ହେଡଲାଇନସ୍:

"ଆମର ଦିଲ୍ଲୀରେ କେହି ବସ ନାହାନ୍ତି ,ଓଡିଶାବାସୀ ଆମର ବସ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୁବ କ୍ୟାଡରଙ୍କୁ ନବୀନ କହିଲେ ମନର କଥା 

ଆମେ ମହାସମୁଦ୍ର, ମହାସମୁଦ୍ରର ଜଳବୁନ୍ଦା ନୁହଁ

ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ

ଭୁବନେଶ୍ୱର (ମାନସୀ ମିଶ୍ର ) : ବିଜୁ ଯୁବ ଜନତା ଦଳର  ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ଅବସରରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ଯୁବ ବାହିନୀକୁ କହିଛନ୍ତି ମନର କଥା | ବୁଝାଇଛନ୍ତି ଆଂଚଳିକ ଦଳର ଗୁରୁତ୍ୱ ଓ ବିଶାଳତା | ପରୋକ୍ଷରେ କହିଛନ୍ତି ଦବି ଗଲେ ହେବନାହିଁ, ନରମି ଗଲେ ହେବ ନାହିଁ, ନିଜକୁ ନ୍ୟୁନ ବିବେଚନା କଲେ ବି ଚଳିଵ ନାହିଁ | " ଆମେ ମହା ସମୁଦ୍ରର ବୁନ୍ଦା ନୁହଁ, ଆମେ ମହା ସମୁଦ୍ର |  ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ । କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ। ନଚେତ୍‌, ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ" ବୋଲି ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଓ ପଦାଧିକାରୀମାନଙ୍କୁ କହିଛନ୍ତି ବିଜେଡି ସଭାପତି |

 ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନବୀନ କହିଛନ୍ତି ଯେ "ଯୁବ ଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଯୁବ ବନ୍ଧୁ ମାନଙ୍କୁ ମୋ ମନ କଥା କହୁଛି। ଆମ ଓଡିଶା ସ୍ବତନ୍ତ୍ର କାହିଁକି ? ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ – ସେଥିପାଇଁ ଓଡିଆ ଭାଷା ସ୍ବତନ୍ତ୍ର । ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର । ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା । ମହାନଦୀ ଆମ ଜୀବନ ରେଖା । ମହାନଦୀର ପାଣି ପ୍ରତି ଓଡିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି । ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର ॥ ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି। ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି । ଓଡିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି । ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି ।" 

ଜାତୀୟ ଦଳ ଓ ଜାତୀୟ ଦଳର ରାଜ୍ୟ ନେତୃତ୍ୱଙ୍କୁ ବିଷୟରେ କହିବାକୁ ଯାଇ ନବୀନ କହିଛନ୍ତି ଯେ " ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ ? ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢିବା । ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ କଣ ? ସେମାନଙ୍କର ମୂଳ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ ପଦବୀ ପାଇବା । ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି – Mainstreaming agenda. କେବଳ ଏହି mainstreaming  ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ । ଏଥିପାଇଁ ସେମାନଙ୍କର ନୀତି (strategy) ହେଉଛି ଗୋଟିଏ ଭାଷା – ହିନ୍ଦୀ । ଗୋଟିଏ ସଂସ୍କୃତି । ଗୋଟିଏ ନୀତି, ଯାହାକୁ ବଡ ବଡ ରାଜ୍ୟ ମାନଙ୍କ ପାଇଁ ସୁବିଧା ହେବ।ଏବଂ ତା ପରେ ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି। ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହିତ compromise କରିଥାନ୍ତି |" 

