ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି ସୂଚନା ପରାମର୍ଶ କେନ୍ଦ୍ର ସଭା ଗୃହରେ ରାଜ୍ୟ ସରକାରଙ୍କ କପା ବୈଷୟିକ ମିଶନ ଯୋଜନା ସହାୟତାରେ କପାର ଶ୍ରେଣୀକରଣ ଓ ବିକ୍ରୀବଟା ଉପରେ ଦୁଇଦିନିଆ ତାଲିମ ଶିବିର ଆୟୋଜିତ ହୋଇଅଛି । ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବରେ ସମ୍ବଳ ବ୍ୟକ୍ତି 'ଆତ୍ମ ' ଉପ ନିର୍ଦ୍ଦେଶକ ତୁଷାର୍ ରଞ୍ଜନ ମିଶ୍ର, ମୃତ୍ତିକା ରାସାୟନିକ ବିତ୍ତ ପ୍ରଦୀପ କୁମାର ସ୍ବାଇଁ, ସ୍କିମ୍ ଅଧିକାରୀ ଲଲିତ କୁମାର ସାହୁ ଓ ସରକାରୀ ଯନ୍ତ୍ରୀ ଇଂ ପ୍ରିୟଙ୍କା ବେହେରା ପ୍ରମୁଖ ଉପସ୍ଥିତ ରହି କପା ଫସଲର ଅମଲ ପରବର୍ତ୍ତୀ ଯନ୍ତ୍ର ଓ ବିକ୍ରୀବଟା ସମ୍ପର୍କରେ ଉପସ୍ଥିତ ଥିବା ୫୦ ଜଣ ଅଗ୍ରଣୀ ଚାଷୀଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ସରକାରୀ ବୈଷୟିକ ପରିଚାଳନା ମୀନକେତନ ମହାକୁର ତାଲିମ ପରିଚାଳନା କରିଥିଲେ । ସରକାରୀ କୃଷି ଅଧିକାରୀ କାଳନ୍ଦୀ ପରିଡା ତାଲିମ ଲକ୍ଷ ଉପରେ ଆଲୋକପାତ କରିଥିଲେ । ସରକାରୀ କୃଷି ଅଧିକାରୀ ତୁଷାରକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ବିଟିଏମ ଜିତେନ୍ଦ୍ର ମେହର, ଏଟିଏମ ଚନ୍ଦ୍ରଶେଖର ନାୟକ, ସମସ୍ତ ଗ୍ରାମ କୃଷି କର୍ମଚାରୀ ଉପସ୍ଥିତ ରହିଥିଲେ ।