୯ ବର୍ଷ ତଲେ ଦେଇଥିଲେ ପଟ୍ଟା : ଧାରଣା ଯୋଗୁଁ ଜମି ହେଲା ଚିହ୍ନଟ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝିଆପାଲି ଗ୍ରାମର ୨୮ ଭୂମିହୀନ ପରିବାରକୁ ଦୀର୍ଘ ୯ ବର୍ଷ ହେବ ଜମି ପଟ୍ଟା ମିଲିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଏହି ଭୂମିହୀନ ପରିବାର ମାନଙ୍କୁ ଜମି ମିଳିପାରିନାହିଁ । ମହିଳା ମାନେ ପାଇଥିବା ଜମି ବାବଦକୁ ସରକାରୀ ଖଜଣା ମଧ୍ୟ ବୁଝାଉ ଥିବା ଅଭିଯୋଗ ପତ୍ର ଦର୍ଶାଇଛନ୍ତି । ଅନେକ ଥର ଏ ସମ୍ପର୍କରେ ତହସିଲ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଜମି ଚିହ୍ନଟ ହୋଇପାରିନଥିଲା । ଆଜି ପର୍ଯ୍ୟନ୍ତ ପାଇଥିବା ପଟ୍ଟାର ଜମି ଚିହ୍ନଟ ହୋଇନଥିବା ଯୋଗୁଁ ବାଧ୍ୟ ହୋଇ ଏସବୁ ପରିବାର ମହିଲା ମାନେ ଓ ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ ପରାମର୍ଶ କ୍ରମେ ସ୍ଥାନୀୟ ତହସିଲ କାର୍ଯ୍ୟଳୟ ଘେରାଉ କରି ଧାରଣା ବସିଥିଲେ । ଏଥି ସହ ଜମି ଚିହ୍ନଟ ନହେବା ଯାଏଁ ଏହି ଧାରଣା ରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଥିଲେ । ତେବେ ଆଜି ହିଁ ଜମି ଚିହ୍ନଟ କରାଯିବ ବୋଲି ତହସିଲଦାର ରଞ୍ଜନ ପରିଡା ପ୍ରତିଶ୍ରୁତି ଦେବା ପରେ ଧାରଣା ରୁ ହଟିଥିଲେ । ଅପରାହ୍ନରେ ତହସିଲଦାର, ରାଜସ୍ବ ବିଭାଗ ଅଧିକାରୀ, ଆର ଆଇ ଓ ପୋଲିସ ସହାୟତାରେ ଜମି ଚିହ୍ନଟ ହୋଇଥିଲା ।