ମୟୂରଭଞ୍ଜକୁ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ଆବାଗମନ, ହେଲେ ଶିମିଳିପାଳରୁ ମୁହଁ ଫେରାଉଛନ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି )- ପର୍ଯ୍ୟଟନରେ ଆନନ୍ଦର ଉତ୍ସ ଓ ଉଦ୍ଦୀପନାର ପ୍ରାଚୁର୍ଯ୍ୟ ଭରି ରହିଛି । ଏଥି ସହିତ ଜ୍ଞାନ- ଗାରିମା, ଅନୁଭୂତି, ଅଭିଜ୍ଞତା ଓ ସ୍ୱାସ୍ଥ୍ୟ ଆଦିକୁ ନେଇ ପର୍ଯ୍ୟଟକମାନେ ବିଭିନ୍ନ ଦେଶ, ମନୋରମ ର୍ପ୍ୟଟନସ୍ଥଳି ଆଦି ବ୍ରମଣରେ ଆସିଥାନ୍ତି । କେବଳ ଏତିକି ନୁହେଁ ବହୁ ବ୍ୟକ୍ତି ପର୍ଯ୍ୟଟନକୁ ନିଜର ଅବସର ବିନୋଦନ( ଏକପ୍ରକାର ହବି)ରେ ପରିଣତ କରିଅଛନ୍ତି । ଏଥି ନିମନ୍ତେ ପ୍ରତ୍ୟେକ ବର୍ଷ ମୟୂରଭଞ୍ଜ ଜିଲ୍ଲାକୁ ଲକ୍ଷାଧିକ ପର୍ଯ୍ୟଟକ ଭ୍ରମଣରେ ଆସୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟକୁ ମଧ୍ୟ ଗବେଷକ, ଦାର୍ଶନିକ, ଲେଖକ, ଛାତ୍ରଛାତ୍ରୀ ଓ ପ୍ରକୃତିପ୍ରେମୀ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ନିମନ୍ତେ ଦେଶ ବିଦେଶରୁ ଛୁଟି ଆସିଥାନ୍ତି ।
ଦିନ ଥିଲା ସ୍ପଷ୍ଟ ଦିବା ଲୋକରେ ଶିମିଳିପାଳର ଘଞ୍ଚବନାନୀରେ ବାଘ ବାଘୁଣୀର କ୍ରୀଡ଼ା କରୁଥିବା ଦୃଶ୍ୟକୁ ଦେଖି ପର୍ଯ୍ୟଟକମାନେ ଆତ୍ମ ବିଭୋର ହୋଇ ପଡ଼ୁଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ, ଦେବକୁଣ୍ଡ, ସୀତାକୁଣ୍ଡ, ସମୀବୃକ୍ଷ,ରାମତୀର୍ଥ, ଖିଚିଂ , ପ୍ରାଚୀନ ସଂଗ୍ରହାଳୟ ଆଦି ପ୍ରାୟ ୧୯ରୁ ଅଧିକ ମାନ୍ୟତା ପ୍ରାସ୍ତ ପର୍ଯ୍ୟଟନ ସ୍ଥଳି ସହ ମାନ୍ୟତା ପ୍ରାପ୍ତି ହୋଇ ପାରିନଥିବା ବହୁବିଧ ମନୋରମ୍ୟ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ସ୍ଥାନ ଭ୍ରମଣରେ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓଡ଼ିଶା , ଓଡ଼ିଶା ବାହାର ରାଜ୍ୟ ଓ ଦରିଆ ଆର ପାରିରୁ ମୟୂରଭଞ୍ଜ ଜିଲ୍ଲାକୁ ଛୁଟି ଆସିଥାନ୍ତି ।
ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଶିମିଳିପାଳରୁ ମୁହଁ ଫେରାଉ ଥିବାର ପରିଲକ୍ଷିତ ହୋଇଛି । ୨୦୧୫ ମସିହାରେ ମୟୂରଭଞ୍ଜ ଜିଲ୍ଲାକୁ ଓଡ଼ିଶା ଓ ଓଡ଼ିଶାବାହାରୁ ୧୧,୮୯,୬୩୬ ଓ ୬୪ ବିଦେଶୀ ପର୍ଯ୍ୟଟକ ଆସିଥିଥିଲେ । ଏମାନଙ୍କ ମଧ୍ୟରୁ ଶିମିଳିପାଳକୁ ୩୪,୧୬୬ ପର୍ଯ୍ୟଟକ ଓଡ଼ିଶା ଓ ଓଡ଼ିଶା ବାହାରୁ ଏବଂ ୧୬ ବିଦେଶୀ ପର୍ଯ୍ୟଟକ ଥିଲେ । ସେହିପରି ୨୦୧୬ ମସିହାରେ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ୧୭.୪୧ ପ୍ରତିଶତ ବୃଦ୍ଧି ଘଟିଥିଲା ଏବଂ ଜିଲ୍ଲାକୁ ମୋଟ ୧୩,୯୬,୬୭୯ ଭାରତୀୟ ଓ ୧୪୭ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଶିମିଳିପାଳକୁ ୨୩,୩୯୩ ଭାରତୀୟ ଓ ୨୫ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ୨୦୧୭ରେ ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ୧୩.