ବିଜେଡି ସଭାପତି କହିଛନ୍ତି ଯେ " ଆମ ପାଇଁ ଆମ ଭାଷା ଓଡିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର । ଆମ ପାଇଁ ଓଡିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଂଗୀତ । ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା । ଆମ ପାଇଁ ଆଦିବାସୀ ମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି। ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ । କିନ୍ତୁ, ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ । ଆମର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର voice ନାହିଁ ।  ଜାତୀୟ ଦଳର  centralised  hierarchyରେ  ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି ନାହିଁ । ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା । ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି । ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡିଶା ସହିତ ତୁଳନା କରନ୍ତୁ । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି ବସ ନାହାନ୍ତି । ଓଡିଶାବାସୀ ହେଉଛନ୍ତି ଆମର ବସ । ଆମେ କେବଳ ଓଡିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ । ମହାନଦୀ ପାଣି ପାଇଁ ଆମେ ଲଢେଇ କରୁଛୁ । ଆମେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢେଇ କରୁଛୁ । କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ସାମିଲ କରିବା ପାଇଁ ଲଢେଇ କରୁଛୁ । ଓଡିଶାର ଖଣିଜ ସଂପଦର ଲାଭ ଯେପରି ଓଡିଶା ଓ ଓଡିଶାବାସୀ ପାଇବେ, ସେଥିପାଇଁ ଆମେ ଲଢେଇ କରୁଛୁ । ପ୍ରାୟ ପ୍ରତି ବର୍ଷ ଓଡିଶା ବଡ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି । ଆମର ସ୍ବତନ୍ତ୍ର ଭୌଗଳିକ ଅବସ୍ଥିତି ପାଇଁ ଏହା ଘଟୁଛି । ଉଭୟ ଜାତୀୟ ଦଳ, ବିଜେପି ଓ କଂଗ୍ରେସ, ସେମାନଙ୍କ ଇସ୍ତାହାରରେ ରେ  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କୁ ଏକ ନମ୍ବରରେ ରଖିଥିଲେ। କିନ୍ତୁ ନିର୍ବାଚନ ପରେ ଏହି ଦାବୀକୁ ସହଜରେ ଭୁଲିଗଲେ । କିନ୍ତୁ ବି.ଜେ.ଡି ଏଥିପାଇଁ ଲଢେଇ ଜାରି ରଖିବ। ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ ।" 

ବିଜେଡି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ "ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହେଉଛି – ଓଡିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ । ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢେଇ କରେ । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି । ମୋର ଏହି ବାର୍ତ୍ତା କେବଳ ଆପଣ ମାନଙ୍କ ପାଇଁ ନୁହେଁ । ଏହା ସାରା ଓଡିଶାର ଯୁବ ସମାଜ ପାଇଁ । ସାରା ଓଡିଶାର ଭବିଷ୍ୟତ ପୀଢି ପାଇଁ । ମୋ କଥା ଭଲ ଭାବରେ ମନେ ରଖନ୍ତୁ । କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ ।    କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ। ନଚେତ୍‌, ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ" ବୋଲି ଚେତାଇଦେଇଛନ୍ତି ବିଜେଡି ସଭାପତି | 

ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୁବକମାନଙ୍କ ସମ୍ବୋଧନ କରି କହିଥିଲେ କି, ଓଡିଆ ଜାତିର ଅସ୍ମିତା କିପରି ଆଗକୁ ଯିବ ସେଥିପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନକୁ ତାଙ୍କ ସୁପୁତ୍ର ତଥା ଆମ ସମସ୍ତଙ୍କର ନେତା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂରଣ କରି ଦେଖାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ, ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ଓଡିଶା ଆଜି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେଣୁ ଓଡିଶାର ସମସ୍ତ ଯୁବକମାନେ ତ୍ୟାଗବ୍ରତୀ ହୋଇ ଓଡିଶାର ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ । 

ବିଜୁ ଯୁବ ଜନତା ଦଳର ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ଅମରେଶ ପତ୍ରୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡି ଯୁଗ୍ମ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ଜ୍ୟୋତି ରଞ୍ଜନ ଜେନା  ପ୍ରମୁଖ ଯୁବ ନେତୃତ୍ୱଗଣ ଯୋଗଦେଇ ଯୁବ ନେତାମାନଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ନେତୃବୃନ୍ଦ ସାଂଗଠନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରିଜଣ ଯୁବ ନେତାଙ୍କୁ ସମ୍ବର୍ଦ୍ଧିିତ କରି ଉତ୍ସାହିତ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ, ସାଂଗଠନିକ ପ୍ରସ୍ତାବ ଏବଂ ସଂକଳ୍ପ ପ୍ରସ୍ତାବ ଗୁଡିକ ଗୃହୀତ ହୋଇଥିଲା । ଅନ୍ୟ ନେତୃବୃନ୍ଦମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ବୈକୁଣ୍ଠ ନାୟକ, ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ମହାସଚିବ ଏଲିନା ଦାସ, ବରିଷ୍ଠ  ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସମସ୍ତ ଜୋନର ଜୋନ ସଭାପତି ଏବଂ ୩୫ଟି ସାଂଗଠନିକ ଜିଲ୍ଲା ଜିଲ୍ଲାସଭାପତିମାନେ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି । 

 

 

 

 

0
0
0
s2sdefault