାର ଦାସ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚାରୁବାଳା ରଥ, ଡା. ଜ୍ଞାନରଞ୍ଜନ ମହାନ୍ତି, ପ୍ରମୁଖ ସମେତ ସଂପୃକ୍ତ ସ୍ୱାସ୍ଥ୍ୟଧିକାରୀ, ଡିଏସ୍ ଡିବ୍ଲୁ, ସିଏସ୍ଓ, ସଂପୃକ୍ତ ଲାଇନ ବିଭାଗ ପଦାଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ପରିଚାଳିତ ପଲସ୍ ପୋଲିଓ ଟୀକା ପ୍ରଦାନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପ୍ରସ୍ତୁତି କାର୍ଯ୍ୟ ଖସଡା ସଂପର୍କରେ ସବିଶେଷ ଆଲୋଚନା କରାଯିବା ସହ କାର୍ଯ୍ୟକ୍ରମର ଶତପ୍ରତିଶତ ସଫଳରୂପାୟନ ଦିଗରେ କାର୍ଯ୍ୟ ସଂପାଦନ କରିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ୨ଲକ୍ଷ ୩୨ ହଜାର ୫୧୪ ଜଣ ଶିଶୁପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥି ପାଇଁ ଜିଲ୍ଲାରେ ୧୧୭୦ ଟି ପୋଲିଓ ବୁଥ୍ କେନ୍ଦ୍ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର / ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଖୋଲାଯିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତି ବୁଥ୍ରେ ୨ଜଣ କରି ମୋଟ ୪,୬୮୦ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ / ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୨୩୦ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବାକୁ ନିଷ୍ପତି ନିଆ ଯାଇଅଛି । ଜିଲ୍ଲାରେ ଥିବା ସମସ୍ତ ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁପିଲାଙ୍କୁ ଚଳିତ ଜାନୁୟାରୀ ୭ତାରିଖ ଦିନ ନିକଟସ୍ତ ପୋଲିଓ କେନ୍ଦ୍ରକୁ ନେଇ ପୋଲିଓ ବୁନ୍ଦା ଖୁଆଇ ଶିଶୁଙ୍କୁ ପୋଲିଓ ରୋଗମୁକ୍ତ ରଖିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ପରାମର୍ଶ ଦିଆଯାଇଅଛି । ସ୍ୱାସ୍ଥ୍ୟ ବିଭାଗ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଚଳିତ ଜାନୁୟାରୀ ମାସ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କୁଷ୍ଠ ଚିହ୍ନଟ କରଣ ସତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ଖାଦ୍ୟ ସାମଗ୍ରୀ ସୁରକ୍ଷା ଓ ମାନ ପରୀକ୍ଷା କରାଯିବା ସଂପର୍କୀତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ସବିଶେଷ ଆଚୋଲନା କରାଯାଇଥିଲା ।