୧୨ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ୧୫, ୭୯, ୯୨୦ ଭାରତୀୟ ଓ ୧୨୫ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଶିମିଳିପାଳକୁ ୩୨,୫୨୮ ଭାରତୀୟ ଓ ୪୨ ବିଦେଶୀ ପର୍ଯ୍ୟଟକ, ୨୦୧୮ରେ ୨.୪୪ ପ୍ରତିଶତ ବୃଦ୍ଧି ଘଟି ଜିଲ୍ଲାକୁ ୧୬, ୧୮, ୫୩୪ ଭାରତୀୟ ଓ ୧୨୨ ବିଦେଶୀ ପର୍ଯ୍ୟଟକ ଆସିଥିବା ସମୟରେ ଶିମିଳିପାଳକୁ ୩୪, ୪୩୪ ଭାରତୀୟ ଓ ୧୮ ବିଦେଶୀ ଏବଂ ୨୦୧୯ରେ ୬.୭୪ ପ୍ରତିଶତ ବୃଦ୍ଧି ଘଟି ୧୭ ଲକ୍ଷ ୨୭ ହଜାର ୬୦୬ ଭାରତୀୟ ଓ ୧୪୩ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ଶିମିଳିପାଳକୁ ୩୨ ହଜାର ୭୩୪ ଭାରତୀୟ ଓ ୨୪ ବିଦେଶୀ ପର୍ଯ୍ୟଟକ ଆସିଥିବାର ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ତୁଳନାରେ ଖିଚିଂ ପର୍ଯ୍ୟଟନସ୍ଥଳି ସର୍ବାଧିକ ପର୍ଯ୍ୟଟକ ଆସୁଥିବାର ଜଣାପଡ଼ିଛି ।
ଖିଚିଂକୁ ୨୦୧୫ରେ ୨ଲକ୍ଷ ୫ ହଜାର ୮୩୯ ପର୍ଯ୍ୟଟକ, ୨୦୧୬ରେ ୨ ଲକ୍ଷ ୨୭ ହଜାର ୮୫୦ ଭାରତୀୟ ପର୍ଯ୍ୟଟକ, ୨୦୧୭ରେ ୨ଲକ୍ଷ ୩୯ ହଜାର ୬୨୦ ଭାରତୀୟ ପର୍ଯ୍ୟଟକ , ୨୦୧୮ରେ ୨ଲକ୍ଷ ୪୨ ହଜାର ୮୭୬ ଭାରତୀୟ ପର୍ଯ୍ୟଟକ ଏବଂ ୨୦୧୯ରେ ସର୍ବାଧିକ ୨ଲକ୍ଷ ୬୪ ହଜାର ୪୧୬ ଭାରତୀୟ ଓ ୨ ବିଦେଶୀ ପର୍ଯ୍ୟଟକ ଆସିଥିବାର ଜଣାପଡ଼ିଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ମେଘାସନୀ, ବରେହିପାଣି, ଗୁଡ଼ୁଗୁଡ଼ିଆ, ଚହଲା, ଜୋରନ୍ଦା ଆଦି ଐଶ୍ୱରୀକ ଦାନ ପ୍ରାକୃତିକ ସମ୍ପଦକୁ ପ୍ରକୃତି ଧ୍ୱଂସକାରୀ ରାକ୍ଷସମାନଙ୍କ କବଳରୁ ରକ୍ଷା କରି ମାନବ ଜାତିର କଲ୍ୟାଣ ନିମନ୍ତେ ସାଇତି ରଖିଛି ।
ଭାରତର ପୂର୍ବତନ ଉଦ୍ଭିଦ ବିଶେଷଜ୍ଞ ଡଃ ଗୋପୀନାଥ ପାଣିଗ୍ରାହୀଙ୍କ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡେ଼ ଓଡ଼ିଶାରେ ଦେଖାଯାଉଥିବା ପ୍ରାୟ ୩ ହଜାର ପ୍ରକାରର ବୃକ୍ଷ ମଧ୍ୟରୁ ଶିମିଳିପାଳ ପର୍ବତମାଳାରେ କେବଳ ୧୨ ଶହ ପ୍ରକାରର ବୃକ୍ଷ ରହିଅଛି । ଶରତ ଚନ୍ଦ୍ର ମିଶ୍ର ନାମକ ଅନ୍ୟ ଏକ ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ଜଣାଯାଏ ବର୍ତମାନ ସୁଦ୍ଧା ଆବିଷ୍କାର ହୋଇପାରିଥିବା ୧୨୩ ପ୍ରକାରର ମଦାଙ୍ଗ(ଆର୍କଡ଼ି)ବା ଚିତ୍ରା ମଧ୍ୟରୁ ଶିମିଳିପାଳରେ ୯୩ ପ୍ରକାରର ମଦାଙ୍ଗ ରହିଅଛି । ପୁଣି ମେଘାସନୀରେ ଦେଖାଯାଉଥିବା ମଦାଙ୍ଗ ଅନ୍ୟ କୌଣସି ଅଂଚଳରେ ଦେଖିବାକୁ ମିଳି ନଥାଏ । ଏହା ବ୍ୟତୀତ ୧୫୦ ପ୍ରକାରର ବନ ଔଷଧୀ ରହିଥିବାର ଜଣାପଡ଼ିଛି । ଐତିହାସିକ ଓ ପ୍ରତ୍ନତତ୍ୱ ବିଶାରଦଙ୍କ ମତରୁ ଜଣାଯାଏ ଶିମିଳିପାଳ ପର୍ବତମାଳା ଦକ୍ଷିଣ ଭାରତର ପୁରାଣ ପ୍ରସିଦ୍ଧ ଓ ଐତିହାସିକ ଗଣ୍ଡୱାନା ଉପତ୍ୟକାର ଶ୍ରେଣୀଭୂକ୍ତ । ତେଣୁ ଏହାର ବୟସ ୧୨୦୦ ନିୟୁତ ବର୍ଷରୁ ଅଧିକ ବୋଲି ଅନୁମାନ କରାଯାଇଛି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାକୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକମାନେ ଅଧିକରୁ ଅଧିକ ଆକୃଷ୍ଟ ନ ହେବାର କାରଣ ଖୋଜିବାର ସମୟ ଆସିଛି ।