ହେଡଲାଇନସ୍:

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଦୋପାଲିର ଅକୁହା କାହାଣୀ ନୂଆପିଢି ପାଖରେ ପହଞ୍ଚିବ - ଧର୍ମେନ୍ଦ୍ର ପ୍ରଧାନ

  • • ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପିଏମ୍ ଯୁବା ୨.୦ ଯୋଜନାରେ ୪୧ଟି ନୂଆ ପୁସ୍ତକ ଉନ୍ମୋଚିତ

  • • ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଶ୍ରୀ ମାଧବଙ୍କ କୃତିର ମାଲାୟାଲମ ଅନୁବାଦ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

  • • ଯୁବ ଲେଖକଙ୍କ ଲେଖା ଓ ସୃଜନଶୀଳତା ଆମ ସାହିତ୍ୟକୁ ସମୃଦ୍ଧ କରିବା ସହ ବୌଦ୍ଧିକ ଆଲୋଚନାକୁ ଏକ ନୂଆ ଦିଗ ଦେବ

  • • ବିଶ୍ୱ ପୁସ୍ତକ ମେଳା-୨୦୨୫ରେ ଆୟୋଜିତ ପ୍ରଦର୍ଶନୀ ହଲ୍ ପରିଦର୍ଶନ କରିବା ସହ ଏନବିଟିକୁ ଅଭିନନ୍ଦନ ଜଣାଇଲେ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୮ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା-୨୦୨୫ରେ ପିଏମ୍ ଯୁବା ୨.୦ ଯୋଜନାରେ ୪୧ଟି ନୂଆ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପୁସ୍ତକ ହୋଇଥିବା ପୁସ୍ତକର ୪୧ ଜଣ ଯୁବ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ରଚନା ଓ ସୃଜନଶୀଳତା ସାହିତ୍ୟ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିବା ସହ ବୌଦ୍ଧିକ ଆଲୋଚନାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି କହିଥିଲେ ।

ଶ୍ରୀ ପ୍ରଧାନ ଏହି ସର୍ବବୃହତ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିଥିଲେ । ଏ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋର ରୁଚି ସମ୍ବନ୍ଧୀୟ ସମ୍ବଲପୁର କୁଦୋପାଲି ଉପରେ ଲିଖିତ ଇତିହାସ ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ ହେବା ଖୁସିର ବିଷୟ । ଏହା ପୂର୍ବରୁ ପୁସ୍ତକର ଓଡ଼ିଆ ଏବଂ ଇଂରାଜୀ ସଂସ୍କରଣ ଉନ୍ମୋଚିତ ହୋଇସାରିଛି । ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ଏହା ଉପରେ ହିନ୍ଦୀ ଭାଷାରେ ପୁସ୍ତକ ଉନ୍ମୋଚିତ ହେବା ଦ୍ୱାରା କୁଦୋପାଲିର ଅକୁହା ଓ ଅଛପା କାହାଣୀ ଅଧିକରୁ ଅଧିକ ନୂଆପିଢି ପାଖରେ ପହଞ୍ଚିବ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ସେହି କ୍ରମରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଖୁବଶୀଘ୍ର ଏହି ପୁସ୍ତକ ୧୨ଟି ଭାରତୀୟ ଏବଂ ଦୁଇଟି ବିଦେଶୀ ଭାଷାରେ ଉପଲବ୍ଧ ହେବ ବୋଲି ସେ କହିଥିଲେ ।

ପିଏମ ଯୁବା ଯୋଜନାର ପରିକଳ୍ପନା ଏବଂ ଏହାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ଉପରେ ଆଲୋକପାତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସାରା ଦେଶରେ ଜାତୀୟ ଶିକ୍ଷା ନୀତି ଦ୍ୱାରା ଭାରତୀୟ ଭାଷାରେ ପୁସ୍ତକକୁ ପ୍ରୋତ୍ସାହିତ କରିବା ଏକ ଜାତୀୟ ଲକ୍ଷ୍ୟ ଅଟେ । ପ୍ରଧାନମନ୍ତ୍ରୀ ଯୁବା ଯୋଜନା ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟରେ ଚଳିତବର୍ଷ ବଜେଟରେ ଘୋଷଣା କରାଯାଇଥିବା 'ଭାରତୀୟ ଭାଷା ପୁସ୍ତକ ଯୋଜନା' ଏହି ଜାତୀୟ ପ୍ରୟାସକୁ ତ୍ୱରାନ୍ୱିତ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପୁସ୍ତକ ଓ ସାହିତ୍ୟକୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବାରେ ଜାତୀୟ ପୁସ୍ତକ ଟ୍ରଷ୍ଟ (ଏନବିଟି)ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ ଭାରତର ସମୃଦ୍ଧ ସାହିତ୍ୟ ଐତିହ୍ୟ ଓ ଭାଷାଗତ ପରମ୍ପରାକୁ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଷୟିକ ଜ୍ଞାନକୌଶଳକୁ ଆପଣାଇବା ଏବଂ ଘରୋଇ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ସହ ସହଯୋଗ କରିବାକୁ ଅନୁଷ୍ଠାନକୁ ଅନୁରୋଧ କରିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଶ୍ରୀ ମାଧବଙ୍କ କୃତିର ମାଲାୟାଲମ ଅନୁବାଦ ମଧ୍ୟ ଉନ୍ମୋଚନ କରିଥିଲେ । ଏହାବ୍ୟତୀତ ବିଶ୍ୱ ପୁସ୍ତକ ମେଳା-୨୦୨୫ରେ ଆୟୋଜିତ ପ୍ରଦର୍ଶନୀ ହଲ୍ ପରିଦର୍ଶନ କରିବା ସହ ବିଶ୍ୱର ଅନ୍ୟତମ ବୃହତ୍ତମ ପୁସ୍ତକ ମେଳା ଆୟୋଜନ କରିଥିବାରୁ ଏନବିଟିକୁ ଅଭିନନ୍ଦନ ଜଣାଇଥିଲେ । ଏହାକୁ ସାହିତ୍ୟ, ଭାଷା, ଜ୍ଞାନ, ଲୋକ ଓ ସଂସ୍କୃତିର "ଜ୍ଞାନ-କୁମ୍ଭ" ବୋଲି ଅଭିହିତ କରି ସେ ମେଳାକୁ ପାଠକଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନା ରେଡ୍ଡୀ ନାଲ୍ଲୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

0
0
0
s2sdefault